ଭୁବନେଶ୍ୱର : ଓଡିଶାକୁ ଅଧିକ ସଂଖ୍ୟକ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାଲାଗି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ସାମୁଦ୍ରିକ ବେଳାଭୂମିରେ ଝୁମ୍ପୁଡି ପାନଶାଳା ଖୋଲିବ । ଏଥିପାଇଁ ଆଗ୍ରହୀ ସଂସ୍ଥାମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ଚଳିତମାସ ଶେଷସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବବୋଲି ଜଣାପଡିଛି ।
ଓଟିଡିସି ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ୬ଟି ଜିଲ୍ଲାରେ ୪୮୨ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ରହିଛି ଏବଂ ଏହା ପର୍ଯ୍ୟଟନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପର୍ଯ୍ୟଟନ ବିଭାଗ ବେଳାଭୂମି ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୬ଟି ବେଳାଭୂମିରେ ଅନ୍ୟୁନ ୧୦ଟି ଝୁମ୍ପୁଡି ପାନଶାଳା ଖୋଲିବାପାଇଁ ସ୍ଥିର ହୋଇଛି ।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାକଡରେ ୫ଟି ଓ ଗୋପାଳପୁର ସାମୁଦ୍ରିକ ବେଳାଭୂମିରେ ୫ଟି ଝୁମ୍ପୁଡି ପାନଶାଳା ଖୋଲିବାପାଇଁ ସ୍ଥିର ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାର ତଳସାରୀ-ଉଦୟପୁର ବେଳାଭୂମି ଏବଂ ପାରାଦୀପ ସମୁଦ୍ର ଉପକୂଳରେ ୩ଟି ଲେଖାଏଁ ଝୁମ୍ପୁଡି ପାନଶାଳା ଖୋଲାଯିବ । ଏହାଛଡା ବାଲେଶ୍ୱରର ଚାନ୍ଦିପୁର ଓ ଗଞ୍ଜାମର ପଟିସୋନପୁର ଠାରେ ମଧ୍ୟ ଆଉ ଦୁଇଟି କରି ପାନଶାଳା ଖୋଲିବ ।
ଏହି ଝୁମ୍ପୁଡି ପାନଶାଳା ଲାଗି ଓଟିଡିସି ସ୍ଥାନୀୟ ପ୍ରଶାସନ ସହଯୋଗରେ ସମୁଦ୍ର ଉପକୂଳରେ ୪୦୦ବର୍ଗମିଟର ପରିମିତ ଅଞ୍ଚଳ ଚିହ୍ନଟ କରି ଯେଉଁମାନେ ଝୁମ୍ପୁଡି ପାନଶାଳା ଖୋଲିବେ ସେମାନଙ୍କୁ ଏହା ୩ବର୍ଷ ଲାଗି ବ୍ୟବହାର ପାଇଁ ଦେବେ । ପର୍ଯ୍ୟଟନ ବିଭାଗ ଏହି ଝୁମ୍ପୁଡି ପାନଶାଳା ଲାଗି ବିଦ୍ୟୁତ୍ ଓ ଜଳଯୋଗାଣ, ସ୍ୱରେଜ ଆଦିର ବ୍ୟବସ୍ଥା କରିବ । ଏହି ପାନଶାଳା ପାଇଁ ଅବକାରୀ ବିଭାଗ ଠାରୁ ଓଟିଡିସି ଲାଇସେନ୍ସ ଆଣି ଆଗ୍ରହୀ ସଂସ୍ଥାଙ୍କୁ ଭଡାରେ ମଦ ଯୋଗାଣ କରିବ ।
ଓଟିଡିସି ରାଜ୍ୟ ପାନୀୟ ନିଗମ ଠାରୁ ଏଥିପାଇଁ ଆବଶ୍ୟକତା ମୁତାବକ ମଦ ଉଠାଇବ ଏବଂ ଏଥିଲାଗି ମଦ ଦାମ୍ ସହିତ ଆଉ ୧୦ ପ୍ରତିଶତ ପ୍ରଶାସନିକ ଖର୍ଚ୍ଚ ନେବ । ବର୍ଷସାରା ବେଳାଭୂମିରେ ଏହି ପାନଶାଳାଗୁଡିକ ଖୋଲା ରଖିବାପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଝଡବତାସ ସମୟରେ ଏହା ଖୋଲିବ କି ନାହିଁ ସେ ସଂକ୍ରାନ୍ତରେ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେବ ।
ବେଳାଭୂମିର ଏହି ଝୁମ୍ପୁଡି ପାନଶାଳା ଚଳାଇବାପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କର ଅନ୍ତତଃପକ୍ଷେ ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନ, ବାର୍, ବିୟରପାର୍ଲର ଚଳାଇବାର ଅଭିଜ୍ଞତା ଥିବ । ଏହାଛଡା ଷ୍ଟାର ହୋଟେଲ ଓ ରିସର୍ଟ ଏବଂ ମଲ୍ଟିକୁଶନ ରେଷ୍ଟୁରାଣ୍ଟ ଚଳାଉଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ତେବେ ଗତ ତିନିବର୍ଷ ଧରି ଏମାନଙ୍କର ବାର୍ଷିକ କାରବାର ଅନ୍ୟୁନ ୫୦ଲକ୍ଷ ଟଙ୍କାର ହୋଇଥିବା ଆବଶ୍ୟକ ।
ଏହି ଝୁମ୍ପୁଡି ପାନଶାଳାରେ କ’ଣ କ’ଣ ରହିବ ଓ କି କି କିସମର ସାମଗ୍ରୀ ପର୍ଯ୍ୟଟକମାନଙ୍କୁ ଯୋଗାଇ ଦିଆଯିବ ତାହା ବିଭାଗୀୟ କର୍ତ୍ତୃପକ୍ଷ ସ୍ଥିର କରିବେ । ଝୁମ୍ପୁଡି ପାନଶାଳା ପାଇଁ ଆବେଦନ ଫି ବାର୍ଷିକ ଲକ୍ଷେ ଟଙ୍କା ରହିଥିବାବେଳେ ବାର୍ ଲାଇସେନ୍ସ ଫି ୫୦ହଜାର ଓ ଲେବୁଲ ପଞ୍ଜିକରଣ ଫି ୪୦ହଜାର ଟଙ୍କା ରହିଛି । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଖୋଲାଯିବାକୁ ଥିବା ପ୍ରତିଟି ଝୁମ୍ପୁଡି ପାନଶାଳା ପାଇଁ ବାର୍ଷିକ ଭଡା ଦେଢ ଲକ୍ଷ ଟଙ୍କା ରଖାଯାଇଥିବାବେଳେ ଗୋପାଳପୁର ବେଳାଭୂମି ପାଇଁ ଲକ୍ଷେ ଟଙ୍କା କରି ଏବଂ ଅନ୍ୟସବୁ ବେଳାଭୂମି ପାନଶାଳା ପାଇଁ ୭୫ହଜାର ଟଙ୍କା କରି ରଖାଯାଇଥିବା ଜଣାପଡିଛି । (ତଥ୍ୟ)