Home General ଭିକାରୀ ଗଲେ କିନ୍ନର ଆସିଲେ

ଭିକାରୀ ଗଲେ କିନ୍ନର ଆସିଲେ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କର୍ତ୍ତୃପକ୍ଷ ‘ସହାୟ’ ଯୋଜନା ମାଧ୍ୟମରେ ରାଜରାସ୍ତାରୁ ଭିକାରୀମାନଙ୍କୁ ହଟାଇଥିବାବେଳେ ସେମାନଙ୍କ ସ୍ଥାନ ଏବେ କିନ୍ନରମାନେ ନେଇଛନ୍ତି । ସହରର ବିଭିନ୍ନ ଛକରେ ଏବେ ଏମାନେ ଖୋଲାଖୋଲି ଭାବେ ହାତ ପାତୁଛନ୍ତି ।

ରାଜଧାନୀର ଛକ ସ୍ଥାନଗୁଡିକରେ ଭିକାରୀମାନେ ଭିଡ ଜମାଇବା ପରେ ସେମାନଙ୍କୁ ହଟାଇବାପାଇଁ ବିଏମ୍‍ସି ସହାୟ ଯୋଜନା କାର୍ଯ୍ୟକାରୀ କରିଥିଲା । ତଦନୁଯାୟୀ ସହରର ବିଭିନ୍ନ ଛକରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ବିଏମ୍‍ସିର ସହାୟ କେନ୍ଦ୍ରରେ ରଖାଯିବା ସହିତ ସେଠାରେ ସେମାନଙ୍କୁ ଆତ୍ମନିର୍ଭର ତାଲିମ ଦିଆଯାଇଥିଲା । ଫଳରେ ଅନେକ ଭିକ୍ଷାବୃତ୍ତିକୁ ଛାଡିଥିଲେ । ତେବେ ଯେଉଁମାନେ ପୁର୍ନବାର ସେଠାରୁ ଆସି ଭିକ ମାଗୁଥିଲେ କର୍ତ୍ତୃପକ୍ଷ ପୁଲିସ୍‍ ସହାୟତାରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ତେବେ ରାସ୍ତାଘାଟରୁ ଭିକାରୀମାନେ ହଟିବା ପରେ ଏବେ କିନ୍ନରମାନେ ଉଭା ହୋଇଛନ୍ତି । ସହରର ଏବେ ପ୍ରାୟ ସବୁ ଛକରେ ରାତି ପାହିଲେ କିନ୍ନରମାନେ ହାଜିର ହେବା ସହିତ ଗାଡି ଚାଳକଙ୍କ ନିକଟରେ ହାତ ପାତୁଛନ୍ତି । ଗାଡି ରହିଲା ମାତ୍ରେ ହଠାତ୍‍ ଆଗକୁ ଚାଲି ଆସୁଛନ୍ତି । ପଇସା ମାଗିବାପାଇଁ କିନ୍ନରମାନେ ନିଜ ନିଜ ମଧ୍ୟରେ ଛକଗୁଡିକୁ ଏପରିକି ବିଭିନ୍ନ ଛକର ପାଶ୍ୱର୍କୁ ବାଣ୍ଟି ଦେଇଛନ୍ତି । ଜଣେ ଅନ୍ୟ ପଟକୁ ଯିବା ମନା ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ପୁଲିସ୍‍ କର୍ତ୍ତୃପକ୍ଷ ସହରର ରାସ୍ତାପାଶ୍ୱର୍ରୁ ଉଠାଦୋକାନୀ ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସ୍ଥାୟୀ ଦୋକାନୀମାନଙ୍କୁ ବନ୍ଦ ନିର୍ଦ୍ଦେଶ ଦେଇଥିବାବେଳେ କିନ୍ନରମାନଙ୍କ କିନ୍ତୁ ରାସ୍ତାରୁ ହଟାଇ ପାରିନଥିଲେ । ରାଜଭବନର ଅନତିଦୂରରେ ଥିବା ପାୱାରହାଉସ ଛକରେ ସେମାନେ ଖୋଲାଖୋଲି ଭାବେ ଲୋକଙ୍କ ନିକଟରେ ହାତ ପାତୁଥିବା ଦେଖିବାକୁ ମିଳିଥିଲା ।

ଉଲ୍ଲେଖନୀୟ ଯେ ପୂର୍ବରୁ ସହର ମଧ୍ୟରେ କିନ୍ନରମାନେ ପ୍ରବେଶ କରିବା ବଦଳରେ ସହର ଉପକଣ୍ଠରେ ନିଜର ଉପସ୍ଥିତ ଜାହିର କରୁଥିଲେ । ହେଲେ କର୍ତ୍ତୃପକ୍ଷଙ୍କ କୋହଳ ମନୋଭାବ ଯୋଗୁଁ ସେମାନେ ଏବେ ଧିରେ ଧିରେ ସହରରେ ପ୍ରବେଶ କରିବା ସହିତ ସର୍ବ ସମ୍ମୁଖରେ ହାତ ପାତୁଛନ୍ତି । ସହର ଉପକଣ୍ଠରେ କିନ୍ନରମାନେ ବାରମ୍ବାର ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଓ ସହର ଭିତରେ ଅର୍ଥ ଆଦାୟ ଭଳି କାର୍ଯ୍ୟରେ ଜଡିତ ରହୁଥିବାରୁ ସାଧାରଣ ଲୋକେ ଏବେ ଭୟଭୀତ ହୋଇ ପଡୁଛନ୍ତି ।

ବିଏମ୍‍ସି କର୍ତ୍ତୃପକ୍ଷ ଯେଭଳି ଭାବେ ଭିକାରୀ ମାନଙ୍କ ପାଇଁ ସଫଳତାର ସହ ସହାୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଅନୁରୂପ ଭାବେ ରାସ୍ତାଘାଟରେ ହାତ ପାତୁଥିବା କିନ୍ନରମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ମତପ୍ରକାଶ ପାଉଛି । ନଚେତ ଆଗାମୀ ହକି ବିଶ୍ୱକପ୍‍ ସମୟରେ ଏହା ରାଜଧାନୀ ଓ ଓଡିଶାପାଇଁ ଅତ୍ୟନ୍ତ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିବ । (ତଥ୍ୟ)