Home General ବିଦ୍ୟାଳୟରେ ଇଣ୍ଟରନେଟ୍‍ କ୍ଷେତ୍ରରେ ଓଡିଶା ପଛରେ

ବିଦ୍ୟାଳୟରେ ଇଣ୍ଟରନେଟ୍‍ କ୍ଷେତ୍ରରେ ଓଡିଶା ପଛରେ

ଭୁବନେଶ୍ୱର : ରାଜ୍ୟର ୧୦ ପ୍ରତିଶତ ସରକାରୀ ବିଦ୍ୟାଳୟରେ ବି ଇଣ୍ଟରନେଟ୍‍ ସଂଯୋଗ ନାହିଁ । ପଡୋଶୀ ରାଜ୍ୟମାନଙ୍କ ତୁଳନାରେ ଓଡିଶା ଏ କ୍ଷେତ୍ରରେ ଢେର ପଛରେ ପଡିଛି ।

ନିକଟରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାସ ସରକାର ଲୋକସଭାରେ ଦେଶର ବିଦ୍ୟାଳୟ ଗୁଡିକରେ ଇଣ୍ଟରନେଟ୍‍ ସଂଯୋଗ ନେଇ ରଖିଥିବା ସୂଚନାରୁ ଏହା ଜଣାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଓଡିଶାରେ ମୋଟ୍‍ ୪୯,୦୭୨ଟି ସରକାରୀ ବିଦ୍ୟାଳୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୯୭୦ଟି ବିଦ୍ୟାଳୟରେ ଇଣ୍ଟରନେଟ୍‍ ସଂଯୋଗ ରହିଛି । ତେବେ ଓଡିଶାର ପଡୋଶୀ ରାଜ୍ୟମାନେ ଏ କ୍ଷେତ୍ରରେ ଢେର ଆଗରେ ରହିଛନ୍ତି ।

ଆନ୍ଧ୍ରପ୍ରଦେଶରେ ୪୫,୧୩୭ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୨୦,୩୧୩ଟି ବିଦ୍ୟାଳୟରେ ଇଣ୍ଟରନେଟ୍‍ ସଂଯୋଗ ଥିବାବେଳେ ଛତିଶଗଡରେ ୪୮,୭୧୩ଟି ବିଦ୍ୟାଳୟ ମଧ୍ୟରୁ ୧୬,୪୬୯ଟିରେ, ଝାଡଖଣ୍ଡରେ ୩୫,୮୪୦ଟି ବିଦ୍ୟାଳୟ ମଧ୍ୟରୁ ୧୨,୦୫୩ଟି ବିଦ୍ୟାଳୟରେ ଓ ପଶ୍ଚିମବଙ୍ଗରେ ୮୩,୦୩୦୨ଟି ବିଦ୍ୟାଳୟ ମଧ୍ୟରୁ ୧୨,୯୧୮ଟି ବିଦ୍ୟାଳୟରେ ଇଣ୍ଟରନେଟ୍‍ ସଂଯୋଗ ରହିଛି ।

ତେବେ ସର୍ବଭାରତୀୟ ସ୍ତରରେ ୧୦,୨୨,୩୮୬ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୨.୪୭ଲକ୍ଷ ବିଦ୍ୟାଳୟରେ ଇଣ୍ଟରନେଟ୍‍ ସଂଯୋଗ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଏଥି ମଧ୍ୟରୁ ରାଜସ୍ଥାନର ସର୍ବାଧିକ ୩୬,୮୮୯ଟି ବିଦ୍ୟାଳୟରେ ଇଣ୍ଟରନେଟ୍‍ ସଂଯୋଗ ରହିଥିବାବେଳେ ଗୁଜୁରାଟରେ ୩୨,୬୮୧ଟି ବିଦ୍ୟାଳୟରେ ଏହି ସୁବିଧା ରହିଛି । ତେବେ ଗୁଜୁରାଟରେ ମୋଟ୍‍ ୩୪,୬୬୯ ଟି ସରକାରୀ ବିଦ୍ୟାଳୟ ଥିବାବେଳେ ରାଜସ୍ଥାନରେ ଏହି ସଂଖ୍ୟା ୬୮,୯୪୮ ରହିଛି ।

ସରାକାରୀ ବିଦ୍ୟାଳୟକୁ ଇଣ୍ଟରନେଟ୍‍ ସଂଯୋଗ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏଥିପାଇଁ ବିଏସଏନଏଲ ସହିତ ରାଜିନାମା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୁହାଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ଯେଉଁସବୁ ବିଦ୍ୟାଳୟରେ ଆଇସିଟି ଲାବ୍‍ ରହିଛି ସେଠାକୁ ଇଣ୍ଟରନେଟ୍‍ ସଂଯୋଗ ଦେବାକୁ କୁହାଯାଇଛି । ଯେଉଁସବୁ ବିଦ୍ୟାଳୟରେ ଏହି ଧରଣର ଲାବ୍‍ ନାହିଁ ସେଠାକୁ ମଧ୍ୟ ଇଣ୍ଟରନେଟ୍‍ ସଂଯୋଗ ମିଳିବ ଏବଂ ଏହାର ବ୍ୟୟଭାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିଜସ୍ୱ ପାଣ୍ଠିରୁ ଭରଣା କରିବେ ।

ତେବେ କୋଭିଡ ଓ ଏହାର ପରବର୍ତ୍ତୀ କାଳରେ ପାଠପଢା କ୍ଷେତ୍ରରେ ଇଣ୍ଟରନେଟ୍‍ର ବହୁଳ ବ୍ୟବହାର ହେଉଥିବାବେଳେ ଓଡିଶାରେ ୪ହଜାର ବିଦ୍ୟାଳୟରେ ଇଣ୍ଟରନେଟ୍‍ ସୁବିଧା ନଥିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଯେଉଁସବୁ ବିଦ୍ୟାଳୟରେ ଆଇସିଟି ଲାବ୍‍ ଥିଲା ସେଠାରେ ଇଣ୍ଟରନେଟ୍‍ ଥିବାବେଳେ ବର୍ତ୍ତମାନ ପ୍ରଶିକ୍ଷକ ଅଭାବରୁ ଅଧିକାଂଶ ଲାବ୍‍ରେ ତାଲା ଝୁଲୁଛି । ତେଣୁ ସେଠାରେ ଇଣ୍ଟରନେଟ୍‍ ସଂଯୋଗ ଥିଲେ ବି କାର୍ଯ୍ୟରେ ଆସିପାରୁ ନାହିଁ । ଯେଉଁସବୁ ବିଦ୍ୟାଳୟରେ ଇଣ୍ଟରନେଟ୍‍ ଆବଶ୍ୟକ ହେଉଛି ସେଠାରେ ଏବେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ ପାଣ୍ଠିରୁ ସାମୟିକ ଭାବେ ସଂଯୋଗ ଆଣୁଥିବାବେଳେ ଏହା ସରକାରୀ ତାଲିକାରେ ଉଲ୍ଲେଖ ରହୁନାହିଁ । (ତଥ୍ୟ)