ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ସେହି ଯୁବକ ଜଣକ ହେଉଛନ୍ତି ବେଶ୍ ଜଣାଶୁଣା ଜଗତସିଂହପୁରର ସିଲୁ ନାୟକ ଓରଫ୍ ନାୟକ ସାର୍, ଯାହାଙ୍କ ଠାରୁ ଅନେକ ଯୁବକ ଟ୍ରେନିଂ ପାଇଁ ସେନାରେ ଭର୍ତ୍ତି ହୋଇଛନ୍ତି । ସେନାରେ ସାମିଲ ହେବାକୁ ନାୟକ ସାର୍ ଯୁବକମାନଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି ।
ମୋଦି କହିଛନ୍ତି ଯେ ଅରଖକୂଦରେ ଜଣେ ନାୟକ ସାର୍ ଅଛନ୍ତି । ତାଙ୍କର ପୂରା ନାମ ସିଲୁ ନାୟକ । କିନ୍ତୁ ସମସ୍ତେ ତାଙ୍କୁ ନାୟକ ସାର୍ ବୋଲି ସମ୍ବୋଧନ କରନ୍ତି । ଯେଉଁମାନେ ସେନାରେ ସାମିଲ ହେବାକୁ ଯାଉଛନ୍ତି, ସେମାନଙ୍କୁ ସେ ମାଗଣାରେ ଟ୍ରେନିଂ ଦେଉଛନ୍ତି । ନାୟକ ସାରଙ୍କ ପ୍ରଶିକ୍ଷଣ କେନ୍ଦ୍ରର ନାଁ ହେଉଛି ମାହାଗୁରୁ ବାଟାଲିୟନ୍ । ଏଥିରେ ଫିଜିକାଲ୍ ଫିଟନେସ୍ ଠାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଓ ରିଟିନ୍ ଟେଷ୍ଟ୍ ଆଦି ଅଭ୍ୟାସ କରାଯାଉଛି ।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ସିଲୁ ନାୟକଙ୍କ ଠାରୁ ତାଲିମ ପାଇ ଅନେକ ଯୁବକ ସ୍ଥଳ, ଜଳ ଓ ନୌସେନା ସହ ଅର୍ଦ୍ଧସାମରିକ ବାହିନୀ ତଥା ପୁଲିସରେ ଯୋଗ ଦେଇଛନ୍ତି । ଖୋଦ୍ ସିଲୁ ନାୟକ ଓଡ଼ିଶା ପୁଲିସରେ ଭର୍ତ୍ତି ହେବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସେ ସେଥିରେ ସଫଳ ହେଲେ ନାହିଁ । ଏହା ସତ୍ତ୍ୱେ ସେ ନିଜ ପ୍ରଶିକ୍ଷଣ ଦମରେ ଅନେକ ଯୁବକଙ୍କୁ ଦେଶର ସେବା କରିବା ପାଇଁ ପ୍ରସ୍ତୁତ କରିଛନ୍ତି । ନାୟକ ସାର ଆଗାମୀ ଦିନରେ ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରିବା ନେଇ ଆମେ ତାଙ୍କୁ ଶୁଭକାମନା ଜଣାଇବା ।
ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ୨୦୧୬ ମସିହାରେ ଓଆଇଏସଏଫରେ ଚାକିରି ପାଇଥିବା ସିଲୁ ନାୟକ ଯୁବକମାନଙ୍କ ପାଇଁ କିଛି କରିବା ଲକ୍ଷ୍ୟରେ ରାଉରକେଲା ଠାରେ ଟ୍ରେନଂ ଚାଲିଥିବା ବେଳେ ଅଧାରୁ ଚାଲିଆସି ଏହି ବାଟାଲିଅନ ପ୍ରତିଷ୍ଠା କରିଥିଲେ ।
ମାତ୍ର ୨୩ ବର୍ଷ ବୟସରଙ୍କ ସେ ଓଆଇଏସଏଫରେ ନିଯୁକ୍ତି ପାଇ ରାଉରକେଲାରେ ଟ୍ରେନିଂ ନେଇଥିଲେ । ତେବେ ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ ପାଶ୍ୱର୍ରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ । ୫ ବର୍ଷ ଧରି ସକାଳେ ଓ ଅପରାହ୍ଣରେ ବିନାମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଲମ୍ବଦୌଡ ପ୍ରଭୃତି ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ ।
କେବଳ ଏତିକି ନୁହେଁ, ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏଠାରେ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି ସିଲୁ । ସାଧାରଣ ଜ୍ଞାନ, ଏରିଥମେଟିକ୍ ପ୍ରଭୃତି ଶିକ୍ଷା ଦିଆଯାଉଛି ଏହି ବାଟାଲିଅନ ଗୃହରେ । ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଏବେ ଭାରତୀୟ ସେନା, ଓଡିଶା ପୁଲିସ ଏବଂ ଅନ୍ୟ ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଛନ୍ତି ।