Home Environment ଭୁଲି ଗଲେଣି ପ୍ଲାଷ୍ଟିକ କଟକଣା

ଭୁଲି ଗଲେଣି ପ୍ଲାଷ୍ଟିକ କଟକଣା

ଭୁବନେଶ୍ୱର : ଏକକ ବ୍ୟବହାର ପଲିଥିନ୍‍ କଟକଣାକୁ ପ୍ରାୟ ସମସ୍ତ ଭୁଲିଗଲେଣି । ଏଭଳି ପ୍ଲାଷ୍ଟିକ ସମେତ ନିମ୍ନମାନର ପଲିଥିନ୍‍ ଜବତ ପାଇଁ ସହରାଞ୍ଚଳରେ ୨ଶହରୁ ଅଧିକ ଏନଫୋର୍ସମେଣ୍ଟ ଟିମ୍‍ ଗଠନ ହୋଇଥିଲେ ମଧ୍ୟ ତାହାକୁ ରୋକାଯାଇ ପାରୁନାହିଁ ।

ରାଜ୍ୟ ସରକାର ୨୦୧୯ ମସିହାରୁ ପଲିଥିନ୍‍ ମୁଣା ଉପରେ କଟକଣା ଲଗାଇଛନ୍ତି । ତଦନୁଯାୟୀ ରାଜ୍ୟରେ ନିମ୍ନମାନର ପଲିଥିନ୍‍ ମୁଣା ପ୍ରସ୍ତୁତ, ବିକ୍ରୟ ଓ ବ୍ୟବହାରକୁ ନିଷେଧ କରାଯାଇଛି । ଏହି କଟକଣା ଲାଗୁ ପରେ ରାଜ୍ୟ ସରକାର ପୁଣିଥରେ ୨୦୧୮ରେ ଏହାକୁ ସଂଶୋଧନ କରିବା ସହିତ ସଂଷାଧିତ କଟକଣାକୁ ଚଳିତବର୍ଷ ଜୁଲାଇ ପହିଲାରୁ ଲାଗୁ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଅନୁରୂପ କଟକଣା ଜାରି କରିଛନ୍ତି ।

ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ହଟାଇବାପାଇଁ ଗତ ରଥଯାତ୍ରା ସମୟରେ ପୁରୀରୁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଥିଲା । ଖୋଦ କେନ୍ଦ୍ରମନ୍ତ୍ରୀ ବଡଦାଣ୍ଡରୁ ଏଭଳି ପ୍ଲାଷ୍ଟିକ ହଟାଅ ଅଭିଯାନର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର ମଧ୍ୟ ସେହି ସମୟରେ ନିମ୍ନମାନର ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଅଭିଯାନ ଚଳାଇଥିଲେ । ହେଲେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ରାଜ୍ୟର ସହରାଞ୍ଚଳରେ ଏହି ଧରଣର ପ୍ଲାଷ୍ଟିକ ବ୍ୟାପକ ଭାବେ ବ୍ୟବହାର ହେଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ୧୧୪ ଟି ପୌରାଞ୍ଚଳରେ କର୍ତ୍ତୃପକ୍ଷ ୨୧୧ଟି ଏନ୍‍ଫୋର୍ସମେଣ୍ଟ ଟିମ୍‍ ଗଠନ କରିଛନ୍ତି । ହେଲେ ଏହି ଟିମ୍‍ର କାର୍ଯ୍ୟ ମଝିରେ ମଝିରେ କିଛି ପଲିଥିନ୍‍ ବ୍ୟବସାୟୀଙ୍କ ଉପରେ ଚଢଉ କରିବାରେ ହିଁ ସୀମିତ । କର୍ତ୍ତୃପକ୍ଷଙ୍କ ଢିଲା ପଣ ଯୋଗୁଁ ପ୍ରତିଦିନ ରାଜ୍ୟ ଭିତରକୁ ଟ୍ରକ ଟ୍ରକ ଏକକ ବ୍ୟବହୃତ ପ୍ଲାଷ୍ଟିକ ଆସୁଛି ତାହାର ବ୍ୟବସାୟ ହେଉଛି ।

ଖୋଦ୍‍ ରାଜଧାନୀରେ ଏଭଳି ନିମ୍ନମାନର ପ୍ଲାଷ୍ଟିକ ବ୍ୟବହାର ଅତ୍ୟନ୍ତ ଉତ୍କଟ । ଭୋଜି ଭାତ ଠାରୁ ଦୋକାନ ବଜାର ଯାଏ ସବୁଆଡେ ଏଭଳି ନିମ୍ନମାନର ପ୍ଲାଷ୍ଟିକ ପ୍ରସ୍ତୁତ ମୁଣା ଓ ଅନ୍ୟାନ୍ୟ ସାମଗ୍ରୀ ହାଉଯାଉ । ଯେତେବେଳେ ସହରାଞ୍ଚଳରେ ଏଭଳି ନିମ୍ନମାନ ପଲିଥିନ୍‍ ଓ ପ୍ଲାଷ୍ଟିକ ଉପରେ ଚଢଉ ହେଉଛି ସେତେବେଳେ ବ୍ୟବସାୟୀମାନେ ଅତି ଚତୁରତାର ସହ ଗାଁ ଗହଳରେ ସେମାନଙ୍କ କାରବାର ବୃଦ୍ଧି କରୁଛନ୍ତି । ଚଢଉ ଥମିଲେ ସହରାଞ୍ଚଳରେ ପସରା ଖୋଲୁଛନ୍ତି । ବିଏମ୍‍ସି କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପରିବେଶ ନିୟନ୍ତ୍ରଣ ବୋର୍ଡ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିଆଗରେ ଏଭଳି ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏକ ପ୍ରକାର ଆଖିବୁଜି ଦେଉଥିବା ପରିବେଶବିତ୍‍ମାନେ ଅଭିଯୋଗ କରୁଛନ୍ତି ।

ସହରାଞ୍ଚଳରେ ଏକକ ବ୍ୟବହୃତ ପ୍ଲାଷ୍ଟିକ କିଭଳି ଭୟଙ୍କର ସ୍ଥିତି ସୃଷ୍ଟି କରୁଛି ତାହା ରାଜଧାନୀର ମଝିରେ ଯାଇଥିବା କେନାଲକୁ ଦେଖିଲେ ଯେ କେହି ଜାଣିପାରିବ । ନିମ୍ନମାନର ପ୍ଲାଷ୍ଟିକରେ ଏହି କେନାଲି ପୋତି ହେବାକୁ ବସିଲାଣି । ଆଇନ୍‍ରେ ସଂଶୋଧନ ପରେ ସରକାରୀକଳ ଯେଭଳି କଡା ଆଭିମୁଖ୍ୟ ଗ୍ରହଣ କରିବାକଥା ତାହା ନକରିବାରୁ ରାଜ୍ୟ ଭିତରକୁ ସହଜରେ ପଲିଥିନ୍‍ ଆସୁଛି ଓ ପୂର୍ବଭଳି ଏହାର କାରବାର ହେଉଛି ବୋଲି ପରିବେଶ୍‍ବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)