Home News in Odia ଭୂତଳ ଜଳ ଉତ୍ତୋଳନ ବଢୁଛି

ଭୂତଳ ଜଳ ଉତ୍ତୋଳନ ବଢୁଛି

ଭୁବନେଶ୍ୱର : ରାଜ୍ୟରେ ଭୂତଳ ଜଳର ପରିମାଣ ଯଦିଓ ହ୍ରାସ ପାଉନାହିଁ ତଥାପି ବିଭିନ୍ନ କ୍ଷେତ୍ରରେ ଭୂତଳ ଜଳ ଉତ୍ତୋଳନ ବଢିବାରେ ଲାଗିଛି । ଉଠାଜଳସେଚନ ଠାରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କର ମାଟିତଳୁ ଜଳ ଟାଣିବାର ପରିମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

ଉଠାଜଳସେଚନ ପାଇଁ ସର୍ବାଧିକ ଭୂତଳ ଜଳ ବ୍ୟବହାର ହେଉଛି । ୨୦୧୭ ମସିହାରେ ଏଥିପାଇଁ ୫.୨୮ ବିଲିୟନ କ୍ୟୁବିକ ମିଟର (ବିସିଏମ୍‍) ଜଳ ଉତ୍ତୋଳନ ହୋଇଥିବାବେଳେ ୨୦୨୦ ରେ ତାହା ୫.୫ ବିସିଏମ୍‍କୁ ବଢିଥିଲା ଏବଂ ୨୦୨୨ରେ ତାହା ୫.୮୩ ବିସିଏମ୍‍ରେ ପହଞ୍ଚିଛି । ଘରୋଇ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଜଳ ଉତ୍ତୋଳନ ବଢିବାରେ ଲାଗିଛି । ୨୦୧୭ମସିହାରେ ଏ କ୍ଷେତ୍ର ପାଇଁ ୧.୧୫ ବିସିଏମ୍‍ ଜଳ ମାଟିତଳୁ ଉତ୍ତୋଳନ ହୋଇଥିବାବେଳେ ୨୦୨୦ରେ ତାହା ୧.୨୧ ବିସିଏମ୍‍ ଏବଂ ୨୦୨୨ରେ ୧.୨୪ ବିସିଏମ୍‍ରେ ପହଞ୍ଚିଥିଲା ।

ତେବେ ଏହି ଦୁଇ କ୍ଷେତ୍ର ଅପେକ୍ଷା ଶିଳ୍ପସଂସ୍ଥାଗୁଡିକ ପାଇଁ ଭୂତଳ ଜଳ ଉତ୍ତୋଳନ କମ୍‍ ରହିଛି । ୨୦୧୭ ମସିହାରେ ଶିଳ୍ପସଂସ୍ଥା ପାଇଁ ୦.୧୪ ବିସିଏମ୍‍ ଜଳ ଉତ୍ତୋଳନ ହୋଇଥିବାବେଳେ ୨୦୨୦ ରେ ତାହା ୦.୧୫ ବିସିଏମ୍‍ ଏବଂ ୨୦୨୨ରେ ୦.୧୬ ବିସିଏମ୍‍ ରହିଥିଲା । ମୋଟାମୋଟି ଭାବେ ରାଜ୍ୟରେ ଭୂତଳ ଜଳ ଉତ୍ତୋଳନ ପରିମାଣ ୨୦୧୭ରେ ୬.୫୭ ବିସିଏମ୍‍ ଥିବାବେଳେ ୨୦୨୦ରେ ୬.୮୬ ଏବଂ ୨୦୨୨ରେ ୭.୨୩ ବିସିଏମ୍‍ ଥିବା ଆକଳନ କରାଯାଇଛି ।

