ଭୁବନେଶ୍ୱର : ଅତ୍ୟାବଶକୀୟ ବହୁ ଖାଦ୍ୟ ସାମଗ୍ରୀ ପାଇଁ ଓଡିଶା ଅନ୍ୟ ରାଜ୍ୟଗୁଡିକ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବାରୁ ଓଡିଶାର ଅର୍ଥ ବାହାର ରାଜ୍ୟକୁ ଚାଲିଯାଉଛି । ଏ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବି କରାନଯିବା ପର୍ଯ୍ୟନ୍ତ ଆର୍ଥିକ ବିକାଶ ମନ୍ଥର ଗତିରେ ଚାଲିବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି ।
ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡିଶା ବଳକା ରାଜ୍ୟରେ ପରିଣତ ହୋଇଥିଲେ ବି ବିଭିନ୍ନ କିସମର ସରୁ ଅରୁଆଚାଉଳ ପାଇଁ ଓଡିଶାକୁ ଛତିଶଗଡ ଓ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ପ୍ରତିଦିନ ଅନ୍ୟ ରାଜ୍ୟରୁ ଟ୍ରକ ଟ୍ରକ ଚାଉଳ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ସହରମାନଙ୍କୁ ଆସୁଛି । ଗୋଟିଏ ପଟେ ଓଡିଶାରେ ଅଧିକ ଧାନ ଉତ୍ପାଦନ ହେଉଥିବାରୁ ଚାଷୀଙ୍କ ଠାରୁ ସରକାର ସମସ୍ତ ଧାନ ଉଠାଇ ପାରୁନଥିବାବେଳେ ଅନ୍ୟ ପକ୍ଷରେ କିନ୍ତୁ ପଡୋଶୀ ରାଜ୍ୟର ମିଲରମାନେ ଓଡିଶାରେ ସେମାନଙ୍କର ସୁପରଫାଇନ୍ ମାର୍କେଟ ବଳବତ୍ତର ରଖିଛନ୍ତି ।
ଓଡିଶାରେ ଗହମ ଉତ୍ପାଦନ ଅତି ନଗଣ୍ୟ ରହୁଛି । ତେବେ ପରିବର୍ତ୍ତିତ ଜୀବନଶୈଳୀରେ ବହୁ ଲୋକ ରୁଟି ଖାଉଥିବା ଏବଂ ଗହମରୁ ଉତ୍ପାଦିତ ବିଭିନ୍ନ କିସମ ସାମଗ୍ରୀର ଚାହିଦା ଓଡିଶାରେ ବଢୁଥିବା ଯୋଗୁଁ ବିହାର, ଛତିଶଗଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆନା ଆଦିରୁ ଓଡିଶା ଗହମ ଉଠାଇବାକୁ ବାଧ୍ୟ ହେଉଛି । ପୂର୍ବରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପରିମାଣର ଗହମ ମିଳୁଥିବାବେଳେ ଏବେ କିନ୍ତୁ ଚାଉଳ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଓଡିଶା ବଜାରରେ ଗହମ, ଅଟା, ମଇଦା, ସୁଜି ଆଦିର ଦର ଅଧିକ ରହୁଛି ।
ସେହିଭଳି ଡାଲି ଓ ଡାଲିଜାତୀୟ ଶସ୍ୟର ଉତ୍ପାଦନ ଓଡିଶାରେ କିଛି ପରିମାଣରେ ବଢିଥିଲେ ବି ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ଡାଲି ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଓଡିଶାରେ ଉତ୍ପାଦିତ ଡାଲିକୁ ପଡୋଶୀ ରାଜ୍ୟର ବ୍ୟବସାୟୀମାନେ ଶସ୍ତା ଦରରେ କିଣି ନେଉଛନ୍ତି । ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ଓ ମହାରାଷ୍ଟ୍ର ଆଦି ରାଜ୍ୟ ଉପରେ ଡାଲି ପାଇଁ ଓଡିଶା ଅଧିକ ନିର୍ଭର କରୁଛି ।
ଗୋଟିଏ ସମୟରେ ଓଡିଶା ବାହାରେ ଖାଉଟିଙ୍କ ଆଦରର ସାମଗ୍ରୀ ପାଲଟିଥିଲା ଓଡିଶା ସରକାରଙ୍କ ସୁବର୍ଣ୍ଣା ତେଲ । ଏହି କାରଖାନାର ଉତ୍ପାଦନ ବନ୍ଦକରି ଦିଆଯିବା ପରେ ଓଡିଶାରେ ଉତ୍ପାଦିତ ତୈଳବୀଜ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନାମମାତ୍ର ଦରରେ କିଣି ନେଉଛନ୍ତି । ଦେହଲଗା ଠାରୁ ଖାଇବା ତେଲ ପର୍ଯ୍ୟନ୍ତ ଓଡିଶାରେ ବିଶେଷ ଉତ୍ପାଦିତ ହୋଇପାରୁନଥିବାବେଳେ ପଶ୍ଚିମବଙ୍ଗ, ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଆଦି ରାଜ୍ୟରୁ ଆମକୁ ତେଲ ମଗାଇବାକୁ ପଡୁଛି ।
ସେହିଭଳି ଓଡିଶାରେ ଥିବା ପ୍ରାୟ ସବୁ ଚିନିକଳ ବନ୍ଦହୋଇ ଯାଇଥିବାବେଳେ ଆସିକାର ସମବାୟ ଚିନିକଳ କଷ୍ଟେ ମଷ୍ଟେ ଚାଲୁଛି । ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ତେଣୁ ଚିନି ପାଇଁ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ ଆଦି ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଗୋଟିଏ ସମୟରେ ଝୋଟ ଓ ନଡିଆ ଉତ୍ପାଦନ କ୍ଷେତ୍ରରେ ସାରା ଦେଶରେ ଓଡିଶାର ଖ୍ୟାତି ଥିଲା । ଏବେ ତାହା ମଳିନ ପଡିଗଲାଣି । ଧାନମଣ୍ଡଳ ଝୋଟ କଳ ବନ୍ଦହୋଇ ଯିବାପରେ ଓଡିଶାକୁ ଝୋଟ ବ୍ୟାଗ ଓ ସୁତୁଲି ଆଦି ପାଇଁ ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।
ଓଡିଶାରେ ଉନ୍ନତ କିସମର କପା ଉତ୍ପାଦିତ ହେଉଥିବାବେଳେ ସମସ୍ତ ସୂତା ଓ ଲୁଗାକଳ ବନ୍ଦ ଥିବାରୁ ରାଜ୍ୟରେ ଉତ୍ପାଦିତ କପାକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଶସ୍ତା ଦରରେ କିଣିନେଉଛନ୍ତି । ଅନ୍ୟ ରାଜ୍ୟରୁ ସୂତା ଆସିଲେ ଓଡିଶାର ହସ୍ତତନ୍ତ ଚାଲୁଛି । କପଡା ପାଇଁ ଓଡିଶାକୁ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ସମେତ ଅନ୍ୟ କେତେକ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଓଡିଶାରେ ପିଆଜ ଉତ୍ପାଦନ ବଢୁଥିଲେ ମଧ୍ୟ ସଂରକ୍ଷଣ ପାଇଁ ଫଡି ନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ଉପରେ ଏଥିପାଇଁ ନିର୍ଭର କରିବାକୁ ପଡୁଛି । ସେହିଭଳି ଆଳୁ ପାଇଁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଲୁଣ ପାଇଁ ବି ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ର ଆଦି ହେଉଛନ୍ତି ଓଡିଶା ପାଇଁ ଭରସା । (ତଥ୍ୟ)

