କଟକ : ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟ ସରକାର ସତ୍ୟପାଠ ସହ ହାଇକୋର୍ଟରେ ତଥ୍ୟ ପ୍ରଦାନ କରିପାରୁ ନଥିବାରୁ ଜଣେ ମେଧାବୀ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ତେବେ ହାଇକୋର୍ଟ ଏଥିଲାଗି ସରକାରଙ୍କୁ ପୁଣିଥରେ ସୁଯୋଗ ଦେଇ ୩ ସପ୍ତାହ ମଧ୍ୟରେ ଆବଶ୍ୟକ ପଡୁଥିବା ତଥ୍ୟ ସତ୍ୟପାଠ ସହ ଦାଖଲ କରିବାକୁ କହିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଅନୁସ୍ରବ ଗନ୍ତାୟତ ନାମକ ଅଣସଂରକ୍ଷିତ ବର୍ଗର ଜଣେ ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ । ସେ ପ୍ରିଲିମିନାରୀରେ ଢ଼େର୍ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଅନ୍ୟମାନଙ୍କ ସହ ଲିଖିତ ପରୀକ୍ଷା ଦେବାକୁ ସୁଯୋଗ ମିଳିଥିଲା । ଲିଖିତ ପରୀକ୍ଷାରେ ଆବଶ୍ୟକତାଠାରୁ ଅଧିକ ନମ୍ବର ରଖିବାରୁ ତାଙ୍କୁ ସାର୍ଟିଫିକେଟ୍ ତନଖି ପାଇଁ ଓଡ଼ିଶା ଲୋକସେବା ଆୟୋଗ ଡାକିଥିଲେ ଏବଂ ତାଙ୍କ ଭିନ୍ନକ୍ଷମ ଓ ଶିକ୍ଷାଗତ ସାର୍ଟିଫିକେଟ୍ଗୁଡିକ ଯାଞ୍ଚକରି ତାଙ୍କୁ ମୌଖିକ ପରୀକ୍ଷା ଲାଗି ଡକା ଯାଇଥିଲା ।
ଲିଖିତ ଓ ମୌଖିକ ପରୀକ୍ଷାରେ ଏହି ପ୍ରାର୍ଥୀ ୧୩୬୫ ନମ୍ବର ରଖିଥିବା ବେଳେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ପ୍ରାର୍ଥୀ ଓ ୧୦୬୫ ନମ୍ବର ରଖିଥିବା ଦୃଷ୍ଟିବାଧିତ ପ୍ରାର୍ଥୀଙ୍କ ସମେତ ୩୬ ଜଣଙ୍କୁ ୨୦୧୯ ଜୁନ୍ ମାସରେ ଓଏଏସ୍ ଚାକିରିରେ ନିଯୁକ୍ତି ଦିଆଯାଇଥିଲା । କେନ୍ଦ୍ରୀୟ ଆଇନ ଅନୁଯାୟୀ ୪୦ ପ୍ରତିଶତ ଓ ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ସରକାରୀ ଚାକିରିରେ ସଂରକ୍ଷଣ ପାଇବା ପାଇଁ ଯୋଗ୍ୟ ।
ଏହାଛଡା ଭିନ୍ନକ୍ଷମ ପ୍ରାର୍ଥୀ ନିଯୁକ୍ତି ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଅଧିକ ନମ୍ବର ରଖିଥିଲେ ତାଙ୍କୁ ଭିନ୍ନକ୍ଷମ ଭାବେ ନିଯୁକ୍ତି ନ ଦେଇ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ଦେବା କଥା । କିନ୍ତୁ ଅମଲାତାନ୍ତ୍ରିକ ତ୍ରୁଟି ଯୋଗୁଁ ଆୟୋଗ ଅନୁସ୍ରବଙ୍କ ପ୍ରାର୍ଥିତ୍ୱ ବେଆଇନ ଭାବେ ନାକଚ କରିଦେଇ ତାଙ୍କର ଭିନ୍ନକ୍ଷମତା ୪୦ ପ୍ରତିଶତ ଥିବା ଦର୍ଶାଇଥିଲେ ମଧ୍ୟ ଆଇନ ଅନୁଯାୟୀ ସେ କାହିଁକି ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ନ ପାଇବେ ସେଥିଘେନି ନିରବ ରହିଥିଲେ ।
