ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବସ୍ତି ଓ ଏହାର ଆଖପାଖରେ ଗଢି ଉଠୁଥିବା ବେଆଇନ୍ ଘର ଏବେ ଅବାଧ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । ପୁଲିସ୍ ବର୍ତ୍ତମାନ ସୁଦ୍ଧା ନିଶା ବେପାର ଓ ଅନ୍ୟାନ୍ୟ ଅପରାଧରେ ଜଡିତ ଅପରାଧିଙ୍କର ପ୍ରାୟ ୩୦ଟି ଘରକୁ ଭାଙ୍ଗିଥିବାବେଳେ ଆହୁରି ଶହ ଶହ ବେଆଇନ୍ ଘରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି ।
କମିଶନରେଟ ପୁଲିସ୍ର ବସ୍ତିକୁ ଚାଲ ଅଭିଯାନ ପରେ ଏବେ ବିଭିନ୍ନ ବସ୍ତିରୁ ଯେତିକି ଚୋର ଡକାୟତ ଧରାପଡୁ ନାହାନ୍ତି ତାହାଠାରୁ ଅଧିକ ନିଶା କାରବାରରେ ଜଡିତ ଅପରାଧି ଧରାପଡୁଛନ୍ତି । ହଳଦିପଡିଆରୁ ମହିଷାଖାଲ ଓ ନାରାୟଣୀ ବସ୍ତି ପର୍ଯ୍ୟନ୍ତ ସବୁଠାରେ ନିଶା ମାଫିଆଙ୍କ ଘରେ ହିଁ ପୁଲିସ୍ ପ୍ରଶାସନ ବୁଲଡୋଜର ବୁଲାଉଛି । ତେବେ ପୁଲିସ୍ ନଜର ଆଢୁଆଳରେ ଥିବା ଅନେକ ବସ୍ତି ଓ ଏହାର ଆଖପାଖରେ ଗଢି ଉଠିଥିବା ବେଆଇନ୍ ଘର ନିଶା କାରବାରର ଆଡ୍ଡାସ୍ଥଳି ପାଲଟିଛି ।
ରାଜଧାନୀରେ ସରକାରୀ ତାଲିକାରେ ୪୩୬ ବସ୍ତି ଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ପ୍ରାୟ ତିନି ଗୁଣାରୁ ଅଧିକ ହୋଇଗଲାଣି । ପୁରୁଣା ବସ୍ତିଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କ ସଂଗଠନ ରହିଥିବାରୁ ନିଶା ବେପାରୀମାନେ ପ୍ରାୟତଃ ସେଠାରେ ପଶିପାରୁନଥିବାବେଳେ ନୂଆକରି ଗଢି ଉଠୁଥିବା ବେଆଇନ୍ ବସ୍ତିକୁ ଏମାନେ ଟାର୍ଗେଟ କରୁଛନ୍ତି ।
ସହରର ଗଳିକନ୍ଦି ବିଶେଷକରି ବିଭିନ୍ନ ୟୁନିଟ୍ର ରାସ୍ତାକଡ ଓ କନଜରଭେନ୍ସିଗୁଡିକରେ ଗଢି ଉଠୁଥିବା ବେଆଇନ୍ ଘରେ ହିଁ ନିଶା କାରବାର ହେଉଛି । ଏଠାରେ କିଏ ଘର ତିଆରି କରୁଛି, କିଏ ରହୁଛି ତାହାର ଖବର ପୁଲିସ୍ ତ ଦୂରରକଥା ଆଖପାଖ ଲୋକଙ୍କ ପାଖରେ ବି ନାହିଁ । ରାତାରାତି ଏଭଳି ବେଆଇନ୍ ଘର ହେଉଛି ଓ ତତ୍କାଳ ପାଣି ଓ ବିଜୁଳି ସଂଯୋଗ ମିଳିଯାଉଛି । ଏହାପରେ ଘରଗୁଡିକ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ନହେଲେ ମାସିକିଆ ଭଡାରେ ଲାଗୁଛି ।
ବଡ ବଡ ନିଶାବେପାରୀମାନେ ସେମାନଙ୍କ କାରବାର ପାଇଁ ଛୋଟ ଛୋଟ ବେପାରୀଙ୍କୁ ଏହି ଘରେ ଥଇଥାନ କରୁଛନ୍ତି । ମୁଖ୍ୟ କାର୍ପଟଦାରମାନେ ସାଧାରଣତଃ ରାଜଧାନୀ ବାହାରେ ରହି ଏମାନଙ୍କ ସହିତ ହ୍ୱାଟସ୍ଆପ୍ ନହେଲେ ଟେଲିଗ୍ରାମ ଭଳି ଆପ୍ ଜରିଆରେ ସମ୍ପର୍କ ରଖି ବେପାର ଚଳାଉଛନ୍ତି । ଯାହା ଫଳରେ ପୁଲିସ୍ ଏମାନଙ୍କୁ ସହଜରେ ଠାବ କରିପାରୁ ନାହିଁ । ଖୋଦ୍ ରାଜଧାନୀରେ କିଭଳି ରାତାରାତି ବେଆଇନ୍ ଘର ଗଢି ଉଠୁଛି ରାଜଭବନ, ପୁଲିସସେବା ଭବନ ଓ ଲୋକସେବା ଭବନ ଆଖପାଖ ଅଞ୍ଚଳ ବୁଲିଲେ ଯେ କେହି ଦେଖିପାରିବ ।
ଏବେ ପୁଲିସ୍ ପ୍ରଶାସନ ବେଆଇନ୍ ଘର ଉପରେ ବୁଲଡୋଜର ଚଢାଉଥିବାବେଳେ ଘର ତିଆରି ସମୟରୁ କାହିଁକି ସାଧାରଣ ପ୍ରଶାସନ, ବିଏମ୍ସି କିମ୍ବା ବିଡିଏ ଏହାକୁ ଭାଙ୍ଗୁନାହିଁ ଏବଂ ଘର ତିଆରି ପରେ ବିଜୁଳି ଓ ଜନସ୍ୱାସ୍ଥ୍ୟ ବିଭାଗ କିଭଳି ଏହାକୁ ଲାଇନ୍ ଓ ପାଣି ସଂଯୋଗ ଦେଉଛନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇଛି । ସହରରେ ରାତାରାତି ଗଢି ଉଠୁଥିବା ବେଆଇନ୍ ଘରଗୁଡିକୁ ଭାଙ୍ଗିଦେଲେ ନିଶା କାରବାରରେ ବଡ ଧରଣର ବ୍ରେକ୍ ଲାଗିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)