ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ଓଡ଼ିଶାର ପ୍ରଥମ ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲେ ମଧ୍ୟ ଏବେ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ କୌଣସି ବିମାନ ଚଳାଚଳ କରୁନାହିଁ । ବିଦେଶରେ ରହୁଥିବା ଓଡ଼ିଆମାନେ ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ବାରମ୍ବାର ଦାବି କରିଆସୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।
ଦେଶର ବିମାନ ବନ୍ଦରଗୁଡ଼ିକ ଭିତରେ ଭୁବନେଶ୍ୱର ବେଶ୍ ପୁରୁଣା । ୧୯୯୮ ମସିହାରେ ଏହି ବିମାନ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲା ଏବଂ ୨୦୧୩ ମସିହାରେ ଏହାକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା ।
କିଛିବର୍ଷ ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ, ଆବୁଧାବି, ବ୍ୟାଙ୍କଙ୍ଗ, ସିଙ୍ଗାପୁର, ବାଲି ପ୍ରଭୃତି ବିଦେଶ ବିମାନ ବନ୍ଦରଗୁଡ଼ିକୁ ଯାତ୍ରୀବାହୀ ବିମାନ ଯାତାୟାତ କରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ବିମାନ ବନ୍ଦରରୁ ବିଦେଶକୁ ଯାତ୍ରୀବାହୀ ବିମାନ ସେବା ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଗଲା ।
ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିଦେଶକୁ ଯାତ୍ରୀବାହୀ ବିମାନ ଯାତାୟାତ ବନ୍ଦ ହୋଇଯାଇଥିବାବେଳେ ଏଠାରୁ ପ୍ରାୟ ୬୦ କିଲୋମିଟର ଦୂରେ ଥିବା ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ କିଛିବର୍ଷ ହେବ କସରତ ଚାଲିଛି । ଏଥିପାଇଁ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ହୋଇଥିବାବେଳେ ଚିଲିକା ଓ ବଙ୍ଗୋପସାଗରର ଜଳଜୀବ ଓ ପଶୁପକ୍ଷୀଙ୍କ ଉପରେ ତା’ର କ’ଣ ପ୍ରଭାବ ପଡ଼ିବ ସେଥିଘେନି ଚୂଡ଼ାନ୍ତ ମଞ୍ଜୁରୀ ମିଳିନାହିଁ । ଏହାଛଡ଼ା ଶ୍ରୀକ୍ଷେତ୍ର ଉପର ଦେଇ ଆନ୍ତର୍ଜାତିକ ବିମାନ ଚଳାଚଳ କଲେ ଶ୍ରୀମନ୍ଦିର ଉପରେ ତା’ର କି ପ୍ରକାର ପ୍ରଭାବ ପଡ଼ିବ ତାହାର ବି ଆକଳନ କରାଯାଇ ନାହିଁ ।
ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁର, ଦୁବାଇ ଆଦିରେ ହୋଇଥିବା ନିବେଶକ ସମ୍ମିଳନୀରେ ଆଗ୍ରହ ପ୍ରକାଶ ପାଇଥିବା କୁହାଯାଉଛି । କିନ୍ତୁ ସେଠାରୁ ଓଡ଼ିଶାକୁ ସିଧାସଳଖ ଯାତ୍ରୀବାହୀ ବିମାନ ଚଳାଚଳ କରୁନାହିଁ । ଏବେ ଭୁବନେଶ୍ୱର ବିମାନ ବନ୍ଦରରୁ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଏୟାର ଇଣ୍ଡିଆ, ଇଣ୍ଡିଆ-୧ ଏୟାର, ଆକାଶ ଏୟାର, ଷ୍ଟାର୍ ଏୟାର ଆଦି ସଂସ୍ଥା ଯାତ୍ରୀବାହୀ ବିମାନ ଚଳାଚଳ କରାଉଛନ୍ତି । ଏଠାରୁ ଏବେ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ୍, ପୁନେ, ଅହମ୍ମଦାବାଦ୍, ଗୌହାଣୀ, ପାଟନା, ରାଞ୍ôଚ, ରାୟପୁର, ଜାମସେଦପୁର, ଲକ୍ଷ୍ନୌ, ରାଜସ୍ତାନର ଜୟପୁର, ସୁରଟ, ବାରଣାସୀ, ଆହଲ୍ଲାବାଦ୍ ଆଦି ସ୍ଥାନକୁ ବିମାନ ଚଳାଚଳ କରୁଛି । ଏହାଛଡ଼ା ରାଜ୍ୟ ଭିତରେ ଏତ୍କେଲା, ଜୟପୁର, ରାଉରକେଲା, ଝାରସୁଗୁଡ଼ା ଆଦିକୁ ଯାତ୍ରୀବାହୀ ବିମାନ ଚଳାଚଳର ମଧ୍ୟ ସୁବିଧା ଅଛି ।
ବିଜୁ ପଟ୍ଟନାୟକ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିଦେଶକୁ ଯାତ୍ରୀବାହୀ ବିମା୍ନ ସେବା କାହିଁକି ବନ୍ଦ ରହିଛି ତା’ର ତର୍ଜମା କରାଯାଇ ବିଦେଶର ଯେଉଁସବୁ ରାଷ୍ଟ୍ରରେ ଅଧିକ ସଂଖ୍ୟକ ଓଡ଼ିଆ ରହୁଛନ୍ତି ଏବଂ ଓଡ଼ିଶାରେ ଯେଉଁସବୁ ରାଷ୍ଟ୍ର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ସେଠାକୁ କିଭଳି ଯାତ୍ରୀବାହୀ ବିମାନ ସେବା ବ୍ୟବସ୍ଥା ହେବ ସେ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି । ବିଶେଷକରି ଦୁବାଇ, ଆବୁଧାବି ଆଦିରେ କାର୍ଯ୍ୟରତ ଓଡ଼ିଆମାନେ ଅଭିଯୋଗ କରୁଛନ୍ତି ଯେ ଭୁବନେଶ୍ୱରକୁ ସେଠାରୁ ଯାତ୍ରୀବାହୀ ବିମାନ ଯାତାୟାତ ବନ୍ଦ ହେବା ଫଳରେ ଗୋଟିଏଥର ଭୁବନେଶ୍ୱରରୁ ଦୁବାଇ କିମ୍ବା ଆବୁଧାବି ଯିବା ପାଇଁ ସେମାନଙ୍କୁ କଲିକତା, ହାଇଦ୍ରାବାଦ୍, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଆଦି ବାଟ ଦେଇ ଗସ୍ତ କରିବା ଫଳରେ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ଏବଂ ଏଥିଲାଗି ବି ଘଣ୍ଟାଘଣ୍ଟା ସମୟ ବରବାଦ୍ ହେଉଛି । ଦେଶର ବହୁ ରାଜ୍ୟର ରାଜଧାନୀରୁ ବିଦେଶକୁ ଯାତ୍ରୀବାହୀ ବିମାନ ସେବା ଥିବାବେଳେ ଓଡ଼ିଶା କାହିଁକି ଏଥିରୁ ବାଦ୍ ପଡିଛି ବୋଲି ବି ପ୍ରଶ୍ନ ଉଠୁଛି । (ତଥ୍ୟ)

