ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିଥିଲେ ବି କରୋନା ଜନିତ ମୃତ୍ୟୁରେ ଲଗାମ ଲାଗିପାରୁ ନାହିଁ । ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୪୬ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩୭୧୭ରେ ପହଞ୍ଚି ଯାଇଛି ।
କୋଭିଡ-୧୯ର ଦ୍ୱିତୀୟ ଲହର ରାଜ୍ୟରେ ଆରମ୍ଭ ହେବାପରେ ମଇ ୩ତାରିଖରେ ସବୁଠାରୁ କମ୍ ୫ଜଣ ପ୍ରାଣ ହରାଇଥିବାବେଳେ ଜୁନ୍ ୧୨ତାରିଖରେ ସର୍ବାଧିକ ୪୭ଜଣଙ୍କ ପ୍ରାଣ ଯାଇଥିଲା । ଗତକାଲି ଗୋଟିଏ ଦିନରେ ୪୬ଜଣଙ୍କ ମୃତ୍ୟୁ ହେଉଛି ଦ୍ୱିତୀୟ ସର୍ବାଧିକ ।
ମୃତ୍ୟୁବରଣ କରିଥିବା ୪୬ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୭ଜଣ ଥିବାବେଳେ କଟକ, ପୁରୀ ଓ ବରଗଡରୁ ୫ଜଣ କରି ରହିଛନ୍ତି । ସେହିଭଳି ସମ୍ବଲପୁର, ଝାରସୁଗୁଡାରୁ ୪ଜଣ କରି ଥିବାବେଳେ ସୁନ୍ଦରଗଡ ଓ ଜଗତସିଂହପୁରରୁ ୩ଜଣ କରି, ମୟୁରଭଞ୍ଜ, କଳାହାଣ୍ଡି ଓ ଗଞ୍ଜାମରୁ ୨ଜଣ କରି ଏବଂ ସୁବର୍ଣ୍ଣପୁର, କୋରାପୁଟ, କେନ୍ଦ୍ରାପଡା, କନ୍ଧମାଳରୁ ଜଣେ କରି ରହିଛନ୍ତି ।
ଝାରସୁଗୁଡା ଭଳି ଜିଲ୍ଲାରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ସୀମିତ ଥିବାବେଳେ ଏଠାରେ କିନ୍ତୁ ମୃତ୍ୟୁ ସଂଖ୍ୟା ୪ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ ୧୧୯ ଜଣ ମୃତ୍ୟୁବରଣ କରିସାରିଲେଣି । ତେବେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଆଜି ସୁଦ୍ଧା ଖୋର୍ଦ୍ଧାରେ ୫୮୮ ଜଣ ମରିଥିବାବେଳେ, ସୁନ୍ଦରଗଡରେ ୩୩୪, ଗଞ୍ଜାମରେ ୩୧୮ ଓ କଟକରେ ୨୫୨ ଜଣ କରୋନାର ଶିକାର ହୋଇ ସାରିଥିବା ସରକାରୀଭାବେ ଦର୍ଶାଯାଉଛି ।
ସକ୍ରିୟ ରୋଗୀଙ୍କ ତାଲିକା ଅନୁଯାୟୀ ଏବେ ରାଜ୍ୟର ମାତ୍ର ୪ଟି ଜିଲ୍ଲା ଖୋରଧା, କଟକ, ଯାଜପୁର ଓ ବାଲେଶ୍ୱର ରେଡ୍ ଜୋନ୍ରେ ରହିଛନ୍ତି । ଏହିସବୁ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୫୨୮୬, ୩୩୩୯, ୩୩୫୭ ଓ ୨୮୬୨ ରହିଛି । ରାଜ୍ୟରେ ଆଜି ସୁଦ୍ଧା ମୋଟ୍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪,୨୧୬ ରହିଥିବା ଜଣାଯାଇଛି ।
ସେହିଭଳି ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୫୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିଖ ୪୯୯, କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୁରଭଞ୍ଜରୁ ୧୮୦, ବାଲେଶ୍ୱରରୁ ୧୭୪, କେନ୍ଦ୍ରାପଡାରୁ ୧୪୭, ଓ ନୟାଗଡରୁ ୧୨୬ଜଣ ଚିହନଟ ହୋଇଛନ୍ତି ।
ଅନ୍ୟ ଜିଲ୍ଲାଗୁଡିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍ ୧୧ଜଣ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ନୂଆପଡାରେ ୧୬, ଗଜପତିରେ ୧୭, ଗଞ୍ଜାମରେ ୧୯, ଝାରସୁଗୁଡାରେ ୨୦, କଳାହାଣ୍ଡିରେ ୨୧, ବୌଦରେ ୨୫ ଓ ବଲାଙ୍ଗିରରେ ୨୮ଜଣ ଚିହ୍ନଟ ହୋଇଛନ୍ତି ।