ଭୁବନେଶ୍ୱର : ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଅଦାଲତରେ ମାମଲା ରୁଜୁ ହେବାରେ ଲାଗିଛି । ପୁରୁଣା ବର୍ଷର ଉପସ୍ଥାନକୁ ଆଧାର କରି ବିଦ୍ୟାଳୟଗୁଡିକୁ ବନ୍ଦ ନୋଟିସ୍ ପଠାଯାଉଥିବାରୁ ଏଭଳି ସ୍ଥିତି ଉପୁଜିଛି ।
ଯେଉଁ ସରକାରୀ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବେ ସେଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସିଡ୍ୟୁଲ ଇଲାକାରେ ୨୦ ଓ ଅଣସିଡ୍ୟୁଲ ଇଲାକାରେ ୨୫ଥିଲା । ତେବେ ବିଧାନସଭାରେ ଏ ନେଇ ସଦସ୍ୟମାନେ ହଟଗୋଳ କରିବାପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ପରିବର୍ତ୍ତନ କରାଯାଇଥିଲା । ସିଡ୍ୟୁଲ ଇଲାକା ପାଇଁ ଏହି ସଂଖ୍ୟା ୧୫ ଓ ଅଣସିଡ୍ୟୁଲ ଅଞ୍ଚଳ ପାଇଁ ଏହା ୨୦ ରହିଥିଲା ।
ତେବେ କରୋନା ସଂକ୍ରମଣ ସମୟରେ ଯେଉଁସବୁ ବିଦ୍ୟାଳୟରେ ସରକାରଙ୍କ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ସେହିସବୁ ବିଦ୍ୟାଳୟର ପୂର୍ବବର୍ଷର ଉପସ୍ଥାନ ହିସାବକୁ ନେଇ ବନ୍ଦ ନୋଟିସ୍ ଦିଆଗଲା । ଇତି ମଧ୍ୟରେ ଅନେକ ବିଦ୍ୟାଳୟକୁ କର୍ତ୍ତୃପକ୍ଷ ବନ୍ଦ କରି ସାରିଛନ୍ତି । ବିଶେଷକରି ଜଗତ୍ସିଂହପୁର ଭଳି ଉପକୂଳ ଜିଲ୍ଲାରେ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି । ଯେଉଁସବୁ ବିଦ୍ୟାଳୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ନାମ ଲେଖାଇଛନ୍ତି ତାହାକୁ କର୍ତ୍ତୃପକ୍ଷ ପୂର୍ବବର୍ଷ ଉପସ୍ଥାପନ ଆଧାରରେ ବନ୍ଦ ନୋଟିସ୍ ଦେଇଛନ୍ତି ।
ଏହି ସମସ୍ୟାର ସମାଧାନ ପାଇଁ ଗାଁ ଗହଳର ଲୋକେ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗର ଅଧିକାରୀଙ୍କ ପର୍ଯ୍ୟନ୍ତ ଦଉଡୁଥିଲେ ମଧ୍ୟ କେହି କିଛି ସହାୟତା କରିପାରୁ ନାହାନ୍ତି । ସରକାରଙ୍କ ନିଷ୍ପତ୍ତି କହି ସମସ୍ତେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛନ୍ତି । ଏଥି ଯୋଗୁଁ ଅନେକ ସ୍ଥାନରେ ଗାଁ ଲୋକେ ବାଧ୍ୟ ହୋଇ ଆଇନ୍ ଅଦାଲତର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବିଦ୍ୟାଳୟ ମିଶ୍ରଣର ସ୍ଥିତି କ୍ଷେତ୍ର ସ୍ତରରେ କିଭଳି ରହିଛି ତାହା ନିଜ ଆଖିରେ ଦେଖିବାକୁ ଅଧିକାରୀମାନେ ଯାଉ ନାହାନ୍ତି । ଗୋଟିଏ ଗୋଟିଏ ବିଦ୍ୟାଳୟରେ ଦୁଇ ତିନିଟି ବିଦ୍ୟାଳୟକୁ ମିଶାଇ କାଗଜପତ୍ର କାମ ସାରିଦେଉଥିବାବେଳେ ସେଠାରେ ଛାତ୍ରଛାତ୍ରୀଙ୍କ ବସିବା ସ୍ଥାନ, ବନ୍ଦ ହେଉଥିବା ବିଦ୍ୟାଳୟର ଦୂରତା, ସଡକ ସୁବିଧା ଆଦି ସଂକ୍ରାନ୍ତରେ ଧ୍ୟାନ ଦିଆଯାଉ ନାହିଁ । ଏଥିଯୋଗୁଁ ଅନେକ ସ୍ଥାନରେ ଲୋକେ ବାଧ୍ୟହୋଇ ଆଇନ୍ ଅଦାଲତକୁ ଯାଉଛନ୍ତି ନହେଲେ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ନେଇ ଯାଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୭୪୦୫ଟି ସରକାରୀ ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରେ ସାମିଲ ପାଇଁ ପ୍ରସ୍ତାବ ରଖିଥିବାବେଳେ ଏହାକୁ ବିରୋଧ କରି ୧୫ଟି ଜିଲ୍ଲାରୁ ୩୨ଟି ମାମଲା ରୁଜୁ ହୋଇ ସାରିଥିଲା । ବର୍ତ୍ତମାନ କର୍ତ୍ତୃପକ୍ଷ ଯେଭଳି ପୁରୁଣା ଉପସ୍ଥାନକୁ ଆଧାର କରି ସ୍କୁଲ ବନ୍ଦ ନୋଟିସ୍ ପଠାଉଛନ୍ତି ଏହା ଦ୍ୱାରା ମାମଲା ସଂଖ୍ୟା ବହୁଗୁଣିତ ହେବା ସହିତ ଆଗାମୀ ଦିନରେ ଶିକ୍ଷା ବିଭାଗର ବାବୁମାନଙ୍କ ଅଧିକାଂଶ ସମୟ ଅଦାଲତରେ ବିତିବ ବୋଲି ମତପ୍ରକାଶ ପାଉଛି ।