Home News in Odia ମହାନଗର ନିଗମରେ ନାହାନ୍ତି ନିର୍ବାଚିତ ଲୋକ ପ୍ରତିନିଧି

ମହାନଗର ନିଗମରେ ନାହାନ୍ତି ନିର୍ବାଚିତ ଲୋକ ପ୍ରତିନିଧି

ଭୁବନେଶ୍ୱର : ରାଜ୍ୟରେ ଥିବା ୬ଟି ମହାନଗର ନିଗମ ମଧ୍ୟରୁ ତିନୋଟିରେ ଦୀର୍ଘବର୍ଷ ଧରି ନିର୍ବାଚିତ ଜନପ୍ରତିନିଧି ନାହାନ୍ତି । ଫଳରେ ବିନା କର୍ପୋରେଟର୍‍ ଓ ବିନା ମେୟରରେ ଚାଲୁଥିବା ଏହି ତିନୋଟି ମହାନଗର ନିଗମ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । କେବେ ଏଗୁଡ଼ିକ ଲାଗି ନିର୍ବାଚନ ହେବ ସେଥିଘେନି କିଛି ସ୍ପଷ୍ଟ ସୂଚନା ମିଳୁନାହିଁ ।

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର, ଡେପୁଟି ମେୟର ଓ କର୍ପୋରେଟର୍‍ଙ୍କ ଭଳି ନିର୍ବାଚିିତ ଲୋକ ପ୍ରତିନିଧିମାନେ ରହିଛନ୍ତି । ଅନ୍ୟପକ୍ଷରେ ରାଉରକେଲା, ସମ୍ବଲପୁର ଓ ପୁରୀ ମହାନଗର ନିଗମ କିନ୍ତୁ ଅଫିସରମାନଙ୍କ ଦ୍ୱାରା ପରିଚାଳିତ ହେଉଛି ।

ଗତଥର ରାଜ୍ୟରେ ସବୁ ପୌର ସଂସ୍ଥାଙ୍କ ପାଇଁ ନିର୍ବାଚତ ହୋଇଥିବାବେଳେ ମାଲିମକଦ୍ଦମା ଯୋଗୁ ପୁରୀ ପୌର ସଂସ୍ଥା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ନିର୍ବାଚନ ହୋଇନଥିଲା । ଇତିମଧ୍ୟରେ ପୁରୀ ପୌର ସଂସ୍ଥାକୁ ବି ରାଜ୍ୟ ସରକାର ମହାନଗର ନିଗମକୁ ଉନ୍ନିତ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୱାର୍ଡଗୁଡ଼ିକର ସଂରକ୍ଷଣ ପ୍ରସଂଗରେ ପୁରୀ ପୌର ସଂସ୍ଥାର ନିର୍ବାଚନ ହୋଇପାରିନଥିଲା । ସେହିଭଳି ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଘୋଷିତ ହେବା ପରେପରେ ଏହାକୁ ବିରୋଧ କରି କେତେକ ଲୋକ ମାମଲା ରୁଜୁ କରିଥିଲେ । ଏମିତିକି କେତେକ ଅଞ୍ଚଳ ଏହି ମହାନଗର ନିଗମରେ ସାମିଲ ହେବାକୁ ଚାହାନ୍ତି ନାହିଁ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା ।

ଇତିମଧ୍ୟରେ ଏ ସଂକ୍ରାନ୍ତୀୟ ଆଇନ୍‍ଗତ ବିବାଦର ଏକ ପ୍ରକାର ପରିସମାପ୍ତି ଘଟିଛି । ଏହାଛଡ଼ା ଭୁବନେଶ୍ୱର ଓ କଟକ ମହାନଗର ନିଗମରେ କମିଶନରେଟ୍‍ ପୁଲିସ ସ୍ଥାପନ କରାଯାଇଥିବାବେଳେ ଅନ୍ୟ ମହାନଗର ନିଗମ ଅଞ୍ଚଳରେ ମଧ୍ୟ ପୁଲିସ କମିଶନରେଟ୍‍ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି ଉଠୁଛି । ବିଶେଷକରି ଏହିସବୁ ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ଆଣି ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରୁ ପୁଲିସ କମିଶନରେଟ୍‍ ପ୍ରତିଷ୍ଠା ପାଇଁ ଦାବି ଉଠୁଛି ।

ଇତିମଧ୍ୟରେ ରାଜ୍ୟର ଆଉ କେତେକ ପ୍ରମୁଖ ପୌରପାଳିକାକୁ ମହାନଗର ନିଗମ ଘୋଷଣା କରିବା ସହିତ ଆଖପାଖର ପଞ୍ଚାୟତଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ଦାବି ଜୋର ଧରୁଛି । ତେବେ ରାଜ୍ୟ ସରକାର ଇତିମଧ୍ୟରେ କେତେକ ନୂଆ ଏନ୍‍ଏସି ଗଠନ କରିଥିବାବେଳେ ପର୍ଯ୍ୟାୟକ୍ରମେ ନୂଆ ମହାନଗର ନିଗମ ଓ ନୂଆ ପୌରପାଳିକା ଗଢ଼ାଯିବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

ନିର୍ବାଚିତ କର୍ପୋରେଟର୍‍ମାନେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଥିବା ନିଜ ନିଜ ୱାର୍ଡର ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉନ୍ନୟନମୂଳକ କାମ ତଦାରଖ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ସାଧାରଣ ଲୋକେ ବି ସେମାନଙ୍କ ସମସ୍ୟା ସିଧାସଳଖ ଭାବେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଦୃଷ୍ଟିକୁ ଆଣୁଥିବାବେଳେ ରାଉରକେଲା, ସମ୍ବଲପୁର ଓ ପୁରୀରେ ନିର୍ବାଚିତ ମହାନଗର ନିଗମ ନଥିବାରୁ ସ୍ଥାନୀୟ ଅଞ୍ଚଳର ସମସ୍ୟା ଲୋକେ ଉଠାଇବାରେ ସମସ୍ୟା ଅନୁଭବ କରୁଛନ୍ତି । ଅବଶ୍ୟ ଅଧିକାରୀମାନେ ୱାର୍ଡ ଅଫିସ୍‍ଗୁଡ଼ିକ ଦାୟିତ୍ୱରେ ରହୁଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ସ୍ଥାନୀୟ ସମସ୍ୟା ବୁଝି ତାହାର ସମାଧାନ କରିବାରେ ସେତେଟା ସଫଳ ହେଉନାହାନ୍ତି ବୋଲି ବାରମ୍ବାର ଅଭିଯୋଗ ଉଠୁଛି । ତେଣୁ ଏଗୁଡ଼ିକରେ ତୁରନ୍ତ ନିର୍ବାଚନ କରିବା ଲାଗି ଦାବି ହେଉଥିଲେ ମଧ୍ୟ କେବେ ଏହା କରାଯିବ ସେଥିଘେନି ବିଜ୍ଞପ୍ତି ପ୍ରକାଶ ଉପରେ ସମସ୍ତଙ୍କ ନଜର । (ତଥ୍ୟ)