ଭୁବନେଶ୍ୱର : ବିନା ଟ୍ରେଡ ଲାଇସେନ୍ସରେ ନୂଆ ଦୁଇ ଚକିଆ ଗାଡି ବିକ୍ରିକରୁଥିବା ନାଚୁଣିର ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଚଢଉ କରି ଗାଡିଗୁଡିକ ଜବତ କରିବା ସହିତ ପ୍ରାୟ ଦେଢ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ରୋହନ ମୋଟର୍ସ ଠାରୁ ଦୁଇ ଚକିଆ ହିରୋହୋଣ୍ଡା ଗାଡି ନେଇ ନାଚୁଣିର ଜଣେ ବ୍ୟବସାୟୀ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ । ଗାଡି ନାଚୁଣିରେ ବିକ୍ରି ହେଉଥିଲେ ମଧ୍ୟ କାଗଜପତ୍ର ଆଦି ଭୁବନେଶ୍ୱରରୁ ପ୍ରସ୍ତୁତ ହେଉଥିଲା । ଯାହାକି ନିୟମ ବର୍ହିଭୂତ ଥିଲା ।
ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଯେକୌଣସି ନୂଆ ଗାଡି ବିକ୍ରି କରିବାପାଇଁ ବ୍ୟବସାୟୀଙ୍କ ନିକଟରେ ଟ୍ରେଡ ଲାଇସେନ୍ସ ଥିବା ଆବଶ୍ୟକ । ଏଥିପାଇଁ ସରକାରୀ ହିସାବରେ ଦେୟ ଦେବାକୁ ପଡିଥାଏ । ଏଥି ସହିତ ସାଧାରଣତଃ ନୂଆ ଗାଡି ବିକ୍ରେତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନୁମତି ଦେଇ ନଥାନ୍ତି ।
ତେବେ ନାଚୁଣିର ସମ୍ପୃକ୍ତ ବ୍ୟବସାୟୀଙ୍କ ନିକଟରେ ଟ୍ରେଡ ଲାଇସେନ୍ସ ନଥିବାରୁ ଜବତ ହୋଇଥିବା ୧୯ଟି ଦୁଇ ଚକିଆ ଯାନପାଇଁ ତଣ୍ଡ ଗଣିଛନ୍ତି । ଟିକସ ଓ ଜୋରିମାନା ବାବଦରେ ପ୍ରତି ଗାଡି ପିଛା ୯ହଜାର ଟଙ୍କା କରି ଆଦାୟ କରାଯିବ ।
ଭୁବନେଶ୍ୱର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ସକ୍ରିୟ ହୋଇ ଚଢଉ କରିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବିନା ଟ୍ରେଡ ଲାଇସେନ୍ସରେ ଦୁଇ ଚକିଆ ଯାନ ବିକ୍ରି ହେଉଥିବା ଜଣାଯାଇଛି । ଏଭଳି ବେଆଇନ୍ କାରବାର ପଛରେ କମ୍ପାନୀ ଠାରୁ ବିକ୍ରି ଅନୁମତି ପାଇଥିବା ବଡ ବଡ ସୋରୁମ ମାଲିକ ସାମିଲ ଅଛନ୍ତି । ଏହାଦ୍ୱାରା ସରକାରଙ୍କର ରାଜସ୍ୱ କ୍ଷତି ହେଉଥିବାରୁ ତୁରନ୍ତ ଏ ନେଇ ସାରା ରାଜ୍ୟରେ ଚଢଉ ଲାଗି ମତପ୍ରକାଶ ପାଉଛି ।