Home Agriculture ମଣ୍ଡିରେ ସିସିଟିଭି ଅଧାପନ୍ତରିଆ

ମଣ୍ଡିରେ ସିସିଟିଭି ଅଧାପନ୍ତରିଆ

ଭୁବନେଶ୍ୱର : ଧାନ କିଣାରେ ସ୍ୱଚ୍ଛତା ଲାଗି ଧାନମଣ୍ଡିଗୁଡିକରେ ସିସିଟିଭି ଲଗାଇବା ଯୋଜନା ଏବେ ଅଧାପନ୍ତରିଆ । ଏପରିକି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମଣ୍ଡି ପିଛା ଗୋଟିଏ କରି ସିସିଟିଭି ଲାଗି ପାରିନାହିଁ । ଚଳିତ ଖରିଫରେ ରାଜ୍ୟରେ ୩୪୫୭ଟି ଧାନମଣ୍ଡି ସ୍ଥାପନ ହୋଇଥିବାବେଳେ ଏଥିରେ ମାତ୍ର ୧୬୬୩ଟି ସିଟିଟିଭି ଲାଗି ପାରିଛି ।

ଧାନ କିଣାରେ ହେଉଥିବା ବିଭ୍ରାଟ ବିଶେଷକରି କଟ୍‍ନି ଛଟ୍‍ନି ସମେତ ମାପ ଓଜନରେ ଠକେଇକୁ ରୋକିବାପାଇଁ ଧାନମଣ୍ଡିଗୁଡିକରେ ସିସିଟିଭି ଲଗାଇବା ଉପରେ ଜୋର ଦିଆଯାଇଥିଲା । ଏପରିକି ଏହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିଲା । କର୍ତ୍ତୃପକ୍ଷ ମଧ୍ୟ ସିସିଟିଭି ସ୍ଥାପନ ଉପରେ ଜୋର ଦେଇଥିଲେ । ହେଲେ ସର୍ବଶେଷ ସୂଚନା ଅନୁଯାୟୀ ମଣ୍ଡିଗୁଡିକରେ ମାତ୍ର ୧୬୬୩ଟି ସିସିଟିଭି ଖଞ୍ଜାଯାଇ ପାରିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଗତ୍‍ସିଂହପୁର ଜିଲ୍ଲାରେ ୧୦୫ଟି ମଣ୍ଡି ଥିବାବେଳେ ଏଠାରେ ଗୋଟିଏ ହେଲେ ମଣ୍ଡିରେ ସିସିଟିଭି ଲାଗିପାରି ନଥିବାବେଳେ କନ୍ଧମାଳ ଜିଲ୍ଲାରେ ୨୨ଟି ମଣ୍ଡିରେ ଗୋଟିଏ, ନୂଆପଡା ଜିଲ୍ଲାରେ ୬୧ଟି ମଣ୍ଡିରେ ୪ଟି, ଅନୁଗୁଳ ଜିଲ୍ଲାରେ ୯୫ଟି ମଣ୍ଡିରେ ୫ଟି ଓ ଗଜପତି ଜିଲ୍ଲାରେ ୪୫ଟି ମଣ୍ଡିରେ ୭ଟି ସିସିଟିଭି କ୍ୟାମେରା ଲଗାଯାଇ ପାରିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୫ଟି ମଣ୍ଡି ଥିବାବେଳେ ଏଠାରେ ୧୦୫ଟି ସିସିଟିଭି ଖଞ୍ଜାଯାଇଛି । ତେବେ ସବୁଠାରୁ ଅଧିକ ୧୧୯ଟି ସିସିଟିଭି ଖଞ୍ଜା ଯାଇଥିବା ଖୋରଧା ଜିଲ୍ଲାରେ ୧୫୪ଟି ଧାନମଣ୍ଡି ରହିଥିବା ଜଣାଯାଇଛି ।

ତେବେ ଧାନମଣ୍ଡି ଠାରୁ ତିନି ଗୁଣରୁ ଅଧିକ ଇଲେକଟ୍ରୋନିକ ଧାନ ଓଜନ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୪୫୭ ଧାନମଣ୍ଡି ପାଇଁ କର୍ତ୍ତୃପକ୍ଷ ଏଭଳି ୧୧,୬୫୯ଟି ଓଜନ ଯନ୍ତ୍ର ଯାଗାଇଦିଆଯାଇଛି । ସର୍ବାଧିକ ୧୫୨୪ଟି ଓଜନ ଯନ୍ତ୍ର କଳାହାଣ୍ଡି ଜିଲ୍ଲାକୁ ଦିଆଯାଇଛି । ଏହି ଜିଲ୍ଲାରେ ଧାନମଣ୍ଡି ସଂଖ୍ୟା ୧୮୦ ରହିଛି ।

ସେହିଭଳି ରାଜ୍ୟର ୩୪୬୭ ଧାନମଣ୍ଡି ମଧ୍ୟରୁ ୩୩୧୧ରେ ସ୍ଥାୟୀ କିମ୍ବା ଅସ୍ଥାୟୀ ବିଶ୍ରାମ କକ୍ଷ ରହିଥିବାବେଳେ ୩୩୪୩ଟି ମଣ୍ଡିରେ ପାନୀୟ ଜଳ ବ୍ୟବସ୍ଥା ରହିଛିା ୨୪୮୯ ମଣ୍ଡିରେ ଶୌଚାଳୟ ବ୍ୟବସ୍ଥା ଥିବାବେଳେ ଧାନ ରଖିବାପାଇଁ ୧୦୮୨ଟିରେ ପିଣ୍ଡି ବ୍ୟବସ୍ଥା ରହିଛି । ୧୮୩୭ ଟି ମଣ୍ଡିରେ ଗୋଦାମଘର ବ୍ୟବସ୍ଥା ରହିଛି ।

ତେବେ ଚାଷୀମାନେ ମଣ୍ଡିକୁ ଆସି ନିଜ ଧାନକୁ ରଖିବା ସହିତ ନିଜେ ରହିବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସହିତ ଧାନର ଓଜନ ଏବଂ ମାନକୁ ନେଇ ହେଉଥିବା ହେରଫେରକୁ ରୋକିବାପାଇଁ ଦୀର୍ଘଦିନରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବାକୁ ଦାବିହୋଇ ଆସୁଥିଲା । ତେବେ ଯେଉଁ ସଂଖ୍ୟାରେ ସିସିଟିଭି ଖଞ୍ଜାଯାଇଛି ସେଥିରୁ ଏହା ଏକ ପ୍ରକାର ଅଧାପନ୍ତରିଆ ଅବସ୍ଥା ଥିବା ଜଳ ଜଳ ଦିଶୁଛି । (ତଥ୍ୟ)