Home General ବିଧାୟକ ଅତିଥିଭବନ ଏବେ ଭୂତକୋଠି

ବିଧାୟକ ଅତିଥିଭବନ ଏବେ ଭୂତକୋଠି

ଭୁବନେଶ୍ୱର : ବହୁ କୋଟି ଟଙ୍କା ବ୍ୟୟରେ ବିଧାୟକମାନଙ୍କ ପାଇଁ ପ୍ରାୟ ୧୨ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀରେ ନିର୍ମାଣ କରାଯାଇଥିବା ଅତିଥି ଭବନକୁ ବ୍ୟବହାର କରିବା ପରିବର୍ତ୍ତେ ମନ୍ତ୍ରୀ ଓ ବିଧାୟକମାନେ ସର୍କିଟ୍‍ ହାଉସ୍‍ ଉପରେ ଅଧିକ ନିର୍ଭର କରୁଛନ୍ତି । ଫଳରେ ଯେଉଁ ଉଦ୍ଦେଶ୍ୟରେ ପୁରୀରେ ବିଧାୟକମାନଙ୍କ ଲାଗି ସ୍ୱତନ୍ତ୍ର ଅତିଥି ଭବନ ନିର୍ମାଣ କରାଯାଇଛି ତାହା ସଫଳ ହେଉନାହିଁ ।

୨୦୦୯ ମସିହାରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହି ବିଧାୟକ ଅତିଥି ଭବନ ସମୂଦ୍ର କୂଳରେ ପେଣ୍ଠକଟାଠାରେ ନିର୍ମାଣ କରାଯାଇଥିଲା । ଏଥିରେ ଆମ ରାଜ୍ୟର ଓ ରାଜ୍ୟ ବାହାରୁ ଆସୁଥିବା ବିଧାୟକମାନଙ୍କ ଆରାମ୍‍ଦାୟକ ରହଣୀ ପାଇଁ ଶୀତତାପ ନିୟନ୍ତ୍ରିତ କକ୍ଷ ସମେତ ଅନ୍ୟାନ୍ୟ ଉନ୍ନତମାନର ବ୍ୟବସ୍ଥା ରହିଛି । ତେବେ ଏଠାରେ ରହିବାକୁ ପ୍ରାୟତଃ ବିଧାୟକମାନେ ପସନ୍ଦ ନକରି ସର୍କିଟ୍‍ ହାଉସ୍‍, ପୂର୍ତ୍ତ ବିଭାଗ ଡାକବଙ୍ଗଳା, ଅର୍ଥ ବିଭାଗର ଅତିଥି ଭବନ ଓ ଅନ୍ୟ ସରକାରୀ, ବେସରକାରୀ ସଂସ୍ଥାରେ ରହୁଛନ୍ତି । ଏହି ଅତିଥି ଭବନଟି ବର୍ଷ ବର୍ଷ ଧରି ଏକପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡିଥିବାବେଳେ ତାହା ନିଶାଡି ଓ ଅନ୍ୟ ଅସାମାଜିକ ବ୍ୟକ୍ତିମାନଙ୍କର ପେଣ୍ଠସ୍ଥଳୀ ହୋଇଥିବା ଘେନି ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ଆସୁଛି ।

ଏହି ଅତିଥି ଭବନକୁ ସଂଖ୍ୟାଧିକ ବିଧାୟକ ପସନ୍ଦ କରୁନଥିଲେ ମଧ୍ୟ ଏହାର ମରାମତି ଓ ପୁନଃନିର୍ମାଣ ଓ ରକ୍ଷଣାବେକ୍ଷଣ ବାବଦରେ ଗତ ୧୨ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ବରବାଦ୍‍ ହେଲାଣି । ବିଧାୟକ ରହୁନଥିବାବେଳେ ଏଠାରେ କିନ୍ତୁ ଅତିଥି ଭବନ ଜଗି କର୍ମଚାରୀ ପଡିରହିଛନ୍ତି ଓ ସେମାନଙ୍କୁ ରାଜକୋଷରୁ ପାରିଶ୍ରମିକ ଦିଆଯାଉଛି । ଏହାଛଡା କର୍ତ୍ତୃପକ୍ଷ ମଧ୍ୟ ପାଣି, ବିଦ୍ୟୁତ୍‍ ଓ ଫୋନ୍‍ ବିଲ୍‍ ଦେଇ ଦେଇ ହାଲିଆ ହୋଇପଡିଲେଣି ।

