Home Culture ବିଶ୍ୱପ୍ରସାରିତ ହୋଇଛି ନୂଆଖାଇର ସନ୍ଦେଶ

ବିଶ୍ୱପ୍ରସାରିତ ହୋଇଛି ନୂଆଖାଇର ସନ୍ଦେଶ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି । ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍‌ରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି ।

ଭେଟ୍‌ଘାଟ୍‌ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା ଆଦୃତି ଓ ତା’ର ଆଭିମୁଖ୍ୟ ବଳରେ ଓଡ଼ିଶା ବାହାରେ ଏବଂ ବିଦେଶରେ ଥିବା ଓଡ଼ିଆମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇପାରିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ନୂଆଖାଇ ପର୍ବର ସ୍ୱାତନ୍ତ୍ର୍ୟ, ନବାନ୍ନ ଅର୍ପଣ ବିଧି, ସନ୍ଦେଶ ଓ ପାଳନର ବ୍ୟାପକତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ଅରବିନ୍ଦ ଅଗ୍ରୱାଲ୍‌ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ବିମଳେନ୍ଦୁ ରାୟ ଓ ଶ୍ରୀ ମନୀଷ ଅଗ୍ରୱାଲ ସହଯୋଗ କରିଥିଲେ । ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶ୍ରୀ ଅନୁପମ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ପିରିଟ୍‌ଜା ଏକାଡେମୀ ଅଫ୍‌ ପରଫର୍ମିଂ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଓ ଅନ୍ୟାନ୍ୟ ବିଭାଗରେ ଅବସ୍ଥାପିତ ପଶ୍ଚିମ ଓଡ଼ିଶାର ପ୍ରଶାସକ ଓ କର୍ମଚାରୀମାନେ ସପରିବାର ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।