ଯଦିଓ ଭୂତଳ ଜଳ ଉତ୍ତୋଳନ ପରିମାଣ ବଢିବାରେ ଲାଗିଛି, ତଥାପି ରାଜ୍ୟରେ ଭୂତଳ ଜଳ ପରିମାଣ ସାମାନ୍ୟ ବୃଦ୍ଧି ପାଇଥିବା ଆକଳନରୁ ଜଣାପଡିଛି । ୨୦୧୭ ରେ ରାଜ୍ୟରେ ୧୫.୫୭ ବିସିଏମ୍‍ ଭୂତଳ ଜଳ ଗଚ୍ଛିତ ଥିବା ଆକଳନ କରାଯାଇଥିବାବେଳେ ୨୦୨୨ରେ ତାହା ୧୬.୩୪ ବସିସିଏମ୍‍ ବୋଲି ଆକଳନ ହୋଇଛି । ତେଣୁ ଏହି ପାଞ୍ଚବର୍ଷ ମଧ୍ୟରେ ଭୂତଳ ଜଳ ପରିମାଣ ବୃଦ୍ଧି ପାଇଥିବା ସ୍ପଷ୍ଟ ହୋଇଛି ।

ତେବେ ରାଜ୍ୟର କେତେକ ଅଞ୍ଚଳ ବିଶେଷକରି ସହରାଞ୍ଚଳରେ ଆଖିବୁଜା ଭୂତଳ ଜଳ ଉତ୍ତୋଳନ ଯୋଗୁଁ ଏଥିରେ ତାରତମ୍ୟ ରହିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଗଢି ଉଠିଥିବା ସୁଉଚ୍ଚ ଆପାର୍ଟମେଣ୍ଟଗୁଡିକ ମନଇଚ୍ଛା ଭୂତଳ ଜଳ ଶୋଷଣ କରୁଥିବାରୁ କେତେ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏମାନେ କେବଳ ଭୂତଳ ଜଳ ଶୋଷଣ କରୁନାହାନ୍ତି, ଭୂତଳ ଜଳ ରିଚାର୍ଜ ପାଇଁ ନିୟମ ଅନୁଯାୟୀ ଆପାର୍ଟମେଣ୍ଟ ନିକଟରେ ବର୍ଷାଜଳ ଜଳ ଅମଳ ପ୍ରକଳ୍ପ ମଧ୍ୟ ତିଆରି କରୁନାହାନ୍ତି ।

ତେବେ ରାଜ୍ୟର କେତେକ ସ୍ଥାନରେ ଭୂତଳ ଜଳର ମାନ ଧାର୍ଯ୍ୟ ସୀମା ମଧ୍ୟରେ ରହୁନଥିବା ଜଣାଯାଇଛି । ଓଡିଶା ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡ କରିଥିବା ପରୀକ୍ଷାରୁ ଜଣ।।ଇଛି ଯେ ୨୦୨୨ରେ ୧୬ଟି ସ୍ଥାନରେ ଜଳରେ ପିଏଚ୍‍, ୬ଟି ସ୍ଥାନରେ ନାଇଟ୍ରେଟ, ଗୋଟିଏ ସ୍ଥାନରେ ଫ୍ଲୋରାଇଡ୍‍ ଉଦ୍ଦିଷ୍ଟ ପରିମାଣ ମଧ୍ୟରେ ନାହିଁ । ସେହିଭଳି ୨୦୨୩ରେ ୯୦ଟି ସ୍ଥାନରେ ହୋଇଥିବା ପରୀକ୍ଷଣରୁ ଜଣାଯାଇଛି ଯେ ୧୭ଟି ସ୍ଥାନରେ ପିଏଚ୍‍, ୧୫ଟି ସ୍ଥାନରେ ନାଇଟ୍ରେଟ, ଗୋଟିଏ ସ୍ଥାନରେ ଫ୍ଲୋରାଇଡ୍‍ର ପରିମାଣ ଧାର୍ଯ୍ୟ ମାନ ମଧ୍ୟରେ ରହୁନାହିଁ । (ତଥ୍ୟ)