ଭୁବନେଶ୍ୱର : ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୦୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ‘ବି’ ବର୍ଗର ୧୦ଟି ଜିଲ୍ଲାରେ କେବଳ ୨୨୨୫ଜଣ ସଂକ୍ରମିତ ହୋଇଛନ୍ତି । ଏହିସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ଏଠାରେ ଲକଡାଉନ୍ କଟକଣା ଅନ୍ୟ ୨୦ଜିଲ୍ଲା ତୁଳନାରେ ଅଧିକ ରହିଛି ।
ଏହି ୧୦ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୫୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରେ ୪୬୨, ବାଲେଶ୍ୱରରେ ୨୪୬, ଯାଜପୁରରେ ୨୦୫, ପୁରୀରେ ୧୮୯, ମୟୁରଭଞ୍ଜାରେ ୧୫୪, ଭଦ୍ରକରେ ୧୪୫, ନୟାଗଡରେ ୧୧୦, କେନ୍ଦ୍ରାପଡାରେ ୭୦ ଓ ଜଗତ୍ସିଂହପୁରରେ ୬୦ ରହିଛି ।
ତେବେ ଅନ୍ୟ ୨୦ଟି ଜିଲ୍ଲାରେ ମାତ୍ର ୮୬୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରେ ସବୁଠାରୁ କମ୍ ମାତ୍ର ୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡାରେ ୫ଜଣ, ନୂଆପଡାରେ ୬ଜଣ, ଗଜପତିରେ ୧୬, କଳାହାଣ୍ଡିରେ ୧୭, ବଲାଙ୍ଗିର ଓ ରାୟଗଡାରେ ୨୧ କରି, ଗଞ୍ଜାମରେ ୨୨ ଓ ସୋନପୁରରେ ୨୪ ଜଣ ଚିହ୍ନଟ ହୋଇଛନ୍ତି । ଏହି ୨୦ଜିଲ୍ଲାରେ ମଧ୍ୟରେ ସବୁଠାରୁ ଅଧିକ ୯୫ଜଣ ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।
ସେହିଭଳି ରାଜ୍ୟରେ ଆଉ ୪୫ କରୋନା ମୃତ୍ୟୁ ସହିତ ମୋଟ୍ ୪୦୬୩ଜଣ ପ୍ରାଣ ହରାଇଲେଣି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ ଥିବାବେଳେ ନୟାଗଡ ଓ ପୁରୀରୁ ୫ଜଣ କରି, କେନ୍ଦୁଝର ଓ ଗଞ୍ଜାମରୁ ୪ଜଣ କରି, ବରଗଡ ଓ ସୁନ୍ଦରଗଡରୁ ୩ଜଣ କରି, ଅନୁଗୁଳ, କଟକ ଓ ସମ୍ବଲପୁରରୁ ୨ଜଣ କରି ଏବଂ ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ, ନବରଙ୍ଗପୁର ଓ ଝାରସୁଗୁଡାରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।
ରାଜ୍ୟରେ ନୂଆ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୩୧,୨୩୧ ରହିଛି । ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୧,୩୮,୩୩,୮୭୦ ଟି କରେନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥି ମଧ୍ୟରୁ ୬.୬୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।
ତେବେ ‘ବି’ ବର୍ଗରେ ଥିବା ୧୦ଟି ଜିଲ୍ଲା ମଧ୍ୟରୁ କେବଳ ଖୋର୍ଦ୍ଧା, କଟକ ଓ ବାଲେଶ୍ୱର ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ଏହି ତିନି ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୫୧୯୦, ୪୨୮୨ ଓ ୩୦୨୫ ରହିଛି । ସବୁଠାରୁ କମ୍ ମାତ୍ର ୩୯ଜଣ ସକ୍ରିୟ ରୋଗୀ ଦେବଗଡ ଜିଲ୍ଲାରେ ଥିବାବେଳେ ରାୟଗଡା ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦ ରହିଛି ।