ଭୁବନେଶ୍ୱର : ଛତିଶଗଡ କବଜାରୁ ମହାନଦୀର ଜଳପ୍ରବାହକୁ ମୁକ୍ତ କରାନଗଲେ କିଛିବର୍ଷ ମଧ୍ୟରେ ଏସିଆର ସର୍ବବୃହତ୍ତମ ଲବଣାକ୍ତ ହ୍ରଦ ତଥା ରାମ୍ସାର ତାଲିକାରେ ସ୍ଥାନ ପାଇଥିବା ଚିଲିକା ମରୁଭୂମିରେ ପରିଣତ ହୋଇପାରେ । ପରିବେଶବିତ୍ମାନେ ଏଭଳି ଆଶଙ୍କାବ୍ୟକ୍ତ କରିବା ସହ ପାଣି, ପବନ ଓ ଆଲୋକକୁ ସୀମା ସରହଦ ମଧ୍ୟରେ ବନ୍ଦୀ ନକରି ପ୍ରାକୃତିକ ଉତ୍ସକୁ ଖୋଲା ଛାଡିଦେବା ପାଇଁ ମତବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ ଅନେକଗୁଡିଏ ବନ୍ଧ ନିର୍ମାଣ କରିବାଫଳରେ ମହାନଦୀରେ ଜଳ ପ୍ରବାହ କମିଛି । ଅନ୍ୟ ପକ୍ଷରେ ମହାନଦୀର ହୀରାକୁଦ ଠାରେ ଉତ୍ପାଦିତ ଜଳବିଦ୍ୟୁତରୁ ଛତିଶଗଡ ସର୍ବାଧିକ ଫାଇଦା ନେଉଛି । ଓଡିଶାର ଲୋକେ ଯେଉଁ ଦରରେ ବିଦ୍ୟୁତ ପାଉଛନ୍ତି ତାହାଠାରୁ ଢେର କମ୍ ଦରରେ ଛତିଶଗଡ ହୀରାକୁଦରୁ ବିଦ୍ୟୁତ୍ ନେଉଛି । ଅଥଚ ଉପରମୁଣ୍ଡରେ ବନ୍ଧ କରାଯିବା ଫଳରେ ହୀରାକୁଦ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମହାନଦୀ ଓଡିଶାର ଜୀବନରେଖା ହୋଇଥିବାବେଳେ ଏବେ ଖରାଦିନ ତ ଦୂରରକଥା ବର୍ଷା ଓ ଶୀତଦିନେ ମଧ୍ୟ ନିୟମିତ କେନାଲ ପାଣି ଚାଷପାଇଁ ମିଳିବା ସମସ୍ୟା ହୋଇଯାଉଛି । ମହାନଦୀ ଉପକୂଳରେ ଥିବା ଓଡିଶାର ସହରଗୁଡିକ ମଧ୍ୟ ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାନଦୀର ଶଯ୍ୟା ବର୍ଷର ଅଧିକାଂଶ ସମୟରେ ଶୁଖିଲା ପଡୁଛି । ଏହାର ପ୍ରଭାବ ମହାନଦୀର ଶାଖାନଦୀଗୁଡିକ ଉପରେ ପଡୁଛି । ଇବ୍ ଭଳି ମହାନଦୀର କେତେକ ଉପନଦୀ ଉପରେ ମଧ୍ୟ ଛତିଶଗଡ ବନ୍ଧ ନିର୍ମାଣ କରି ଓଡିଶାକୁ ପାଣି ଛାଡିବା ଉପରେ କଟକଣା ଲଗାଉଛି ।
