ଭୁବନେଶ୍ୱର : ପନିପରିବା, ସଉଦା ଓ ଦୁଗ୍ଧ ଆଣିବାପାଇଁ ଗାଡିରେ ଗଲେ ବୟସ୍କ ନାଗରିକମାନଙ୍କୁ ବି ପୁଲିସ୍ ନାକେଦମ କରୁଛି । ଅଥଚ ମଦଦୋକାନ ଆଗରେ ଗାଡିମୋଟରର ଲମ୍ବା ଧାଡି ଲାଗିବା ସହ ଆବାସିକ ଅଞ୍ଚଳରେ ରାସ୍ତାକଡରେ ଖୋଲାଖୋଲି ମଦ୍ୟପାନ କରୁଥିବା ଲୋକଙ୍କୁ କିନ୍ତୁ ପୁଲିସ୍ ଦେଖି ନଦେଖିଲା ପରି ଚାଲିଯାଉଛି । ଏଭଳି ଘଟଣା କେୟାର ହସ୍ପିଟାଲ ଠାରୁ ଉତ୍କଳ ହସ୍ପିଟାଲ ଓ ବୁଦ୍ଧପାର୍କ ରାସ୍ତାକଡରେ ଗତ କିଛିଦିନ ଧରି ଲକଡାଉନ୍ ଓ ସଟ୍ଡାଉନବେଳେ ନିୟମିତ ଚାଲୁଛି ।
ଲୁମ୍ବିନୀବିହାର, ନୀଳାଦ୍ରୀବିହାର, ପ୍ରାଚୀ ଏନ୍କ୍ଲେଭ ଓ ଆଖପାଖରେ ଥିବା ବସ୍ତିର ଲୋକମାନେ ଗତ କିଛିଦିନ ଧରି ମଦୁଆମାନଙ୍କ ଉତ୍ପାତରେ କରୋନା କାଳରେ ହନ୍ତସନ୍ତ ହେଉଥିବାବେଳେ ମଦୁଆଙ୍କ ପ୍ରତି ପୁଲିସ୍ର ଅହେତୁକ ସହାନୁଭୂତି ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ଗତ କିଛିଦିନ ଧରି ନୀଳାଦ୍ରୀବିହାର ଅଞ୍ଚଳରେ ଥିବା ମଦଦୋକାନଟି ବନ୍ଦ ରହିଥିଲା । ଏବେ କରୋନାର ଦ୍ୱିତୀୟ ଲହର ଲକଡାଉନ୍ବେଳେ ତାହା ଖୋଲିଛି । କେୟାର ହସ୍ପିଟାଲ ଠାରୁ ମାତ୍ର ୫୦ମିଟର ଦୂରରେ ମୁଖ୍ୟ ରାସ୍ତାଉପରେ ମଦ ଦୋକାନଟି ପୁଣି ତାହାର ବେପାର ଆରମ୍ଭ କରିଛି । ଏଠାରୁ ମଦ ନେବାଲାଗି ବିଭିନ୍ନ ଅଞ୍ଚଳରୁ ଅନେକ ଗାଡିମୋଟର ଜମୁଛି । ଅବସ୍ଥା ଏଭଳି ହୋଇଛି ଯେ ମଦଦୋକାନ ସାମ୍ନାରେ ଥିବା ଫୁଟ୍ଫାଥ୍ ଉପରେ ଚାଲି ହେଉନାହିଁ । ଏମିତିକି ରାସ୍ତାରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ଯାନବାହାନ ଯାତାୟତ କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜୁଛି । ଏଥିଘେନି ଆଖପାଖର ଲୋକମାନେ ପୁଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହି ମଦଦୋକାନ ଠାରୁ ଅଳ୍ପ ଦୂରରେ ନନ୍ଦିଘୋଷ ଟିଭି, କେନ୍ଦ୍ରୀୟ ବିଦ୍ୟାଳୟ, ଧର୍ମାନୁଷ୍ଠାନ, ଡାକ୍ତରଖାନା, ଛାତ୍ରୀନିବାସ ଆଦି ରହିଛି । ଏବେ ମଦୁଆମାନେ ଓମଫେଡ୍ ଛକଠାରୁ ଲୁମ୍ବିନୀବିହାର ଦେଇ ଉତ୍କଳ ହସ୍ପିଟାଲ ଆଡକୁ ଯାଇଥିବା ପ୍ରଶସ୍ତ ରାସ୍ତା ଏବଂ ଲୁମ୍ବିନୀବିହାରରୁ ନିଳାଦ୍ରୀବିହାର ଆଡେ ବୁଦ୍ଧପାର୍କ କଡେ କଡେ ରାସ୍ତା, କେନ୍ଦ୍ରୀୟ ବିଦ୍ୟାଳୟ ପାଚେରୀ କଡରେ ଯାଇଥିବା ରାସ୍ତା ଆଦିକୁ ଏମାନଙ୍କ ମୁକ୍ତାକାଶ ପାନଶାଳାରେ ପରିଣତ କରିଛନ୍ତି ।
ନିକଟରେ ଥିବା ଦୁଗ୍ଧ, ପନିପରିବା, ଫଳ, ସଉଦା ଓ ଔଷଧ ଦୋକାନ ଆଦିକୁ ବୟସ୍କ ନାଗରିଟିଏ ଗାଡିଧରି ଗଲେ ଲକଡାଉନର ନିୟମ ଦେଖାଇ ପୁଲିସ୍ ସେମାନଙ୍କ ଠାରୁ ଜୋରିମାନା ଆଦାୟ ସହିତ ତାଗିଦ କରୁଛି । ଏମିତିକି ବେଳେବେଳେ ଗାଡି ଉଠାଇ ନେଉଛି । ଅଥଚ ମଦଦୋକାନ ଆଗରେ ହେଉଥିବା ଅସମ୍ଭବ ଗହଳି ଓ ଆଖପାଖ ଅଞ୍ଚଳରେ ମଦୁଆମାନଙ୍କ ଦୌରାତ୍ମ୍ୟ ଦେଖି ନଦେଖିବା ଭଳି ପିସିଆର ଗାଡିଗୁଡିକ କିନ୍ତୁ ଚାଲି ଯାଉଛନ୍ତି ।
ଲୋକେ ଅଭିଯୋଗ କରୁଛନ୍ତି ଏଠି ସତେ ଯେମିତି ପୁଲିସ୍ର ନିରାପତ୍ତାରେ ମଦ୍ୟପାନ ଚାଲୁଛି । ମଦଦୋକାନ ଖୋଲିବା ପରଠାରୁ ଲକ୍ଡାଉନ ସତ୍ୱେ ବି ଏହି ଅଞ୍ଚଳରେ ଢେର ଅଧିକ ସଂଖ୍ୟକ ଗାଡିମୋଟର ଚଳାଚଳ କରିବା ଏବଂ ବିଭିନ୍ନ ସ୍ଥାନରେ ସକାଳୁ ରାତି ପର୍ଯ୍ୟନ୍ତ ପାର୍କିଂ କରି ମଦ ଆଡ୍ଡାଜମାଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)