ଭୁବନେଶ୍ୱର : ବ୍ୟୟ ସଂକୋଚନ ପାଇଁ ରାଜ୍ୟ ସରକାର ଯେତେ କଡା ପଦକ୍ଷେପ ନେଲେ ବି କର୍ମଚାରୀମାନଙ୍କ ବେତନ, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ବଢ଼ିବାରେ ଲାଗିଛି । ଏବେ ମୋଟ ବଜେଟର ପାଖାପାଖି ୬୦ ପ୍ରତିଶତ ଏ ବାବଦରେ ଖର୍ଚ୍ଚ ହେଉଛି ।
୨୦୦୯-୧୦ ବେଳକୁ ବେତନ, ଭତ୍ତା, ପେନସନ ଓ ଦପ୍ତର ପରିଚାଳନା ବାବଦରେ ବାର୍ଷିକ ୧୨,୭୫୩ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ବଢ଼ି ବଢ଼ି ୨୦୧୭-୧୮ ବେଳକୁ ୩୫,୩୬୩ କୋଟି ୮୪ ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ୨୦୨୧-୨୨ର ସରକାରୀ ଅଟକଳ ମୁତାବକ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟରୁ ବେତନ, ଭତ୍ତା, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ପରିମାଣ ୧,୦୧,୫୬୭ କୋଟି ୧୯ଲକ୍ଷ ଟଙ୍କାରେ ପହଞ୍ôଚବା ସମ୍ଭାବନା ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ସରକାର ବ୍ୟୟ ସଂକୋଚନ ନୀତି ଆପଣେଇ ୨୫ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୮୦ ସରକାରୀ ପଦବୀ ଉଚ୍ଛେଦ କରିଥିବା ବେଳେ ନୂତନ ନିଯୁକ୍ତି ଉପରେ ଦୀର୍ଘବର୍ଷ ଧରି କଡା କଟକଣା ଲାଗୁ କରିଥିଲେ । ଏହାଛଡା ସରକାରୀ ଦପ୍ତରଗୁଡିକର କମ୍ପ୍ୟୁଟରୀକରଣ କରାଯିବା ଫଳରେ ମାନବସମ୍ବଳ ଚାପ ଅନେକ ମାତ୍ରାରେ କମାଯାଇଛି । ଏହାସତ୍ତ୍ୱେ ବି ବିଭିନ୍ନ ଅର୍ଥ କମିଶନଙ୍କ ସୁପାରିସ ପରେ ରାଜ୍ୟ ସରକାର ବେତନ, ପେନସନ ଓ ଭତ୍ତା ଆଦି ବଢ଼ାଇବା ଏବଂ ଠିକାରେ ନିଯୁକ୍ତ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ଚାକିରିରେ ନିୟମିତ କରାଯିବା ଫଳରେ ରାଜକୋଷ ଉପରେ ଚାପ ବୃଦ୍ଧି ପାଉଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜସ୍ୱ ଟିକସରୁ ୩୭ହଜାର ୫ଶହ କୋଟି ଓ ଅଣଟିକସରୁ ୨୦ ହଜାର କୋଟି ଅସୁଲ କରିବା ଲକ୍ଷ୍ୟ ରଖିଛନ୍ତି । ଏ କ୍ଷେତ୍ରରେ ଏଯାବତ ଅଗ୍ରଗତି ସନ୍ତୋଷଜନକ ରହିଛି । କେନ୍ଦ୍ର ସରକାରଙ୍କଠାରୁ ଚଳିତ ଆର୍ଥିକବର୍ଷରେ ଟିକସ ଅଂଶ ବାବଦରେ ଓଡ଼ିଶା ୩୦ହଜାର ୧୩୭ କୋଟି ଓ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୭ହଜାର ୯୬୩ କୋଟି ଟଙ୍କା ପାଇବାର ଆଶା ରଖିଛି । ତେବେ ଏ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଲକ୍ଷ୍ୟ କରାଯାଉଛି । ଚଳିତ ଆର୍ଥିକବର୍ଷରେ ସରକାର ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟ ଜମା ସୂତ୍ରରୁ ୩ ହଜାର କୋଟି ଏବଂ ବିଭିନ୍ନ ସୂତ୍ରରୁ ଋଣ ଆକାରରେ ପ୍ରାୟ ୪୧ ହଜାର କୋଟି ଟଙ୍କା ଉଠାଇବାର ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ଋଣ ଓ ସୁଧ ପରିଶୋଧ ବାବଦରେ ଏ ବର୍ଷ ୩୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପରିଶୋଧ କରିବାକୁ ପଡିବ । ବେତନ, ପେନସନ ଓ ରାଜସ୍ୱ ବ୍ୟୟ ବୃଦ୍ଧି ସହିତ ଋଣ ଓ ସୁଧ ପରିଶୋଧକୁ ମିଶାଇଲେ ମୋଟ ବଜେଟର ୭୫ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଯିବ ।
କରୋନା ଯୋଗୁଁ ସମଗ୍ର ବିଶ୍ୱ ସହିତ ଆମ ଦେଶର ଅର୍ଥନୀତି ଗୁରୁତର ସଂକଟ ଦେଇ ଗତି କରୁଥିବା ବେଳେ ତା’ର ସିଧାସଳଖ ପ୍ରତିକୂଳ ପ୍ରଭାବ ବି ଓଡ଼ିଶାର ଆର୍ଥିକ ବ୍ୟବସ୍ଥା ଉପରେ ପଡୁଛି । ଏସବୁ ସତ୍ତ୍ୱେ ରାଜ୍ୟ ସରକାର ବିଭିନ୍ନ ସାମାଜିକ ନିରାପତ୍ତା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହରେ ଲାଗିଛନ୍ତି । (ତଥ୍ୟ)