Home Judiciary ଶିଶୁ ନିର୍ଯ୍ୟାତନାରେ ଦଣ୍ଡ ହାର ନଗଣ୍ୟ

ଶିଶୁ ନିର୍ଯ୍ୟାତନାରେ ଦଣ୍ଡ ହାର ନଗଣ୍ୟ

ଭୁବନେଶ୍ୱର : ଶିଶୁଙ୍କ ବିରୁଦ୍ଧରେ ହିଂସା ସଂକ୍ରାନ୍ତୀୟ ଯେତିକି ମାମଲା ରାଜ୍ୟରେ ରୁଜୁ ହେଉଛି ସେହି ଅନୁପାତରେ ଦଣ୍ଡ ପରିମାଣ ଅତି ନଗଣ୍ୟ ରହୁଛି । ସବୁ ମାମଲାରେ ଚାର୍ଜସିଟ୍‍ ବି ଦାଖଲ ହୋଇପାରୁ ନାହିଁ ।

ଶିଶୁ ହିଂସା ନେଇ କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡିଛି ଯେ ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୧୭୫ ଜଣ ଦଣ୍ଡିତ ହୋଇଛନ୍ତି । ଏହି ସୂଚନା ଅନୁଯାୟୀ ୨୦୧୯ ମସିହା ୭୦୧୨ଟି ମାମଲା ରୁଜୁ ହୋଇଥିବାବେଳେ ୨୭୮୭ଟିରେ ଚାର୍ଜସିଟ୍‍ ଦାଖଲ ହୋଇଥିଲା । ୫୦ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିବାବେଳେ ୫୧ଜଣ ଦଣ୍ଡିତ ହୋଇଥିଲେ ।

ତେବେ ୨୦୨୦ ମସିହାରେ ମାମଲା ସଂଖ୍ୟା ୬୩୩୦କୁ ହ୍ରାସ ପାଇଥିଲା । ତେବେ ଏହିବର୍ଷ ୩୨୨୬ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୪୦୯୫ଜଣ ଗିରଫ ହୋଇଥିଲେ । କିନ୍ତୁ ମାତ୍ର ୫୪ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇ ପାରିଥିବାବେଳେ ୫୬ଜଣ ଦଣ୍ଡିତ ହୋଇଥିଲେ । ୨୦୨୧ରେ କିନ୍ତୁ ମାମଲା ସଂଖ୍ୟା ୭୮୯୯ରେ ପହଞ୍ଚିଥିଲା । ଉକ୍ତ ବର୍ଷରେ ୪୦୭୩ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ମାତ୍ର ୬୫ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲା ଏବଂ ୬୮ଜଣ ଦଣ୍ଡିତ ହୋଇଥିଲେ ।

ଶିଶୁ ହିଂସା ରୋକିବାପାଇଁ ରାଜ୍ୟ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏତେ ସଂଖ୍ୟାରେ ମାମଲା ରୁଜୁ ହେବା ଓ ଦଣ୍ଡ ବିଧାନ ହାର ଅତି ନଗଣ୍ୟ ରହିବା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆଇନ୍‍ରେ ଥିବା ହୁଗୁଳା ବାଟ ଦେଇ ଶିଶୁ ହିଂସାକାରୀମାନେ ସହଜରେ ଖସିଯାଉଥିବା କୁହାଯାଉଛି ।

କେବଳ ଶିଶୁ ହିଂସା ନୁହେଁ, ଶିଶୁ ଯୌନ ନିର୍ଯ୍ୟତନା ଘଟଣାରେ ପୋସ୍‍କୋ ଆଇନ୍‍ ଅନୁଯାୟୀ ରୁଜୁ ହେଉଥିବା ମାମଲାରେ ବି ଦଣ୍ଡବିଧାନ ହାର ନଗଣ୍ୟ ରହିଛି । ୨୦୧୯ ମସିହାରେ ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ପୋସ୍‍କୋ ଆଇନ୍‍ ଆଧାରରେ ୨୦୩୬ଟି ମାମଲାରେ ରୁଜୁ ହୋଇଥିବାବେଳେ ଦଣ୍ଡିତ ହୋଇଥିଲେ ମାତ୍ର ୩୩ଜଣ । ତେବେ ଏହିସବୁ ମାମଲାରେ ୧୭୭୯ଟି ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୨୧୨୪ ଜଣ ଗିରଫ ହୋଇଥିଲେ ।

୨୦୨୦ ମସିହାରେ ୨୨୦୨ ଟି ପୋସ୍‍କୋ ମାମଲା ରୁଜୁ ହୋଇଥିବାବେଳେ ୩୭ଜଣ ଦଣ୍ଡିତ ହୋଇଥିଲେ । ଏହି ବର୍ଷ ୨୦୮୬ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୩୫ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲା ।

୨୦୨୧ରେ ପୋସ୍‍କୋ ମାମଲା ସଂଖ୍ୟା ୨୪୯୮ଟି ମାମଲା ରୁଜୁ ହୋଇଥିବାବେଳେ ୫୭ଜଣ ଦଣ୍ଡିତ ହୋଇଥିଲେ । ତେବେ ଏହିବର୍ଷ ୨୩୬୦ଟି ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଥିବାବେଳେ ୫୬ଟି ମାମଲାରେ ଦୋଷ ସାବ୍ୟସ୍ତ ହୋଇପାରିଥିଲା ।

ପୋସ୍‍କୋ ଭଳି ଆଇନ୍‍ ଆଧାରରେ ରୁଜୁ ହେଉଥିବା ମାମଲାରେ ଅପରାଧିମାନେ କିଭଳି ଏତେ କମ୍‍ ପରିମାଣରେ ଦଣ୍ଡ ପାଉଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବାବେଳେ ଲୋକଲଜ୍ଜା ଓ ଅନ୍ୟାନ୍ୟ କାରଣରୁ ଅଦାଲତରେ ନିର୍ଯ୍ୟାତନା ପ୍ରମାଣିତ ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅପରାଧ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)