ଭୁବନେଶ୍ୱର : ଓଡିଶାରେ ବିଧାନ ପରିଷଦ ଗଠନ ପ୍ରସ୍ତାବ କେନ୍ଦ୍ର ସରକାରଙ୍କର ସକ୍ରିୟ ବିଚାରାଧିନ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ।
ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କହିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ଆସାମ ସରକାର ବିଧାନ ପରିଷଦ ଗଠନ ପାଇଁ ସଙ୍କଳ୍ପ ପାରିତ କରିଛନ୍ତି । ଏହି ପ୍ରସ୍ତାବ ଏବେ ବିଚାରାଧିନ ଥିବାବେଳେ ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡାଯାଉଛି । ତେବେ ଏଥିପାଇଁ କୌଣସି ସମୟ ସୀମା ଦିଆଯାଇନଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ।
ତେବେ କେନ୍ଦ୍ର ମନ୍ତ୍ରୀ ଏଭଳି ତଥ୍ୟ ରଖିବାପରେ ଏହା ବିଜେଡି ପାଇଁ ଆଶ୍ୱସ୍ତିର କାରଣ ପାଲଟିଛି । କାରଣ ସମ୍ବିଧାନର ଧାରା ୧୬୯ ଅନୁଯାୟୀ ବିଧାନ ପରିଷଦ ଗଠନର ଆଶା ଉଜ୍ଜିବୀତ ହୋଇଛି । ଗତବର୍ଷ ଫେବୃୟାରୀ ମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ ରାଜ୍ୟସଭାରେ ସୂଚନା ଦେଇଥିଲେ ଯେ ବିଧାନ ପରିଷଦ ଗଠନ ନେଇ ଓଡିଶା ବିଧାନସଭାରେ ପାରିତ ହୋଇଥିବା ସଙ୍କଳ୍ପ କେନ୍ଦ୍ର ସରକାରଙ୍କର ହସ୍ତଗତ ହୋଇନାହିଁ ।
ଉଲ୍ଲେଖନୀୟ ଯେ ଓଡିଶା ବିଧାନସଭାରେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନ ପରିଷଦ ଗଠନ ପାଇଁ ସଙ୍କଳ୍ପ ପାରିତ ହୋଇଥିଲା । ଉଭୟ ବିରୋଧିଦଳ କଂଗ୍ରେସ ଓ ବିଜେପିର ଅନୁପସ୍ଥିତରେ ଏହି ସଙ୍କଳ୍ପ ବିଧାନସଭାରେ ପାରିତ ହୋଇଥିଲା । ମୋଟ୍ ୧୪୭ ବିଧାୟକଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦୪ ବିଧାୟକ ସଙ୍କଳ୍ପ ସପକ୍ଷରେ ମତ ଦେଇଥିଲେ ।
ଯୋଜନା ଅନୁଯାୟୀ ପ୍ରସ୍ତାବିତ ବିଧାନପରିଷଦରେ ୪୯ଜଣ ସଦସ୍ୟ ରହିବେ ଯାହାକି ବିଧାନଭା ଆସନର ଏକ ତୃତୀୟାଂଶ । ବିଧାନ ପରିଷଦର ୧୬ଜଣ ସଦସ୍ୟ ବିଧାୟକଙ୍କ ଦ୍ୱାରା ର୍ନିବାଚିତ ହେବେ ଏବଂ ସମାନ ସଂଖ୍ୟକ ସଦସ୍ୟ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ପୌରସଂସ୍ଥା ଦ୍ୱାରା ନିର୍ବାଚିତ ହେବେ । ଶିକ୍ଷକ ଏବଂ ସ୍ନାତକଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ତାଲିକା ଦ୍ୱାରା ଚାରି ଜଣ କରି ସଦସ୍ୟ ନିର୍ବାଚିତ ହେବେ । ଅନୁରୂପ ଭାବେ ରାଜ୍ୟପାଳଙ୍କ ଦ୍ୱାରା ୯ଜଣ ସଦସ୍ୟ ମନୋନୀତ ହେବେ । ତେବେ ଛଅଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ବିଧାନ ପରିଷଦ ରହିଛି । (ତଥ୍ୟ)