Home Election ମନ୍ତ୍ରୀ ଦୌଡ ଆରମ୍ଭ

ମନ୍ତ୍ରୀ ଦୌଡ ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ମତଗ୍ରହଣ ଜାରି ରହିଥିବାବେଳେ ଫଳାଫଳ ପ୍ରକାଶ ପାଇବ ଜୁନ୍‍ ୪ତାରିଖରେ । ତେବେ ଏହା ପୂର୍ବରୁ କେଉଁ ଦଳର କିଏ ମନ୍ତ୍ରୀ ହେବେ ସେଥିଘେନି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମର୍ଥକମାନେ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ମତଗ୍ରହଣ ପୂର୍ବରୁ ବିଜେପି ଓ ବିଜେଡି ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ତାରିଖ ଘୋଷଣା କରିସାରିଛନ୍ତି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ କଂଗ୍ରେସ ବି ତାହାର ଆସନ ସଂଖ୍ୟା ୯ ରୁ ୯୦କୁ ବଢାଇ ଓଡିଶାରେ ସରକାର ଗଢିବ ବୋଲି କହିଆସୁଛି । ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ କରି ବିଜେପି ସରକାର ଜୁନ୍‍ ୧୦ତାରିଖରେ ଓଡିଶାରେ ଗଢାଯିବ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ୬ତାରିଖରେ ପ୍ରକାଶ ପାଇବ ବୋଲି କହିବାସହ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଜେପି ସରକାରର ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଯାଇଛନ୍ତି ।

ଅନ୍ୟ ପକ୍ଷରେ ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ ଭି.କାର୍ତ୍ତିକେୟନ ପାଣ୍ଡିଆନ ଘୋଷଣା କରିସାରିଛନ୍ତି ଯେ ଜୁନ୍‍ ୯ତାରିଖରେ ଓଡିଶାରେ ପୁଣି ବିଜେଡି ସରକାର ଗଢାଯିବ ଏବଂ ନବୀନ ପଟ୍ଟନାୟକ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । କଂଗ୍ରେସର କେତେକ ନେତା ପୂର୍ବରୁ କହୁଥିଲେ ଯେ ଓଡିଶାରେ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଢାଯିବ ବୋଲି ।

ବିଜେଡି ପକ୍ଷରୁ ବାରମ୍ବାର ବିଜେପିକୁ ତାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ଆହ୍ୱାନ ଦିଆଯାଉଛି । ତେବେ ବିଜେପି ନେତାମାନେ କହୁଛନ୍ତି ଯେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଦଳର କିଏ ମୁଖ୍ୟମନ୍ତ୍ରୀ ହେବେ ସେକଥା କେନ୍ଦ୍ରୀୟ ନେତୃତ୍ୱ ଓ ବିଧାୟକମାନେ ସ୍ଥିର କରିବେ । ତେବେ ରାଜ୍ୟର ବିଭିନ୍ନ ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦିତା କରୁଥିବା ଚାରି ଜଣ ବିଜେପି ନେତାଙ୍କ ସମେତ ରାଜ୍ୟ ସଭାପତି ଓ ଆଉ କେତେକଙ୍କ ନାମ ମଧ୍ୟ ସେମାନଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି । ଦଳର ଆଉଗୋଟିଏ ମହଲ ମତ ଦେଉଛନ୍ତି ଯେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ।

ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ବିଜେଡିରେ କୌଣସି ଦ୍ୱନ୍ଦ ନଥିବାବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳୁନାହିଁ । ଅନ୍ୟ ପକ୍ଷରେ ଏହି ତିନି ଦଳରୁ ବିଧାନସଭା ନିର୍ବାଚନ ଲଢୁଥିବା ଅନେକ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ ନବାଗତ ପ୍ରାର୍ଥୀ ମନ୍ତ୍ରୀ ହେବେ ବୋଲି ସେମାନଙ୍କ ସମର୍ଥକମାନେ ବୁଲି ବୁଲି କହୁଛନ୍ତି । ଯେଉଁ ନେତାମାନଙ୍କ ନାମ ମନ୍ତ୍ରୀ ପଦବୀ ପାଇଁ ଚର୍ଚ୍ଚାରେ ରହୁଛି ସେମାନଙ୍କ ମଧ୍ୟରୁ କେତେକଙ୍କ ବିଧାନସଭା ନିର୍ବାଚନ ଜିଣିବା ଘେନି ମଧ୍ୟ ପ୍ରଶ୍ନବାଚୀ ରହିଛି ।

ଅତୀତରେ ଅବଶ୍ୟ କେତେକ ନିର୍ବାଚନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିର୍ବାଚନ ସମୟରୁ ଚର୍ଚ୍ଚାରେ ରହୁଥିଲା । ୧୯୬୧ ଓ ୧୯୯୦ ନିର୍ବାଚନବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଲୋକଙ୍କ ମଧ୍ୟରେ ସ୍ପଷ୍ଟ ଧାରଣା ଥିବାବେଳେ ୧୯୭୪ ନିର୍ବାଚନରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାରବେଳେ ବି କୁହାଯାଉଥିଲା । ଅଶୀ ଓ ନବେ ଦଶକରେ ନିର୍ବାଚନ ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାରେ ରହୁଥିଲା । ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଓ ବର୍ତ୍ତମାନର ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିର କେବଳ ଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଆସିଛି, ସେ ହେଉଛନ୍ତି ନବୀନ ପଟ୍ଟନାୟକ । ତେବେ ବିଜେପି ନେତାମାନେ କହୁଛନ୍ତି ଯେ ଏଥର କୁଆଡେ ତାଙ୍କ ଦଳ ସପକ୍ଷରେ ପ୍ରବଳ ହାୱା ଥିବାରୁ ଓଡିଶାରେ ତାଙ୍କ ଦଳ ସରକାର ଗଢିବା ଥୟ । (ତଥ୍ୟ)