Home Agriculture ପାରମ୍ପରିକ ଗୋପାଳନ ହ୍ରାସ ପାଉଛି

ପାରମ୍ପରିକ ଗୋପାଳନ ହ୍ରାସ ପାଉଛି

ଭୁବନେଶ୍ୱର : ରାଜ୍ୟରେ ପାରମ୍ପରିକ ଗୋପାଳନ ହ୍ରାସ ପାଉଥିବାବେଳେ ଶଙ୍କରଜାତୀୟ ଗୋପାଳନ ବୃଦ୍ଧି ପାଉଛି । ରାଜ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ପାରମ୍ପରିକ ଗୋପାଳନ ହ୍ରାସ ପାଉଥିଲେ ମଧ୍ୟ ଶଙ୍କର ଜାତୀୟ ତଥା ଉନ୍ନତି ପ୍ରଜାତିର ଗୋପାଳନର ଚାହିଦା ବୃଦ୍ଧି ପାଇଛି । ଯାହା ଫଳରେ ରାଜ୍ୟରେ ୨୦୧୨-୧୩ ମସିହାରେ ୧୭.୮୩.୯୯ହଜାର ମେଟ୍ରିକ ଟନ୍‍ ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୨୪୭୬.୨୨ ହଜାର ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଛି ।

ମନ୍ତ୍ରୀ କହିଛନ୍ତି ଯେ ୨୦ତମ ପ୍ରାଣୀଧନ ଗଣନା ଅନୁଯାୟୀ ଆମ ରାଜ୍ୟରେ ଗାଈମାନଙ୍କ ସଂଖ୍ୟା ୯୯ଲକ୍ଷ ୩ହଜାର ୯୭୦ ଥିବାବେଳେ ମଇଁଷିଙ୍କ ସଂଖ୍ୟା ୪ଲକ୍ଷ ୫୮ହଜାର ୩୨୪, ଛେଳିଙ୍କ ସଂଖ୍ୟା ୬୩ଲକ୍ଷ ୯୩ହଜାର ୪୫୨ ଏବଂ ମେଣ୍ଢାଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୧୪୯ ରହିଛି ।

ମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍‍ ଦ୍ୱାରା କଟକ ଦୁଗ୍ଧ ସଂଘ ମାଧ୍ୟମରେ ଯାଜପୁର ଜିଲ୍ଲାର ୨୨ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ଗଠନ କରି ବିଞ୍ଝାରପୁରୀ ଗାଈ ଠାରୁ ଏ୨ ଦୁଗ୍ଧ ସଂଗ୍ରହ କରାଯାଉଛି । ବର୍ତ୍ତମାନ ଏଭଳି ଦୈନିକ ୯୦୦ ଲିଟର କ୍ଷୀର ସଂଗ୍ରହ ହେଉଥିବାବେଳେ ତାହାକୁ ଓମଫେଡ୍‍ ଦ୍ୱାରା ପ୍ରକ୍ରିୟାକରଣ କରାଯାଇ ଏ୨ ସୁବାସିତ ଦୁଗ୍ଧ ଓ ଏ୨ ଦୁଗ୍ଧ ବୋତଲରେ ଭର୍ତ୍ତିକରି ଖାଉଟିମାନଙ୍କୁ ବିକ୍ରି କରାଯାଉଛି । ଆଗାମୀ ଦିନରେ ଆଉ ୧୮ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ଗଠନ କରି ଦୈନିକ ୧୬୦୦ ଲିଯର ଦୁଗ୍ଧ ସଂଗ୍ରହ କରିବାକର ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)