Home Culture ଭର୍ଚୁଆଲ ଟୁରରେ ଡଙ୍ଗରିଆ କନ୍ଧ

ଭର୍ଚୁଆଲ ଟୁରରେ ଡଙ୍ଗରିଆ କନ୍ଧ

ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି ।

ବିଭାଗ ପକ୍ଷରୁ ପ୍ରତି ରବିବାର ଦିନ ଭର୍ଚୁଆଲ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଜୁନ୍‌ ୧୩ ତାରିଖ ଦିନ ‘ଶ୍ରମ ସମବାୟ’ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲ୍ଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍‌ରେ ବସବାସ କରିଥା’ନ୍ତି । ସେମାନଙ୍କର ମୁଖ୍ୟ ପେଶା ହେଉଛି ସିଫଟିଙ୍ଗ କଲ୍‌ଟିଭେସନ୍‌, ଖାଦ୍ୟ ପ୍ରକ୍ରିୟାକରଣ, ସପୁରୀ ଚାଷ, ଏମ୍ବ୍ରଡରୀ, ପଥର ଖୋଦେଇ, ପାନିଆ ତିଆରି କରିବା ଇତ୍ୟାଦି । ଧରଣୀପେନୁ ଡଙ୍ଗରିଆମାନଙ୍କର ପରମ ଦେବତା ।

ପ୍ରତି ଗ୍ରାମ ରାସ୍ତାରେ ଏକ କୁଡ଼ିଆ ‘କୁଡ଼ି’ ମଧ୍ୟରେ ତିନୋଟି ପଥର ପୂଜା ପାଇଥା’ନ୍ତି । କୋଟେ ବାଲି ପେନୁ ଏକ ଲମ୍ବା ପଥର, ଯାହାକୁ ଡଙ୍ଗରିଆମାନେ ପୂଜା କରିଥା’ନ୍ତି । ଡଙ୍ଗରିଆ ଜନଜାତିଙ୍କର ମୁଖ୍ୟ ଉତ୍ସବ ହେଉଛି ଘଣ୍ଟ ପରବ, ସାଳଙ୍ଗୀ, ମାଣ୍ଡିଆ ରାଣୀ, ଧାନ ନୂଆଖିଆ ଇତ୍ୟାଦି ।

ସାମାଜିକ ସମାନତା ଡଙ୍ଗରିଆ କନ୍ଧ ସମାଜର ବିଶେଷତା ଅଟେ । ଜନ୍ମରୁ ସେମାନେ ପାହାଡ଼ ଉପରେ ଶ୍ରମ କରି କୃଷି କରିଥା’ନ୍ତି । ସେମାନଙ୍କର ଶ୍ରମ ସମବାୟ ଜ୍ଞାତି-ସଂପର୍କକୁ ଉତ୍ସାହିତ କରିଥାଏ । ଆଉ ମଧ୍ୟ ପରିବାରର ଆର୍ଥିକ ଚାପ ହ୍ରାସ କରିଥାଏ । ଏହି ସମବାୟ ଜନଜାତି ସଂପ୍ରଦାୟର ସଦସ୍ୟମାନଙ୍କୁ ମର୍ଯ୍ୟାଦା ଦେଇଥାଏ । ସମବାୟ ମାଧ୍ୟମରେ ପ୍ରାପ୍ତବୟସ୍କ ଝିଅ ଓ ପୁଅମାନେ, ମହିଳା ଓ ବୃଦ୍ଧମାନେ ଗ୍ରାମର ଜମି କିମ୍ବା ବଗିଚାରେ ସମାନ ଭାବରେ ଶ୍ରମ ପ୍ରଦାନ କରିଥା’ନ୍ତି ।

ଏହି ଚଳଚ୍ଚିତ୍ରରେ ଡଙ୍ଗରିଆ କନ୍ଧମାନଙ୍କର ବିଭିନ୍ନ ପ୍ରକାରର ଶ୍ରମ ସମବାୟ ଉପରେ ଦର୍ଶକମାନେ ଜାଣିପାରିବେ । ଶ୍ରମ ସମବାୟର ଗଠନ ପ୍ରଣାଳୀ, ସଂଗଠନ ଓ କାର୍ଯ୍ୟଧାରା ଉପରେ ଦର୍ଶକମାନେ ମଧ୍ୟ ଦେଖିପାରିବେ । ସମୟ ଅନୁଯାୟୀ ଏହି ସମବାୟଗୁଡ଼ିକର କ୍ରମବିକାଶ ଓ ପରିବର୍ତ୍ତନ ସଂପର୍କରେ ବର୍ଣ୍ଣନା କରାଯାଇଛି ।