Home Mining ଓଡିଶାକୁ ୪୧ଟି ଖଣିଜ ପ୍ରକଳ୍ପ

ଓଡିଶାକୁ ୪୧ଟି ଖଣିଜ ପ୍ରକଳ୍ପ

ଭୁବନେଶ୍ୱର : ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶାକୁ ଗତ ୫ବର୍ଷ ମଧ୍ୟରେ ଏକାଧିକ ଖଣିଜ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ଅତି କମ୍‍ରେ ୪୧ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାଯାଇଛି ।

୨୦୧୭-୧୮ ରେ ୨ଟି ଖଣିଜ ବ୍ଲକ ଘରୋଇ କ୍ଷେତ୍ରକୁ ମିଳିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥାକୁ ଗୋଟିଏ ଖଣିଜ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଥିଲା । ୨୦୧୯-୨୦ ରେ ଓଡିଶାର ୨୩ଟି ଖଣିଜ ବ୍ଲକକୁ ଘରୋଇ କ୍ଷେତ୍ର ସପକ୍ଷରେ ଅନୁମୋଦନ ମିଳିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥାକୁ ମାତ୍ର ଗୋଟିଏ ଖଣିଜ ବ୍ଲକ ମିଳିପାରିଥିଲା ।

୨୦୨୦-୨୧ ରେ ଗୋଟିଏ ଘରୋଇ ସଂସ୍ଥାକୁ ଓଡିଶାରେ ଗୋଟିଏ ଖଣିଜ ପ୍ରକଳ୍ପ ଏବଂ ୩ଟି ଖଣିଜ ବ୍ଲକ ପାଇଁ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଥିଲା । ୨୦୧୧-୨୨ ରେ ୯ଟି ଘରୋଇ ସଂସ୍ଥାଙ୍କୁ ସେମାନଙ୍କ ସପକ୍ଷରେ ଖଣିଜ ବ୍ଲକ ମିଳିଥିବାବେଳେ ଏହି ସମୟରେ ଗୋଟିଏ ହେଲେ ରାଷ୍ଟ୍ରାୟତ ସଂସ୍ଥାକୁ ଏହା ମିଳିନଥିଲା ।

ତେଣୁ ଗତ ୫ବର୍ଷ ମଧ୍ୟରେ ୩୫ଟି ଖଣିଜ ପ୍ରକଳ୍ପ ଘରୋଇ ସଂସ୍ଥା ସପକ୍ଷରେ ମଞ୍ଜୁର ହୋଇଥିବାବେଳେ ୬ଟି ଖଣିଜ ବ୍ଲକକୁ କେନ୍ଦ୍ର ସରକାର ରାଷ୍ଟ୍ରାୟତ ସଂସ୍ଥା ସପକ୍ଷରେ ସବୁଜ ସଙ୍କେତ ଦେଇଥିଲେ । ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ୍‍ ୧୯୫୭ ୨୦୧୫ ଜାନୁୟାରୀ ୧୨ ତାରିଖରେ ସଂଶୋଧିତ ହୋଇଥିଲା ଯେଉଁଥିରେ ଖଣିଜ ରିହାତି ସହିତ ନିଲାମ ବ୍ୟବସ୍ଥା ଥିଲା ।

ଏହି ନୂତନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ପରିଲକ୍ଷିତ ହେବା ସହିତ ସମସ୍ତ ସ୍ତରର ଖଣିଜ ରିହାତି ଅନୁମୋଦନ ପାଇଁ ଥିବା ବାଧା ଦୂର ହୋଇଥିଲା । ବିଭିନ୍ନ ରାଜ୍ୟ ସରକାର ଖଣିଗୁଡିକର ନିଲାମ କରିଥିଲେ । ସେହିଭଳି ସରକାରୀ ସଂସ୍ଥାଗୁଡିକୁ ଏମଏମଡିଆର ଆଇନ୍‍ ୧୯୫୭ରୁ ଧାରା ୧୭ଏ ଅନୁଯାୟୀ ସରକାରୀ କମ୍ପାନୀମାନଙ୍କ ପାଇଁ ଖଣିଜ ରିହାତି ସୁବିଧା ରହିଛି ।

ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାରମାନଙ୍କ ଦ୍ୱାରା ୧୩୩ଟି ଖଣିଜ ବ୍ଲକର ନିଲାମ ହୋଇ ଘରୋଇ କମ୍ପାନୀକୁ ପ୍ରଦାନ କରାଯାଇଛି । ସେହିଭଳି ଏମଏମଡିଆର ଆଇନ୍‍ ୧୯୫୭ ର ଧାରା ୧୭ ଏ ଅନୁଯାୟୀ ସରକାରୀ କମ୍ପାନୀଗୁଡିକ ଲାଗି ବିଭିନ୍ନ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ୧୬ଟି ପ୍ରସ୍ତାବ ରାଜ୍ୟମାନଙ୍କୁ ଦିଆଯାଇଥିଲା । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ଖଣି କାର୍ଯ୍ୟପାଇଁ ମୋଟ୍‍ ୧୯,୨୬୭.୪୭ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି । ଓଡିଶା ଏ କ୍ଷେତ୍ରରେ ଆଗରେ ରହିଛି । ଏଠାରେ ଗତ ପାଞ୍ଚ ମଧ୍ୟରେ ଅତି କମ୍‍ରେ ୭୯୨୮.୬୨ ହେକ୍ଟର ଜଙ୍ଗଲ ଜମିର କିସମ ଖଣି କାର୍ଯ୍ୟ ପାଇଁ ପରିବର୍ତ୍ତନ ହୋଇଛି । (ତଥ୍ୟ)