ଭୁବନେଶ୍ୱର : ଓଡ଼ିଆ ଭାଷାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ୧୫ ବର୍ଷ ହେବ ବ୍ୟାଙ୍କରେ ଟଙ୍କା ଜମି ସୁଧ ବଢ଼ୁଛି । ଅଥଚ ରାଜଧାନୀରେ ଭାଷା ଭବନ ନିର୍ମାଣ ହୋଇପାରୁନାହିଁ । ଏହା କେଉଁଠି ଓ କେବେ ନିର୍ମିତ ହେବ ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁନାହାନ୍ତି ।
ପୂର୍ବରୁ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିଲା । ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର ପରିସରରେ ଭାଷା ପ୍ରତିଷ୍ଠାନ ଚାଲୁଥିଲା । ତେବେ ଜନଶିକ୍ଷା ସାଧନ କେନ୍ଦ୍ର ସୌଧରେ ଯୁକ୍ତଦୁଇ ନିର୍ଦ୍ଦେଶାଳୟ କାମ କରିବା ପରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ସେଠାରୁ ବିସ୍ଥାପିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ପରିବର୍ତ୍ତେ କିଛିବର୍ଷ ଧରି ଏହି ପ୍ରତିଷ୍ଠାନ ସଂସ୍କୃତି ବିଭାଗ ଅଧିନରେ ରହିଛି । ଏବେ ଏହା ସଂସ୍କୃତି ନିର୍ଦ୍ଦେଶାଳୟ ଥିବା ବିଜେବି ନଗରର ଭଞ୍ଜକଳା ମଣ୍ଡପ ସନ୍ନିକଟ ସଂସ୍କୃତି ଭବନରେ ଆଶ୍ରୟ ନେବାଭଳି ରହିଛି ବୋଲି ଓଡ଼ିଆ ଭାଷାପ୍ରେମୀମାନେ କହୁଛନ୍ତି ।
ଦୀର୍ଘବର୍ଷ ତଳେ ଖାରବେଳ ନଗର ଅଞ୍ଚଳରେ ଭାଷା ପ୍ରତିଷ୍ଠାନ ଲାଗି ସାଧାରଣ ପ୍ରଶାସନ ବିଭାଗ ଏକ ସରକାରୀ ଜମି ଯୋଗାଇଥିଲେ ଏବଂ ଏହାର ଭିତ୍ତିଭୂମି ବିକାଶ ପାଇଁ ୨୦୦୫-୦୬ ବର୍ଷରେ ବି ୧କୋଟି ୫ହଜାର ଟଙ୍କା ମଞ୍ଜୁର କରିଥିଲେ । ସେବେଠାରୁ ଏହି ଟଙ୍କା ବ୍ୟାଙ୍କରେ ଜମା ରହି କେବଳ ସୁଧ ବଢ଼ୁଛି । କିନ୍ତୁ ଭାଷା ଭବନ ନିର୍ମାଣ ଲାଗି ଇଟା ଖଣ୍ଡେ ବି ପଡ଼ିନାହିଁ ।
ଗୋଟିଏ ସମୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଉକ୍ତ ଜମିରେ ଭାଷା ଭବନ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ଏଥିଲାଗି ପ୍ରସ୍ତୁତ ପ୍ଲାନ୍କୁ ବି ପ୍ରଶାସନିକ ମଞ୍ଜୁରୀ ମିଳିଥିଲା । ଏମିତିକି ପୂର୍ତ୍ତ ବିଭାଗ ମଧ୍ୟ ଭାଷା ଭବନ ନିର୍ମାଣ ଲାଗି ଟେଣ୍ଡର ଡାକିଥିଲା । କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଭୁବନେଶ୍ୱର ସ୍ମାର୍ଟସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ ଭାଷା ଭବନ ଲାଗି ଉଦ୍ଦିଷ୍ଟ ଜମିରେ ନିର୍ମାଣ କାର୍ଯ୍ୟ ନ କରିବା ଲାଗି ନିର୍ଦ୍ଦେଶନାମା ଜାରିକଲେ ଏବଂ ତାହାକୁ ସଂସ୍କୃତି ବିଭାଗ ଓ ଭାଷା ପ୍ରତିଷ୍ଠାନ ବି ମାନିନେଲେ । ସେହିଦିନଠାରୁ ଆଉ ଭାଷା ଭବନ ନିର୍ମାଣ କଥା ଉଠୁନାହିଁ ।
ଗୋଟିଏ ସମୟରେ ସତ୍ୟନଗରରେ ଥିବା ତୋଷାଳି ପ୍ଲାଜାକୁ ଭାଷା ପ୍ରତିଷ୍ଠାନ ସ୍ଥାନାନ୍ତରିତ ହେବ ବୋଲି ଚର୍ଚ୍ଚା ଚାଲିଲା । ସଚିବାଳୟ ପଛପଟେ ନିର୍ମିତ ହୋଇଥିବା ଖାରବେଳ ଭବନର ଗୋଟିଏ ମହଲା ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦେବା ପାଇଁ ବି ଉଚ୍ଚସ୍ତରରେ ଆଲୋଚନା ହେଲା ଏବଂ ୨୦୧୭ରେ ମୁଖ୍ୟ ଶାସନ ସଚିବ ମଧ୍ୟ ଏଥିପାଇଁ ଅନୁମୋଦନ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସଚିବାଳୟର କେତେଗୁଡ଼ିଏ ବିଭାଗ ଏଠାକୁ ସ୍ଥାନାନ୍ତରିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ସୌଧ ମଧ୍ୟକୁ ପ୍ରବେଶ ଅନୁମତି ମିଳୁନାହିଁ ।
ଏ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ୭ ବର୍ଷ ଭିତରେ ବି ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ଥିବା ଜମି ଓ ବରାଦ ଅର୍ଥର ଉପଯୋଗ ହୋଇପାରୁନାହିଁ । କେବଳ ସେତିକି ନୁହେଁ ଏବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ନିୟମିତ ନିର୍ଦ୍ଦେଶକ ନାହାନ୍ତି । ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର୍ ଏହାର ଅସ୍ଥାୟୀ ନିର୍ଦ୍ଦେଶକ ରହିଛନ୍ତି । ଯେଉଁ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରାଯାଇଥିଲା ତାହା ସାଧିତ ହେଉନାହିଁ । ଓଡ଼ିଆ ଭାଷାର ବିକାଶ କରିବା ତ ଦୂରର କଥା ପ୍ରାୟ ୫ ବର୍ଷ ଧରି ଏହି ସଂସ୍ଥା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧ ବହି ମଧ୍ୟ ଠିକଣା ଭାବେ ଛପାଇ ପାରୁନାହିଁ ।