ଚିଲିକା ହ୍ରଦରେ ଦୟା, ଭାର୍ଗବୀ, ଲୁଣା, ରତ୍ନଚିରା ଭଳି ଅନେକ ନଦୀ ଓ ସେଥିରୁ ଉତ୍ପନ୍ନ ନାଳ ପଡିଛନ୍ତି । ଗୋଟିଏ ପଟେ ଏହି ନଦୀନାଳଗୁଡିକରୁ ଚିଲିକାରେ ମଧୁର ଜଳ ପ୍ରବେଶ କରୁଥିବାବେଳେ ଅନ୍ୟପଟେ ଏହାର ସାମୁଦ୍ରିକ ମୁହାଣ ବାଟେ ଚିଲିକାରେ ଲୁଣା ପାଣି ପଶିଥାଏ । ଏଥିଯୋଗୁଁ ଚିଲିକାର, ମାଛ, ଚିଙ୍ଗୁଡି ଓ କଙ୍କଡାର ସ୍ୱାଦ ନିଆରା ଏବଂ ତାହା ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇଥାଏ ।
ମହାନଦୀର ଶଯ୍ୟା ଶୁଖିଲା ପଡିଥିବାରୁ କାଠଯୋଡି ସମେତ ତାହାର ଅନ୍ୟ ଶାଖାନଦୀର ଶଯ୍ୟାଗୁଡିକ ଏବେ ମରୁଭୂମିର ବାଲୁକାସ୍ତୁପ ଭଳି ପ୍ରତୀୟମାନ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁର ଆଦି ବହୁ ସହରର ବର୍ଜ୍ୟଜଳ ମହାନଦୀ ଓ ତାହାର ଶାଖାନଦୀଗୁଡିକ ମାଧ୍ୟମରେ ଛଡାଯାଇଥାଏ । ନଦୀରେ ପାଣି ନଥିବାରୁ ଏବେ ଏହି ନର୍ଦ୍ଦମାଜଳ ସିଧାସଳଖ ଯାଇ ଚିଲିକାରେ ମିଶି ତାହାକୁ ପ୍ରଦୂଷିତ କରୁଛି ଏବଂ ଶହ ଶହ କୋଟି ଟଙ୍କା ବ୍ୟୟରେ ଯେଉଁ ଚିଲିକା ହ୍ରଦରୁ ପଙ୍କ, ପଟୁ ଓ ଗୁଳ୍ମରାଜି ସଫା କରାଯାଇଥିଲା ତାହା ଏବେ ପୁଣି ପୋତିହୋଇ ପଡୁଛି ।
ଚିଲିକା ଉପକୂଳର ଯେଉଁସବୁ ଗାଁ ନିକଟରେ ଏବେ ହ୍ରଦରେ ଦୁଇ ତିନିଫୁଟ ପାଣି ରହିବାକଥା ସେଠି ଏବେ ମାଟି ଫାଟି ଆଁ କରିଛି । ହ୍ରଦ ପୁଣି ପୋତି ହେଉଥିବାବେଳେ ମାଛ, କଙ୍କଡା, ଚିଙ୍ଗୁଡି ଆଦିର ଉତ୍ପାଦନ ମଧ୍ୟ ହ୍ରାସ ପାଉଛି । ସ୍ଥିତିର ପ୍ରତିକାର କରାନଗଲେ ଚିଲିକାକୁ ଭାତହାଣ୍ଡି କରି ବଞ୍ଚୁଥିବା ଲକ୍ଷ ଲକ୍ଷ ଲୋକ ବିପନ୍ନ ହୋଇଯିବେ ଏବଂ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଆଉ ପର୍ଯ୍ୟଟକ ଆସିବେ ନାହିଁ । ତେଣୁ ଚିଲିକାର ପ୍ରାକୃତିକ ସଂରକ୍ଷଣ ଲାଗି ଛତିଶଗଡ ସରକାର ଜିଦ୍ରୁ ଓହରି ମହାନଦୀର ଜଳପ୍ରବାହକୁ ନିୟନ୍ତ୍ରଣମୁକ୍ତ କରିବାପାଇଁ ଦାବି ହେଉଛି । ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ଚିଲିକା ଗସ୍ତରେ ଯାଉଥିବାରୁ ସେମାନେ ଏହି ସମସ୍ୟାର କି ପ୍ରତିକାର କରିବେ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)