ଭୁବନେଶ୍ୱର : ରୋଗ ଚିକିତ୍ସା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ବ୍ୟୟବହୁଳ ଯୋଜନା କରୁଥିବା ବେଳେ ସ୍ୱାସ୍ଥ୍ୟ ବୀମା କମ୍ପାନୀମାନେ ସେମାନଙ୍କ ବ୍ୟବସାୟ ବଢ଼ାଇବା ସତ୍ତ୍ୱେ ଓଡ଼ିଶାରେ ଅନ୍ୟାନ୍ୟ ରୋଗବ୍ୟାଧି ସହିତ ବୃକକ୍, କର୍କଟ, ଯକୃତ, ହୃଦରୋଗ, ମଧୁମେହ, ଥାଇରଏଡ୍, ରକ୍ତଚାପ ଭଳି ରୋଗ ବଢ଼ିବାରେ ଲାଗିଛି । ଏହିସବୁ ରୋଗର ଚିକିତ୍ସା ବ୍ୟୟବହୁଳ ହେଉଥିବାରୁ ଔଷଧ କମ୍ପାନୀଙ୍କ ସମେତ ଘରୋଇ ଡାକ୍ତରଖାନାଗୁଡିକର ବେପାର ବେଶ୍ ବଢ଼ିବାରେ ଲାଗିଛି ।
ଏବେ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ କିଛିବର୍ଷ ମଧ୍ୟରେ ଓଡ଼ିଶାରେ ହୃଦରୋଗ ବହୁ ପରିମାଣରେ ବୃଦ୍ଧି ପାଇଛି । ସେହିଭଳି କର୍କଟ ରୋଗର ଚିକିତ୍ସା ପାଇଁ ସରକାର ଯେତେ ଅଧିକ ସୁବିଧା କରୁଛନ୍ତି, ରୋଗୀଙ୍କ ସଂଖ୍ୟା କିନ୍ତୁ ତାହା ଅନୁପାତରେ ଢ଼େର୍ ଅଧିକ ଗୁଣ ବଢ଼ିବାରେ ଲାଗିଛି । ବୃକକ୍ ଓ ଯକୃତ ପ୍ରତିରୋପଣ ପାଇଁ ବି ଲମ୍ବା ଧାଡି ଲାଗୁଥିବା ବେଳେ ଏଭଳି ରୋଗର ଚିକିତ୍ସା ଲାଗି ସଂପନ୍ନ ଲୋକେ ରାଜ୍ୟ ଭିତର ଓ ବାହାରର କର୍ପୋରେଟ ହସପିଟାଲ ଗୁଡିକୁ ଅଧିକ ପସନ୍ଦ କରୁଛନ୍ତି ।
ମଧୁମେହ, ଥାଇରଏଡ ଓ ଉଚ୍ଚରକ୍ତଚାପ ରୋଗୀଙ୍କ ସଂଖ୍ୟା ଅସମ୍ଭବ ହାରରେ ବୃଦ୍ଧି ପାଇବାରେ ଲାଗିଛି । ଏଗୁଡିକର ତ୍ୱରିତ ଉପଚାର କରିବାରେ ଲୋକେ ବିଳମ୍ବ କରୁଥିବାରୁ ଏଥିରୁ ଅନ୍ୟ ବହୁ ବ୍ୟୟବହୁଳ ରୋଗ ଉପୁଜୁଛି । ବିଶେଷଜ୍ଞମାନେ କହୁଛନ୍ତି ଯେ ରୋଗର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସହିତ ତାହାର ପ୍ରତିଷେଧ ଦିଗ ଉପରେ ଯେଭଳି ଗୁରୁତ୍ୱ ଦିଆଯିବା କଥା ତାହା ହେଉନାହିଁ । ଫଳରେ ପ୍ରତିଷେଧକ ବ୍ୟବସ୍ଥା ଅଭାବରୁ ଗୋଟିଏପଟେ ରୋଗ ବ୍ୟାଧି ବଢ଼ି ବ୍ୟକ୍ତି, ପରିବାର, ରାଜ୍ୟ ଓ ରାଷ୍ଟ୍ର ଉପରେ ଆର୍ଥିକ ଚାପ ବଢ଼ୁଛି ।