ପ୍ରାର୍ଥିତ୍ୱ ନାକଚ ହେବା ପରେ ଏହି ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀ ସ୍ୟାଟର କଟକ ବେଞ୍ଚରେ ରୁଜୁ କରିଥିବା ମାମଲାର ଫଏସଲା କରି କେନ୍ଦ୍ରୀୟ ଆଇନ ଆଧାରରେ ଅନୁସ୍ରବଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିଚାର କରିବାକୁ ଆଦେଶ ଦେଇଥିଲେ ମଧ୍ୟ ଏକ ତ୍ରୁଟିପୂର୍ଣ୍ଣ ସଂକଳ୍ପ ଆଧାରରେ ତାଙ୍କ ପ୍ରାର୍ଥିପତ୍ର ନାକଚ କରାଯିବା ଯଥାର୍ଥ ବୋଲି କୁହାଯାଇଥିଲା । ତେବେ ଏହି ତ୍ରୁଟିପୂର୍ଣ୍ଣ ସଂକଳ୍ପକୁ ରାଜ୍ୟ ସରକାର ସଂଶୋଧନ କରିଥିଲେ ମଧ୍ୟ ଆୟୋଗ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ସେ ପୁଣି ଏକ ମାମଲା ଅନ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ପୂର୍ବରୁ ସ୍ୟାଟରେ ରୁଜୁ କରିଥିଲେ ।
ଏହି ମାମଲାରେ ଆୟୋଗ ଉତ୍ତର ଦାଖଲ କରିନଥିଲେ ଏବଂ ସମୟ ଗଡିଚାଲିବା ସହ ସ୍ୟାଟ୍ ଉଚ୍ଛେଦ ହେବାରୁ ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ହାଇକୋର୍ଟରୁ ଆଦେଶ ଆଣି ଏହି ମାମଲାକୁ ପ୍ରତ୍ୟାହାର କରିନେବା ସହ ନିଯୁକ୍ତି ଦିଆସରିଥିବାରୁ ପୁଣି ଏକ ରିଟ୍ ଆବେଦନ କରିବାକୁ ବାଧ୍ୟ ହୋଇଥିଲେ । ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜବାବରେ ସଂପୃକ୍ତ ଭିନ୍ନକ୍ଷମ ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରେ ନିଯୁକ୍ତି ପାଇବାକୁ ହକ୍ଦାର ବୋଲି ସ୍ୱୀକାର କରାଯାଇଛି ।
ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମଧ୍ୟ ଉକ୍ତ ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ତାଲିକାରେ ସାମିଲ କରିବାକୁ ବାରମ୍ବାର ଆୟୋଗଙ୍କୁ ଲେଖିଛନ୍ତି । ଇତିମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେତେଜଣ ଓଏଏସ୍ ଚାକିରିରୁ ଇସ୍ତଫା ଦେଇ ଅନ୍ୟ କେନ୍ଦ୍ରୀୟ ଚାକିରିକୁ ଯାଇଥିବାରୁ ସେହି ପଦବୀଗୁଡିକ ମଧ୍ୟ ଖାଲି ପଡିଛି ।
ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ଲାଗି ଅତିରିକ୍ତ ସରକାରୀ ଓକିଲ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ବି ଅଧାପନ୍ତରିଆ ବିବରଣୀ ଏକ ଚିଠିରେ ଦେଇ କର୍ତ୍ତୃପକ୍ଷ ଚୁପ୍ ହୋଇ ବସିଛନ୍ତି । ଅନ୍ୟତମ ବିଚାରପତି ସଞ୍ଜୟ କୁମାର ମିଶ୍ର ମାମଲାର ଶୁଣାଣିକରି ୩ ସପ୍ତାହ ମଧ୍ୟରେ ସତ୍ୟପାଠ ସହ ତଥ୍ୟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୩ ବର୍ଷ ଧରି ନ୍ୟାୟ ପାଇଁ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳର ଏହି ମେଧାବୀ ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ଭୁବନେଶ୍ୱର ଓ କଟକ ଧାଉଁଥିଲେ ବି ନ୍ୟାୟିକ ବ୍ୟବସ୍ଥା ଉପରେ ସେ ଦୃଢ଼ ବିଶ୍ୱାସ ରଖିଛନ୍ତି । (ତଥ୍ୟ)