Home News in Odia ଘର ପାଇଁ ବିଚିତ୍ର ସର୍ତ୍ତ

ଘର ପାଇଁ ବିଚିତ୍ର ସର୍ତ୍ତ

ଭୁବନେଶ୍ୱର : ଭାରତ ଭିତରେ ଆପଣ କିମ୍ବା ଆପଣଙ୍କ ପରିବାରର କାହା ନାମରେ ପକ୍କାଘର ଟିଏ ଥିଲେ ଆପଣ ରାଜଧାନୀରେ ବିଡିଏର ଗୃହ ଯୋଜନାରେ ସାମିଲ ହୋଇପାରିବେ ନାହିଁ । ନିକଟରେ ବିଡିଏ ପକ୍ଷରୁ ପ୍ରକାଶିତ ଘର ଯୋଜନାରେ ଆବେଦନ ପାଇଁ ଏଭଳି ସର୍ତ୍ତ ରଖାଯାଇଛି ।

ବିଡିଏ ପକ୍ଷରୁ ରାଜଧାନୀରେ ନିର୍ମାଣ ହୋଇଥିବା ୯୦ଟି ଏମଆଇଜି ଘର ବିକ୍ରି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ଯେକøଣସି ବ୍ୟକ୍ତି ଆବେଦନ କରିପାରିବେ । ତେବେ ଆବେଦନପତ୍ର ସହିତ ଗୋଟିଏ ସତ୍ୟପାଠ ଦାଖଲ କରିବାକୁ ପଡିବ । ଏଥିପାଇଁ ବିଡିଏ ପକ୍ଷରୁ ସତ୍ୟପାଠର ଏକ ଫର୍ମ ଜାରି ହୋଇଛି । ଏଥିରେ ରହିଥିବା ସର୍ତ୍ତ ମଧ୍ୟରେ ଆବେଦନକାରୀଙ୍କର ବିଡିଏ କିମ୍ବା ବିଏମ୍‍ସି ଇଲାକା ମଧ୍ୟରେ ବାସଗୃହ ନଥିବ କିମ୍ବା କୌଣସି ସରକାରୀ ବାସଗୃହ ଯୋଜନାରେ ସେ ସାମିଲ ହୋଇନଥିବେ । ସେହିଭଳି ଏଥିରେ ଆବେଦନକାରୀ ତାଙ୍କର ପରିବାର ସଦସ୍ୟଙ୍କ ନାମ, ବୃତ୍ତି ଓ ଆବେଦନକାରୀଙ୍କ ସହ ଥିବା ସମ୍ପର୍କକୁ ଦର୍ଶାଇବେ ।

ଆବେଦନକାରୀଙ୍କର ଆୟ ୩ଲକ୍ଷରୁ ୬ଲକ୍ଷ ଟଙ୍କା ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ସର୍ତ୍ତ ତାଲିକାର ପାଞ୍ଚ ନମ୍ବରରେ ଦର୍ଶାଯାଇଛି ଯେ ଆବେଦନକାରୀ କିମ୍ବା ତାଲିକାରେ ଦେଉଥିବା କୌଣସି ସଦସ୍ୟଙ୍କ ନାମରେ ଭାରତ ଭିତରେ କୌଣସି ସ୍ଥାନରେ ପକ୍କାଘରଟିଏ ନଥିବ । ଏଭଳି ସର୍ତ୍ତ ଏବେ ଅନେକ ଆଶାୟୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୀର୍ଘଦିନରୁ ଲୋକଙ୍କୁ ଛାତଘରଟିଏ ଦେବାପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହାର ଗାଁ ଗହଳରେ ଘର କରିବାକୁ ଜମି ନାହିଁ ତାହାକୁ ଘରଡିହ ଯୋଗାଇଦେବା ସହିତ ପକ୍କାଘର ଦେଉଛନ୍ତି । ଧାର୍ଯ୍ୟ ସମୟରେ ଘର କାର୍ଯ୍ୟ ସରିଲେ ସେଥିପାଇଁ ପୁରସ୍କାରର ବି ବ୍ୟବସ୍ଥା ରଖିଛନ୍ତି । ତେବେ ଗାଁରେ ଯଦି ସରକାରୀ ଯୋଜନାରେ କିଏ ପକ୍କାଘର ଖଣ୍ଡିଏ କରିଥିବ ଓ ବର୍ତ୍ତମାନ ପେଟ ପୋଷିବାପାଇଁ ରାଜଧାନୀରେ ରହୁଥିବ ସିଏ ବିଡିଏର ଏହି ଯୋଜନାରେ ଆବେଦନ କରିପାରିବ କି ନାହିଁ ତାହାକୁ ନେଇ ଅନେକ ଆଶଙ୍କାରେ ପଡିଛନ୍ତି ।

ଉଲ୍ଲେଖନୀୟ ଯେ ବିଡିଏର ଏହି ୯୦ଟି ଘର ମଧ୍ୟରୁ ଉଷା କାର୍ଡଧାରୀଙ୍କ ପାଇଁ ୩୬ଟି ଘର ସଂରକ୍ଷିତ ରହିଥିବା ସୂଚନା ମିଳିଛି । ଅବଶିଷ୍ଟ ଘରକୁ ଅନ୍ୟମାନଙ୍କୁ ଆବଣ୍ଟନ କରାଯିବ । ଲଟେରୀ ମାଧ୍ୟମରେ ହିତାଧିକାରୀ ଚୟନ ହେବାକୁ ଥିବାବେଳେ ଘର ଦାମ୍‍ର ଏକ ପ୍ରତିଶତ ଅର୍ଥ ଜମାକରି ଆବେଦନ କରିବାକୁ ପଡୁଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ଘରପାଇଁ ବର୍ତ୍ତମାନ ସୁଦ୍ଧା ଅଢେଇ ହଜାରରୁ ଅଧିକ ଆବେଦନ ପଡିଥିବାବେଳେ ଶେଷ ତାରିଖ ଚଳିତମାସ ୩୦ ତାରିଖ ରହିଛି । ଶେଷ ତାରିଖ ବେଳକୁ ଆବେଦନକାରୀଙ୍କ ସଂଖ୍ୟା ୩ହଜାର ଟପିଯିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ତେବେ ସତ୍ୟପାଠରେ ଯେଉଁସବୁ ସର୍ତ୍ତ ରହିଛି ତାହାକୁ କେତେଜଣ ପାଳନ କରି ଲଟେରୀ ପାଇଁ ଯୋଗ୍ୟ ବିବେଚିତ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । (ତଥ୍ୟ)