Home News in Odia ଭଡା ନିୟମ ମାନୁନାହାନ୍ତି

ଭଡା ନିୟମ ମାନୁନାହାନ୍ତି

ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ହୋଇଥିବା ଭଡା ନିୟମକୁ ପ୍ରାୟତଃ କୌଣସି ବସ୍‍ ମାନୁ ନାହାନ୍ତି । ନିୟମ ଅନୁଯାୟୀ ଏମାନେ ବସ୍‍ ଭିତରେ ଭଡା ସଂକ୍ରାନ୍ତରେ ସ୍ପଷ୍ଟଭାବେ ଉଲ୍ଲେଖ କରୁନାହାନ୍ତି କି ପରିବହନ ବିଭାଗ ମଧ୍ୟ ବିଭିନ୍ନ ବସ୍‍ ରହଣୀ ସ୍ଥାନରେ ଯାତ୍ରୀଙ୍କ ଅବଗତି ନିମନ୍ତେ ଏହା ପ୍ରଦର୍ଶନ କରୁନାହିଁ ।

ପରିବହନ ବିଭାଗର ନିୟମ ରହିଛି ଯେ ଯାତ୍ରୀବାହୀ ଯାନ ବିଶେଷକରି ବସ୍‍ଗୁଡିକ କିଲୋମିଟର ପିଛା ଧାର୍ଯ୍ୟ ହୋଇଥିବା ଦର ଏବଂ କେଉଁ ବର୍ଗ ପାଇଁ କେତେ ରିହାତି ବ୍ୟବସ୍ଥା ରହିଛି ତାହାକୁ ବସ୍‍ ଭିତରେ ଲୋକେ ଦେଖିପାରିଲା ଭଳି ସ୍ଥାନରେ ଲଗାଇବେ ଏବଂ ସେହି ଅନୁଯାୟୀ ଭଡା ଆଦାୟ କରିବେ । ଯେଉଁ ବସ୍‍ ମାଲିକ ଏହାକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସେମାନଙ୍କର ପରମିଟ୍‍କୁ ମଧ୍ୟ କର୍ତ୍ତୃପକ୍ଷ ବାତିଲ କରିଦେଇ ପାରିବେ ।

ଏହାଛଡା କଣ୍ଡକ୍ଟର ଟିକଟ ପ୍ରଦାନ ନକଲେ, ଅବୌଧ ଟିକଟ ଜାରି କଲେ, କମ୍‍ ମୂଲ୍ୟର ଟିକଟ ଦେଲେ, ଭଡା ସଠିକ୍‍ ଭାବେ ଗ୍ରହଣ କରିବାକୁ ଅସ୍ୱୀକାର କଲେ ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୭୮(୨) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ନିୟମିତ ଭାବେ ଏନଫୋର୍ସମେଣ୍ଟ ଚଢାଉ ହେଉନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରାୟତଃ ଦେଖିବାକୁ ମିଳୁନାହିଁ ।

ଯେହେତୁ ଯାତ୍ରୀମାନେ ସେମାନଙ୍କ ଯାତ୍ରା ପାଇଁ କେତେ ଭଡା ଦେବାକୁ ପଡିବ ତାହା ଜାଣିପାରୁ ନାହାନ୍ତି ତେଣୁ କଣ୍ଡକ୍ଟର ଯାହା ମାଗିଲେ ତାହା ଦେବାକୁ ପଡୁଛି । କୌଣସି ବସ୍‍ ଭିତରେ ଏଭଳି ମୂଲ୍ୟ ତାଲିକା ଦେଖିବାକୁ ମିଳୁନାହିଁ । ବସ୍‍ଷ୍ଟାଣ୍ଡ, ବସ୍‍ ରହଣୀ ସ୍ଥାନ ଆଦିରେ ବି ଏହା ପ୍ରଦର୍ଶନ ହେଉନାହିଁ । ପରିବହନ ବିଭାଗ ନିଜର ୱେବସାଇଟ୍‍ରେ ଭଡା ତାଲିକା ଦେଇ ଏକ ପ୍ରକାର କାମ ସାରିଦେଇଛନ୍ତି । ଯାହାକୁ ଦେଖିବା ଗାଁ ଗହଳର ଯାତ୍ରୀମାନଙ୍କ ପାଇଁ ଆଦୌ ସମ୍ଭବ ନୁହେଁ । ସେହିଭଳି ଅଧିକାଂଶ ବସ୍‍ରେ ଟିକଟ ଦେବାର ବ୍ୟବସ୍ଥା ଉଠିଗଲାଣି । କଣ୍ଡକ୍ଟର କେବଳ ଯାତ୍ରୀମାନଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି ।