ପୁରୀର ଜଣାଶୁଣା ସମାଜସେବୀ ବଦ୍ରି ମିଶ୍ର ଅଭିଯୋଗ କରିଛନ୍ତି ଯେ ବିଧାୟକ ମାନଙ୍କ ପାଇଁ ନିର୍ମିତ ସ୍ୱତନ୍ତ୍ର ଅତିଥି ଭବନ ବସ୍ତୁତଃ ନିଶାଡି ଓ ଅନ୍ୟ ଅସାମାଜିକ ବ୍ୟକ୍ତିମାନଙ୍କ ରାଜଧାନୀ ହୋଇଛି । ଏହି ଅତିଥି ଭବନର ପାଣିରେ ବହୁ ଲୋକଙ୍କ ଗାଡି ମାଗଣାରେ ଧୂଆ ଯାଉଛି । ଅତିଥି ଭବନର ଫାଟକ ଇତିମଧ୍ୟରେ କେତେଥର ବଦଳି ସାରିଲାଣି । ଏହାଏବେ ଏକପ୍ରକାର ଭୂତକୋଠି ଭଳି ହୋଇପଡିଥିବାବେଳେ ଅତିଥିଭବନ ଚାରିପଟେ ବସ୍ତି ଗଢି ଉଠିଲାଣି ।

ବିଧାୟକମାନଙ୍କ ପାଇଁ ପୁରୀରେ ୨୦୦୯ ମସିହାରେ ନିର୍ମିତ ଅତିଥି ଭବନ ଏଭଳି ସ୍ଥିତିରେ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ଗୋଟିଏ ଗୋଟିଏ ବିଧାୟକ ଭବନ ନିର୍ମାଣ କରିବା ପାଇଁ ସରକାର ଚିନ୍ତା କରିଥିବା ସମ୍ବାଦ ଗଣମାଧ୍ୟମରେ ପ୍ରକାଶ ପାଇଛି । ସବୁ ଜିଲ୍ଲାରେ ସର୍କିଟ୍‍ ହାଉସ୍‍, ଡାକବଙ୍ଗଳା ଆଦି ରହିଛି ଏବଂ ସେଠାରେ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ଆଦି ରହିପାରୁଥିବାବେଳେ ଗରିବଙ୍କ ରାଜକୋଷରୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସବୁଜିଲ୍ଲାରେ ବିଧାୟକ ଭବନ ନିିର୍ମାଣ କରାଯିବା ପ୍ରାସଙ୍ଗିକତା କ’ଣ ରହିଛି ବୋଲି ଶ୍ରୀ ମିଶ୍ରଙ୍କ ସମେତ ଅନେକ ସମାଜସେବୀ ପ୍ରଶ୍ନ ଉଠାଉଛନ୍ତି ।

ଗରିବ ଲୋକଙ୍କ ଟିକସ ପଇସା ଓ ଋଣ ଅର୍ଥରେ ସମୃଦ୍ଧ ରାଜକୋଷର ପ୍ରତିଟି ଟଙ୍କା ଠିକଣା ଭାବେ ବିନିଯୋଗ କରି ରାଜ୍ୟର ଆର୍ଥିକ ସାମାଜିକ ଓ ସାଂସ୍କୃତିକ ବିକାଶ କିଭଳି ବ୍ୟାପକ ହୋଇପାରିବ ତାହା ଉପରେ ଧ୍ୟାନ ଦେବାପାଇଁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଛଡା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ସରକାରୀ ଡାକବଙ୍ଗଳା ବହୁ ସମୟରେ ଖାଲି ପଡୁଥିବାବେଳେ ସେଠାରେ ୫ଏକର ଜମି ଉପରେ ୫୦କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ ନିର୍ମାଣ ନକରି ଏହି ଅର୍ଥରେ ମୟୂରଭଞ୍ଜ ଜିଲ୍ଲାର ବାସହୀନ ଆଦିବାସୀମାନଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଘର ତିଆରି ବାରିବାକୁ ମଧ୍ୟ ସେମାନେ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)