Home News in Odia ମହିଳା ଆଶାୟୀଙ୍କ ପାଇଁ ରକ୍ତଚାପ ବଢୁଛି

ମହିଳା ଆଶାୟୀଙ୍କ ପାଇଁ ରକ୍ତଚାପ ବଢୁଛି

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଲଢିବାପାଇଁ ଓଡିଶାରେ ତିନି ପ୍ରମୁଖ ରାଜନୈତିକଦଳରେ ବହୁ ମହିଳା ଆଗ୍ରହ ପ୍ରକାଶ କରୁଥିବାରୁ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଛାମୁଆ ନେତାମାନଙ୍କର ରକ୍ତାଚାପ ବଢିବାରେ ଲାଗିଛି ।

୨୦୧୯ ନିର୍ବାଚନରେ ଓଡିଶାର ୨୧ଟି ଲୋକସଭା ଆସନ ଭିତରୁ ଏକ ତୃତୀୟାଂଶ ଅର୍ଥାତ୍‍ ୭ଟିରେ ମହିଳା ପ୍ରାର୍ଥୀ ଜିଣିଥିଲେ । ଏହା ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟରେ ପୌର ଓ ପଞ୍ଚାୟତ ସଂସ୍ଥାଗୁଡିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିବାବେଳେ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ତାହାକୁ ୫୦ ପ୍ରତିଶତକୁ ବଢାଇ ଦିଆଯାଇଛି । ଅବଶ୍ୟ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସାରା ଦେଶରେ ମହିଳାମାନଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ଆସନ ସଂରକ୍ଷଣ ଲାଗି ବ୍ୟବସ୍ଥା କରାଯାଇଥିଲା ।

ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ପ୍ରାୟ ୩୦ବର୍ଷ ଧରି ସଂସଦ ଭିତରେ ଓ ବାହାରେ ଚର୍ଚ୍ଚା ଲାଗିରହିବା ପରେ ବିଜେପି ସରକାର ଅମଳରେ ପ୍ରାୟ ସବୁ ଦଳର ସମର୍ଥନରେ ଏ ସଂକ୍ରାନ୍ତୀୟ ବିଲ୍‍ ପାରିତ ହୋଇ ଆଇନ୍‍ରେ ପରିଣତ ହୋଇଛି । ଏ ପରିପ୍ରେକ୍ଷୀରେ ଏବେ ସବୁ ପ୍ରମୁଖ ରାଜନୈତିକଦଳ ମହିଳା କାର୍ଡ ଖୋଲୁଥିବାରୁ ଓଡିଶାରେ ବିଭିନ୍ନ ଦଳରୁ ପ୍ରାର୍ଥୀ ହେବାପାଇଁ ମହିଳା ପ୍ରତ୍ୟାଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଏମିତିକି ଖୋଦ ରାଜଧାନୀ ଭୁବନେଶ୍ୱରର ତିନିଟି ବିଧାନସଭା ଆସନ ମଧ୍ୟରୁ ଅନ୍ୟୁନ ଗୋଟିଏ ମହିଳାଙ୍କ ପାଇଁ ଛାଡିବାଲାଗି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତ୍ରୀମାନେ ବି ଚାପ ପ୍ରୟୋଗ କରୁଛନ୍ତି । ୩୦ଟି ଯାକ ଜିଲ୍ଲାରେ ଏବେ ବହୁ ମହିଳା ପ୍ରାର୍ଥୀ ହେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ କେଉଁ ଦଳ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ମହିଳା ପ୍ରାର୍ଥୀ ଛିଡା କରାଇବେ ତାହା ଉପରେ ସମସ୍ତ ନଜର ।

ଏ ପରିପ୍ରେକ୍ଷୀରେ ଅନେକ ବିଧାୟକ ନିଜ ଟିକଟ କଟିଯିବା ଆଶଙ୍କାରେ ନିଜ ନିଜ ପରିବାରରୁ ବିକଳ୍ପ ମହିଳା ପ୍ରାର୍ଥୀ ମଧ୍ୟ ସୃଷ୍ଟି କରୁଛନ୍ତି । ବିଶେଷକରି ବିଜେଡି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ସପକ୍ଷରେ ରାଜ୍ୟ ବିଧାନସଭା ଠାରୁ ଆରମ୍ଭକରି ଲୋକସଭା ଓ ରାଜ୍ୟସଭା ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଦାବି ଉଠାଇ ଆସିଥିବା ଏବଂ ମିଶନ ଶକ୍ତି ସମେତ ମହିଳାମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଯୋଜନା କରିଥିବା ପରିପ୍ରେକ୍ଷୀରେ ଏହି ଦଳ ଅଧିକ ସଂଖ୍ୟକ ମହିଳାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ।

କେନ୍ଦ୍ରର ବିଜେପି ସରକାର ମଧ୍ୟ ମହିଳା କଲ୍ୟାଣ ସଂକ୍ରାନ୍ତରେ ଅନେକ ଯୋଜନା କରିଥିବା, ଓଡିଶାର ଜଣେ ଝିଅଙ୍କୁ ରାଷ୍ଟ୍ରପତି କରାଇଥିବା ଏବଂ ଏହି ଦଳ ସରକାରରେ ଥିବାବେଳେ ମହିଳା ସଂରକ୍ଷଣ ବିଲ୍‍ ପାରିତ ହୋଇଥିବା ପରିପ୍ରେକ୍ଷୀରେ ବିଜେପିର ବହୁ ନେତ୍ରୀ ମଧ୍ୟ ଉଭୟ ଲୋକସଭା ଓ ବିଧାନସଭା ଟିକଟ ଦୌଡରେ ଅଛନ୍ତି । କଂଗ୍ରେସର ଜଣେ ନେତା ସ୍ୱୀକାର କରିଛନ୍ତି ଯେ ଏଯାବତ୍‍ ବିଭିନ୍ନ ଆସନ ପାଇଁ ଯେତେ ଆଶାୟୀ ପ୍ରାର୍ଥୀଙ୍କ ନାମ ଆସିଛି ସେଥି ମଧ୍ୟରୁ ଅନେକ ମହିଳା ଅଛନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି ଯେ ସବୁ ରାଜନୈତିକଦଳ ମହିଳା ପ୍ରସଙ୍ଗ ଉଠାଉଥିବା ପରିପ୍ରେକ୍ଷୀରେ ଲୋକସଭାର ଅନ୍ୟୁନ ଏକ ତୃତୀୟାଂଶ ଏବଂ ପ୍ରତି ଜିଲ୍ଲାରେ ବିଧାନସଭା ଆସନର ଏକ ତୃତୀୟାଂଶ ପ୍ରାର୍ଥୀ ଦେବାପାଇଁ ପ୍ରମୁଖ ରାଜନୈତିକଦଳଗୁଡିକ ଏକ ପ୍ରକାର ବାଧ୍ୟ ହେବେ । ତେବେ ବିଜୟ ସମ୍ଭାବନାକୁ ଆଖିଆଗରେ ରଖି ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଆଶା କରାଯାଉଛି । (ତଥ୍ୟ)