ବସ ଯାତ୍ରୀମାନେ କିଭଳି କଣ୍ଡକ୍ଟରଙ୍କ ମନମାନିରେ ଭଡା ଗଣୁଛନ୍ତି ତାହା ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ୍‍ କଟକ-ଭୁବନେଶ୍ୱର ରାସ୍ତାରେ ଯାତ୍ରା କଲେ ଯେ କେହି ଜାଣିପାରିବେ । ୨୫ କିଲୋମିଟରର ରାସ୍ତାପାଇଁ ଏଠାରେ ଯାତ୍ରୀଙ୍କ ଠାରୁ ୪୦ ରୁ ୫୦ ଟଙ୍କା ଆଦାୟ କରାଯାଏ । ପ୍ରତିବାଦ କଲେ ବସ୍‍ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଅପମାନିତ କରିବା ସହିତ ବସ୍‍ରୁ ଓହ୍ଲାଇ ଯିବାକୁ ବାଧ୍ୟ କରିଥାନ୍ତି । କେବଳ ଏହି ଗୋଟିଏ ରାସ୍ତା ନୁହେଁ, କଟକର ନେତାଜୀ ବସଷ୍ଟାଣ୍ଡ ଓ ଭୁବନେଶ୍ୱରର ବାବା ସାହେବ ଆମ୍ବେଦକର ବସ୍‍ଷ୍ଟାଣ୍ଡରୁ ଦୈନିକ ଚଳାଚଳ କରୁଥିବା ବସ୍‍ ଗୁଡିକରେ ଯାତ୍ରୀ କରୁଥିବା ବହୁ ଯାତ୍ରୀ ଅଧିକ ଭଡା ଗଣିଥାନ୍ତି ।

ପରିବହନ ବିଭାଗ ଏନଫୋସ୍‍ମେଣ୍ଟ କଥା କହୁଥିବାବେଳେ କାଁ ଭାଁ ଚଢଉ ହୋଇଥାଏ । ଚଢଉରେ କେବଳ ଗାଡିର ଫିଟ୍‍ନେସ୍‍, ପରମିଟ୍‍ ସହିତ ଡ୍ରାଇଭର, କଣ୍ଡକ୍ଟରଙ୍କ ପୋଷାକ ଯାଞ୍ଚ ହୋଇଥାଏ । ଯାତ୍ରୀମାନେ ଭଡା ବାବଦରେ କେତେ ଅର୍ଥ ଦେଇଛନ୍ତି ଓ ସେମାନଙ୍କର କେତେ ଟଙ୍କାର ଟିକଟ ମିଳିଛି ତାହାର ଯାଞ୍ଚ ପ୍ରାୟତଃ ହୁଏ ନାହିଁ । ତେଣୁ ଏହାର ସୁଯୋଗ ନେଇ ବସ୍‍ କର୍ତ୍ତୃପକ୍ଷ ମନଇଚ୍ଛା ଭଡା ଆଦାୟ କରୁଥିବାବେଳେ ପରିବହନ ବିଭାଗ କର୍ତ୍ତୃପକ୍ଷ ସବୁ ଜାଣି ନଜାଣିଲା ଭଳି ବହୁ ସ୍ଥାନରେ ରହିଯାଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)