ଭୁବନେଶ୍ୱର : ରାଜ୍ୟର ତାପଜ କେନ୍ଦ୍ରରୁ ବାହାରୁଥିବା ପାଉଁଶ ବିଦେଶକୁ ରପ୍ତାନି ହେଉଛି । ଏଥି ସହିତ ଆଉ କିଛି ପାଉଁଶକୁ କୃଷି କାର୍ଯ୍ୟରେ ମୃତ୍ତିକା ବିଶୋଧନ ପାଇଁ ବ୍ୟବହାର କରାଯାଉଛି ।
ତାପଜ କେନ୍ଦ୍ରରୁ ବାହାରୁଥିବା ପାଉଁଶକୁ ନେଇ ଦିନକୁ ଦିନ ଚିନ୍ତା ବଢୁଥିବାବେଳେ ନିକଟରେ ରାଜ୍ୟ ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ଜିଲ୍ଲାରେ ଥିବା ତାପଜ କେନ୍ଦ୍ରରୁ ବର୍ଷକୁ ୫୦ ନିୟୁତ ଟନ୍ରୁ ଅଧିକ ପାଉଁଶ ବାହାରୁଛି । ଏହି ପାଉଁଶ ମଧ୍ୟରେ ଫ୍ଲାଏ ଆଶ୍ ଓ ବଟମ୍ ଆଶ୍ ଥିବା କୁହାଯାଇଛି ।
ତେବେ ପାଉଁଶ ପରିଚାଳନା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ ଉଳ୍ଲେଖ କରିଛନ୍ତି ଯେ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ୍ ୩୭ଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ ଅନୁଗୁଳ, ଝାରସୁଗୁଡା, ଓ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୫ଟି କରି ରହିଛି । ସେହଭଳି ଢେଙ୍କାନାଳ, ଓ ସୁନ୍ଦରଗଡରେ ୪ଟି କରି ତାଜପ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ କଟକରେ ୩ଟି, ଯାଜପୁର, ଜଗତ୍ସିଂହପୁର ଓ ରାୟଗଡାରେ ୨ଟି କରି ଏବଂ ବାଲେଶ୍ୱର, ଭଦ୍ରକ, କେରାପୁଟ, କେନ୍ଦଝୁର, କଳାହାଣ୍ଡିରେ ଗୋଟିଏ କରି ତାପଜ କେନ୍ଦ୍ର ରହିଛି ।
୨୦୨୩-୨୪ ବର୍ଷରେ ଏହିସବୁ ତାପଜ କେନ୍ଦ୍ରରୁ ୫୧.୦୬ ନିୟୁତ ମେଟ୍ରିକ ଟନ୍ ପାଉଁଶ ବାହାରିଛି । ଏଥି ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୪.୬୪ ନିୟୁତ୍ ଟନ୍ ପାଉଁଶ ବାହାରିଥିବାବେଳେ ଝାରସୁଗୁଡା ଜିଲ୍ଲାରୁ ୧୨.୧୨ ନିୟୁତ ଟନ୍ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୫.୧୭ ନିୟୁତ ଟନ୍ ପାଉଁଶ ବାହାରିଛି । ୫ଟି ତାପଜ କେନ୍ଦ୍ର ଥିବା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରୁ ଏହି ବର୍ଷ ମାତ୍ର ୪.୩୦ ନିୟୁତ ଟନ୍ ପାଉଁଶ ବାହାରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ପାଉଁଶ ପରିଚାଳନା ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୧ ଡିସେମ୍ବର ୩୧ ତାରିଖରେ ପାଉଁଶ ପରିଚାଳନା ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ବୈଠକ ବସି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥି ମଧ୍ୟରେ ଇଟା ଓ ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ସଡକ ଓ ଫ୍ଲାଏ ଓଭରର ନିର୍ମାଣ, ସିମେଣ୍ଟ ତିଆରି, ଖାଲୁଆ ଅଞ୍ଚଳ ଓ ଖଣି ଗର୍ତ୍ତ ଓ କୃଷି କ୍ଷେତ୍ରରେ ମୃତ୍ତିକା ବିଶୋଧନ କରାଯାଇଥାଏ । ତେବେ ଏହି ମୃତ୍ତିକା ବିଶୋଧନ ମାଟିର ଗୁଣବତ୍ତା ପରୀକ୍ଷା ଆଧାରରେ ହୋଇଥାଏ ।
ଏହାଛଡା ତାପଜ କେନ୍ଦ୍ରରୁ ବାହାରୁଥିବା ପାଉଁଶ ମଧ୍ୟ ବିଦେଶକୁ ରପ୍ତାନି ହୋଇଥାଏ । ଅବଶିଷ୍ଟ ପାଉଁଶକୁ ପାଉଁଶ ପୋଖାରୀରେ ଗଚ୍ଛିତ ରଖାଯାଇଥାଏ । ପାଉଁଶ ପରିଚାଳନା ଜନିତ ଜଳ, ବାୟୁ ଓ ମୃତ୍ତିକା ପରିଚାଳନା ନେଇ ସରକାର ସଚେତନ ଥିବାବେଳେ ଏ ବାବଦରେ କିନ୍ତୁ ବିଭାଗ ପକ୍ଷରୁ କୌଣସି ଅର୍ଥ ବ୍ୟୟ ହୋଇନଥାଏ । (ତଥ୍ୟ)