ବୈଜ୍ଞାନିକମାନଙ୍କ ମତରେ ମଦ, ପାନ, ବିଡି, ସିଗାରେଟ, ଗଞ୍ଜେଇ, ବ୍ରାଉନସୁଗାର, ଚରସ, ହେରୋଇନ, ଗୁଟଖା, ଖଇନି, ପାନମସଲା ଆଦି ନିଶା ଦ୍ରବ୍ୟର ବ୍ୟାପକ ପ୍ରସାର ଯୋଗୁଁ ଅନେକ ଦୂରାରୋଗ୍ୟ ବ୍ୟାଧି ସୃଷ୍ଟି ହେଉଛି । ତେଣୁ ରୋଗର ମୂଳ କାରଣ ନିଶା ହୋଇଥିବା ବେଳେ ତାହାକୁ ନିବାରଣ କରିବା ପରିବର୍ତ୍ତେ ପ୍ରସାରଣ କରାଯିବା ଫଳରେ ତଦ୍ଜନିତ ଅନେକ ରୋଗବ୍ୟାଧି ଲଗାମଛଡା ଭାବେ ବଢ଼ୁଛି ।
ଭେଜାଲ ଖାଦ୍ୟ ସହିତ ପନିପରିବା ଓ ଫଳରେ ରାସାୟନିକ ପଦାର୍ଥର ପ୍ରୟୋଗ, କୃଷି କାର୍ଯ୍ୟରେ ଅତ୍ୟଧିକ ପରିମାଣର କୀଟନାଶକ, ହରମୋନ ଓ ରାସାୟନିକ ସାର ବ୍ୟବହାର ଏବଂ ବଜାରରେ ଉପଲବ୍ଧ ଅପମିଶ୍ରିତ ତଥା ନକଲି ଖାଉଟି ସାମଗ୍ରୀ ଯୋଗୁଁ କର୍କଟ, ଯକୃତ, ହୃଦରୋଗ, ବୃକକ୍, ଡାଇବେଟିକ, ଥାଇରଏଡ୍, ରକ୍ତଚାପ ସମେତ ଅନେକ ରୋଗ ବ୍ୟାପୁଛି । ସେହିଭଳି ମାଟି, ପାଣି, ପାବନ ପ୍ରଦୂଷିତ ହେଉଥିବା ବେଳେ ଏବେ ଜଳବାୟୁ ପରିବର୍ତ୍ତନ ଜନିତ ରୋଗ ବି ବଢ଼ିବାରେ ଲାଗୁଛି । ବିଶେଷକରି ବିଶୃଙ୍ଖଳିତ ଜୀବନଶୈଳୀ, ଆଳସ୍ୟ ଓ ବିପଦଜନକ ଖାଦ୍ୟ ସାମଗ୍ରୀ ବ୍ୟବହାର ତଥା ଯୁବ ସମାଜ ମଧ୍ୟରେ ବଢ଼ି ଚାଲୁଥିବା ଅପସଂସ୍କୃତି ଯୋଗୁଁ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ଗୁରୁତର ହେଉଛି ।
ଏବେ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ନିୟନ୍ତ୍ରଣ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି । ତେବେ ବ୍ୟକ୍ତି ଜୀବନଠାରୁ ଆରମ୍ଭ କରି ସାମାଜିକ ଓ ନୈତିକ ବ୍ୟବସ୍ଥାରେ ଶୃଙ୍ଖଳା, ସଂଯମ ଆଦି ନ ଆସିବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପାଇଁ ଯେତେ ଅଧିକ ଅର୍ଥ ବରାଦ କରାଗଲେ ବି ତାହା ଦେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିପାରିବା ଭଳି ମନେ ହେଉନାହିଁ ବୋଲି ସମାଜଶାସ୍ତ୍ରୀମାନେ ଖୋଲା ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)