ଭୁବନେଶ୍ୱର : ଆଗଧାଡିର ଓଡିଆ ଚଳଚିତ୍ର ତାରକାମାନେ ଏବେ ଭାଜପା ମୁହାଁ । ପ୍ରଥମେ ଅରିନ୍ଦମ ରାୟ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବାବେଳେ ଏବେ ବିଜେଡି ଛାଡିଥିବା ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକ ଭାଜପାକୁ ଯିବାନେଇ ଚର୍ଚ୍ଚା ଜୋର ଧରିଛି ।
ସିଦ୍ଧାନ୍ତ ମହାପାତ୍ର ବିଜେଡି ଟିକଟରେ ବ୍ରହ୍ମପୁରର ସାଂସଦ ହୋଇଥିବାବେଳେ ସେ ନିକଟରେ ନୂଆଦିଲ୍ଲୀ ଠାରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ସାଂସଦ ଭର୍ତ୍ତୃପକ୍ଷ ମହାତାବ ଓ ପଦ୍ମଶ୍ରୀ ଦମୟନ୍ତୀ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।
ସେହିଭଳି ବିଜେଡିର ଆଗଧାଡିର ନେତା ଅରିନ୍ଦମ ରାୟ ମଧ୍ୟ ବିଜେଡି ଛାଡି ସଂଗେ ସଂଗେ ଭୁବନେଶ୍ୱର ଠାରେ ବିଜେପିରେ ଯୋଗ ଦେଇଛଥିଲେ । ଶ୍ରୀ ରାୟ ହେଉଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । ତାଙ୍କର ବିଜେପିକୁ ଯିବା ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହୋଇଥିଲା ।
ଆଜି ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କୋରେଇର ପୂର୍ବତନ ବିଜେଡି ବିଧାୟକ ଆକାଶ ଦାସ ନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ହେଉଛନ୍ତି ଓଡିଶା ଚଳଚିତ୍ର ଜଗତର ଆଗଧାଡିର ତାରକା ଓ ବିଜେଡି ଦଳର ବଡ ପୁଞ୍ଜିଥିଲେ ।
ତେବେ ଉଭୟ ନେତା ଇସ୍ତଫା ଦେବାପରେ ଯେଉଁ ପ୍ରକାର ବୟାନବାଜି କରୁଛନ୍ତି ସେଥିରୁ ଜଣାପଡୁଛି ଯେ ସେମାନେ ଖୁବ୍ଶୀଘ୍ର ବିଜେପିରେ ଯୋଗଦେବେ । ଆକାଶର କୋରେଇରୁ ଲଢିବାପାଇଁ କହିଥିବାବେଳେ ଅନୁଭବ ଏପର୍ଯ୍ୟନ୍ତ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି ।
ସେହିଭଳି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଆଜି ବିଜେଡି ଛାଡି ତତ୍କାଳ ବିଜେପିରେ ଯୋଗ ଦେଇଛନ୍ତି । ସେ ମଧ୍ୟ ତାଙ୍କର ପୂର୍ବ ଆସନରୁ ବିଜେପି ଟିକଟରେ ଲଢିବେ ବୋଲି ସୂଚନା ଦେଇଛନ୍ତି ।
ଓଡିଆ ଚଳଚିତ୍ର ଜଗତର ଆଗଧାଡିର ଏହି ଚାରି ତାରକା ଏକକାଳୀନ ଭାବେ ବିଜେପିରେ ଯୋଗ ଦେଉଥିବାରୁ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ନିଶ୍ଚୟ ପଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।