Home General ମଲା ପଶୁର ଚିକିତ୍ସା କରୁଛି ଆନିମଲ ହେଲ୍ପଲାଇନ୍‍

ମଲା ପଶୁର ଚିକିତ୍ସା କରୁଛି ଆନିମଲ ହେଲ୍ପଲାଇନ୍‍

ଭୁବନେଶ୍ୱର : ମଲା ପଶୁର ବି ଉତ୍ତମ ଚିକିତ୍ସା ଓ ସେବା କରୁଛି ଆନିମଲ ହେଲ୍ପ ଲାଇନ୍‍ । ଏଭଳି ସେବା ପାଇଁ କେବଳ ସରକାର ବଦନାମ ହେବା ସାର ହେଉଛି ।

ଘଟଣାରୁ ପ୍ରକାଶ ଯେ ନୀଳାଦ୍ରୀବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଗୋଟିଏ କୁକୁର ଅସୁସ୍ଥ ହୋଇ ପଡି ରହିଥିଲା । ଚାଲିବାକୁ ଅକ୍ଷମ ଥିବା ଏହି ପଶୁଟିର ଚିକିତ୍ସାପାଇଁ ସ୍ଥାନୀୟ ଲୋକେ ଆନିମଲ ହେଲ୍ପ ଲାଇନ୍‍କୁ ଫୋନ କରିଥିଲେ । ଚଳିତମାସ ୧୧ ତାରିଖରେ ଏହି ଫୋନ୍‍ ପାଇବାପରେ ହେଲ୍ପଲାଇନ୍‍ କର୍ତ୍ତୃପକ୍ଷ ତୁରନ୍ତ ପଞ୍ଜିକରଣ କରିବା ସହିତ ସ୍ଥାନ ବିଷୟରେ ସୂଚନା ସଂଗ୍ରହ କରି ଅଭିଯୋଗକାରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଅଭିଯୋଗ ପାଇବାପରେ କିନ୍ତୁ କାହାରି ଦେଖାଦର୍ଶନ ନଥିଲା । ରାସ୍ତାକଡରେ ପଡିଥିବା ଏହି ପଶୁଟିକୁ ସ୍ଥାନୀୟ ଲୋକେ ଖାଦ୍ୟ ପାନୀୟ ଦେଇଥିଲେ ମଧ୍ୟ ଅସୁସ୍ଥତା କାରଣରୁ ପଡି ପଡି ସେଠାରେ ତାହାର ପ୍ରାଣବାୟୁ ଉଡିଗଲା । ଏହାପରେ ମୃତ ପଶୁର ଶରୀରକୁ ଉଠାଇବାପାଇଁ ସ୍ଥାନୀୟ ଲୋକେ ବିଏମସିକୁ କହିଥିଲେ ମଧ୍ୟ ସେଥିରୁ କିଛି ସୁଫଳ ମିଳିଲା ନାହିଁ । ମୃତ ପଶୁର ପଚା ଶରୀର ଏବେ ବି ସେଠାରେ ପଡି ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ନାକରେ ଲୁଗାଦେଇ ଯାଉଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପଶୁଟି ମରିବାର ତିନି ଦିନ ପରେ ଅଭିଯୋଗକାରୀଙ୍କ ମୋବାଇଲ୍‍ ନମ୍ବରକୁ ସେସେଜଟିଏ ଆସିଛି । ଏଥିରେ ଲେଖାଯାଇଛି ଅସୁସ୍ଥ ପଶୁଟିକୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି : ଧନ୍ୟବାଦ ଓଡିଶା ସରକାର । ଏଭଳି ମେସେଜ ପାଇଲା ପରେ ଏବେ ଅଭିଯୋଗକାରୀ କେବଳ ଆଶ୍ଚର୍ଯ୍ୟ ପ୍ରକଟ କରିନାହାନ୍ତି, ଆନିମଲ ହେଲ୍ପ ଲାଇନ୍‍ର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସ୍ଥାନୀୟ ଲୋକେ କହିଛନ୍ତି ଯେ ଏଭଳି କାର୍ଯ୍ୟପାଇଁ କେବଳ ସରକାର ବଦନାମ ହେବା ସାର ହୋଇଛି ।

କେବଳ ଆନିମଲ ହେଲ୍ପଲାଇନ୍‍ ନୁହେଁ, ଖୋଦ ରାଜଧାନୀରେ ବିଦ୍ୟୁତ୍‍, ପାନୀୟଜଳ ଯୋଗାଣ, ପରିମଳ ଆଦି ପାଇଁ ଥିବା ବିଭିନ୍ନ ନିଶୁଳ୍ପ ନମ୍ବରରେ ଅଭିଯୋଗ କଲେ ବହୁ କ୍ଷେତ୍ରରେ ଅନୁରୂପ ସେବା ମିଳୁଛି । କେଉଁଠି ଅଭିଯୋଗର ନମ୍ବର ବାରମ୍ବାର ବଦଳୁଛି ତ ଆଉ କେଉଁ ଦାୟିତ୍ୱରେ ଥିବା ସଂସ୍ଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ କର୍ଣ୍ଣପାତ କରୁନାହାନ୍ତି ।

ଭୁବନେଶ୍ୱର ସ୍ମାର୍ଟ ସିଟି ଠାରୁ ଆରମ୍ଭ କରି ଭୁବନେଶ୍ୱର ମହାନଗର ନିଗମ ଆଦି ନାଗରିକମାନଙ୍କୁ ତ୍ୱରିତ ସେବା ପ୍ରଦାନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସହାୟତା କେନ୍ଦ୍ର ଖୋଲି କର୍ମଚାରୀ ନିଯୁକ୍ତ କରିଛନ୍ତି । ଲୋକେ ଏମାନଙ୍କ ଉପରେ ଭରସା କରି ଅଭିଯୋଗ ଦରଜ କରୁଥିବାବେଳେ ସମାଧାନ କିନ୍ତୁ ସେହି ଅନୁଯାୟୀ ହେଉନାହିଁ । ଏଥିରେ ବିଏମସି, ସ୍ମାର୍ଟସିଟି ଏପରିକି ନଗର ଉନ୍ନୟନ ବିଭାଗ କେବଳ ବଦନାମ ହେବା ସାର ହେଉଛି । (ତଥ୍ୟ)