ଭୁବନେଶ୍ୱର : ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ୧୨୫୧ଟି ପଦବୀ ଖାଲି ପଡିଛି । ଏଗୁଡିକ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।
ବିଜେପି ବିଧାୟକ ନାଉରୀ ନାୟକ ମହିଳା ଓ ଶିଶୁ ବିକାଶ ବିଭାଗରେ ଖାଲି ପଡିଥିବା ପଦବୀ ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବିଭାଗରେ କ୍ଷେତ୍ର ସ୍ତରରୁ ସଚିବାଳୟସ୍ତର ପର୍ଯ୍ୟନ୍ତ ମୋଟ ୫୧୩୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଏହି ପଦବୀ ମଧ୍ୟରୁ ୧୨୫୧ଟି ଖାଲି ପଡିଛି ।
ଖୋଦ୍ ବିଭାଗରେ ୨୭ଟି ପ୍ରଥମ ଶ୍ରେଣୀ ପାହ୍ୟାର ପଦବୀ ଥିବାବେଳେ ଏଥିରୁ ୧୨ଟି ଖାଲି ପଡିଛି । ସେହିଭଳି ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ଥିବା ୭୧ଟି ପଦବୀ ମଧ୍ୟରୁ ୨୯ଟି ଖାଲି ପଡିଥିବା ବେଳେ ତୃତୀୟ ଶ୍ରେଣୀ ପାହ୍ୟାରେ ଥିବା ୨୮ ପଦବୀ ମଧ୍ୟରୁ ୧୫ଟି ଖାଲି ଅଛି । ଚତୁର୍ଥ ଶ୍ରେଣୀରେ ୧୫ଟି ପଦବୀ ଥିବାବେଳେ ଏଥିରେ ମାତ୍ର ୩ଜଣ କାର୍ଯ୍ୟରତ ଅଛନ୍ତି ।
ବିଭାଗର କ୍ଷେତ୍ରରୁ ସଚିବାଳୟ ପର୍ଯ୍ୟନ୍ତ ମୋଟ ୪୨ଟି ପ୍ରଥମଶ୍ରେଣୀ ପାହ୍ୟାର ପଦବୀ ଥିବାବେଳେ ଏଥିରୁ ୧୭ଟି ଖାଲି ପଡିଛି । ସେହିଭଳି ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ୩୪୪୫ଟି ପଦବୀ ଥିବାବେଳେ ଏଥିରୁ ୬୭୧, ତୃତୀୟ ଶ୍ରେଣୀ ପାହ୍ୟାର ୧୧୯୦ଟି ପଦବୀ ମଧ୍ୟରୁ ୩୮୧ ଓ ଚତୁର୍ଥ ଶ୍ରେଣୀ ପାହ୍ୟାରେ ଥିବା ୪୫୩ ପଦବୀ ମଧ୍ୟରୁ ୧୮୨ଟି ଖାଲି ରହିଛି । (ତଥ୍ୟ)