Home News in Odia ଭାରତୀୟ ହକିର ସଫଳତାରେ ଓଡ଼ିଶା ଗୌରବାନ୍ୱିତ

ଭାରତୀୟ ହକିର ସଫଳତାରେ ଓଡ଼ିଶା ଗୌରବାନ୍ୱିତ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲ୍‌ରେ ହରାଇ କାଂସ୍ୟ ପଦକ ହାସଲ କରିଛି । ଏହା ଭାରତର କୋଣ ଅନୁକୋଣରେ ଥିବା ହକିପ୍ରେମୀ, ହକି ପ୍ରଶିକ୍ଷକ ଏବଂ ଦେଶ ବିଦେଶରେ ଥିବା ଭାରତୀୟମାନଙ୍କୁ ବେଶ୍‌ ଉଲ୍ଲସିତ କରିପାରିଛି ।

ଏଥିସହିତ ଆଗାମୀ ପିଢିକୁ ଦିଗ୍‌ଦର୍ଶନ ଦେବା ସହ ଅନୁପ୍ରାଣିତ କରିପାରିଛି । ଦୀର୍ଘ ୪୧ ବର୍ଷର ବ୍ୟବଧାନରେ ଭାରତୀୟ ହକିଦଳର ଏପରି ଉଲ୍ଲେଖନୀୟ ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟୁଛି ।

ହକି ଖେଳକୁ ଏକ ନୂତନ ରୂପ ଓ ସୁଦୃଢ ଭିତ୍ତିଭୂମି ଯୋଗାଇ ଦେଇଥିବା ତଥା ଓଡ଼ିଶାକୁ ବିଶ୍ୱର କ୍ରୀଡା ରାଜଧାନୀ ରୂପେ ପରିଗଣିତ କରିପାରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳର ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତିି ଏବଂ କହିଛନ୍ତି ‘ଆପଣମାନେ ଇତିହାସ ରଚିଛନ୍ତି । ଆପଣଙ୍କ ପାଇଁ ଭାରତ ଗର୍ବିତ । ଓଡ଼ିଶା, ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଟି ଓଡ଼ିଆ ନିଜକୁ ଧନ୍ୟ ମନେ କରୁଛନ୍ତି । ଏହି ବିଜୟ ପ୍ରକ୍ରିୟା ଜାରି ରହୁ, ମୋର ଏତିକି ଭଗବାନଙ୍କଠାରେ ପ୍ରାର୍ଥନା ।

ବାସ୍ତବିକ ଏପରି କୃତିତ୍ୱ ସମଗ୍ର କ୍ରୀଡା ଜଗତ ନିମନ୍ତେ ସ୍ମରଣୀୟ ହୋଇପାରିଛି । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସମ୍ପାଦକ ଡକଫର ଲେନିନ୍‌ ମହାନ୍ତି ଭାରତୀୟ ହକି ଟିମ୍‌ର ଏହି ସଫଳତା ପାଇଁ ହକି ଟିମ୍‌ର ସଦସ୍ୟ, ପ୍ରଶିକ୍ଷକ, ହକି ଇଣ୍ଡିଆର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।