ଭୁବନେଶ୍ୱର : କୃଷକଙ୍କ ଆୟ ବହୁଗୁଣିତ ଲାଗି ସରକାର ଏକାଧିକ ଯୋଜନା କରୁଥିବାବେଳେ କୃଷି କ୍ଷେତ୍ରରେ ବିଜୁଳି ବ୍ୟବହାର କିନ୍ତୁ ଆଶାଜନକ ନୁହେଁ । ସମଗ୍ର ରାଜ୍ୟରେ ବର୍ଷକୁ ୭୦୦ ନିୟୁତ ୟୁନିଟ୍ ବିଜୁଳି ବି କୃଷି କ୍ଷେତ୍ରରେ ବ୍ୟବହାର ହେଉନାହିଁ । ଅନ୍ୟ ପକ୍ଷରେ ଶିଳ୍ପରେ ସର୍ବାଧିକ ବିଜୁଳି ବ୍ୟବହାର ହେଉଥିବା ଜଣାଯାଇଛି ।
କୃଷି କ୍ଷେତ୍ରରେ ସାଧାରଣତଃ ଶୀତଳଭଣ୍ଡାର ଓ ଜଳସେଚନ ପାଇଁ ବିଜୁଳିର ବହୁଳ ବ୍ୟବହାର ହୋଇଥାଏ । ଏହାଛଡା ଚାଷୀମାନେ ଫସଲ ଅମଳ ପାଇଁ ବିଜୁଳି ବ୍ୟବହାର କରୁଥିଲେ ମଧ୍ୟ ଏହାର ପରିମାଣ ଅତି ନଗଣ୍ୟ ରହିଥାଏ । ତେବେ ଅନୁଧ୍ୟାନରୁ ଜଣାଯାଇଛି ଯେ ୨୦୧୫-୧୬ ବର୍ଷରେ ଚାଷୀମାନେ ୧୦୦ କୋଟି ଟଙ୍କାରୁ କମ୍ ବିଜୁଳି ବ୍ୟବହାର କରିଥିବାବେଳେ ୨୦୧୯-୨୦ ରେ ଏହା ୧୭୪କୋଟି ଟଙ୍କାରୁ କମ୍ ରହିଛି । ଏହି ବର୍ଷ ଚାଷୀମାନେ ୬୭୧ ନିୟୁତ ୟୁନିଟ୍ ବିଜୁଳି ବ୍ୟବହାର କରିଛନ୍ତି । ସର୍ବାଧିକ ଚାଷୀ ଟିପିଡବ୍ଲ୍ୟୁଓଡିଏଲ୍ କମ୍ପାନୀ ଅଧିନରେ ଥିବାବେଳେ ସବୁଠାରୁ କମ୍ ଚାଷୀ ଟିପିଏସ୍ଓଡିଏଲ୍ ଅଧିନରେ ରହିଛନ୍ତି ।
ଶୀତଳଭଣ୍ଡାର ଗୁଡିକରେ ସର୍ବାଧିକ ବିଜୁଳି ବ୍ୟବହାର ହେଉଥିବାବେଳେ ରାଜ୍ୟରେ କମ୍ ସଂଖ୍ୟକ ସଚଳ ଶୀତଳଭଣ୍ଡାର ଓ ଅଧିକ ସଂଖ୍ୟକ ଅଚଳ ଶୀତଳଭଣ୍ଡାର ଥିବାରୁ ବିଜୁଳି ବ୍ୟବହାର କମ୍ ରହୁଛି । କୌଣସି ଗୋଟିଏ ହେଲେ ବିତରଣ କମ୍ପାନୀ ଅଧିନରେ ବର୍ଷକୁ ୧୦୦ ନିୟୁତ ୟୁନିଟ୍ ବିଜୁଳି ଶୀତଳଭଣ୍ଡାରରେ ଖର୍ଚ୍ଚ ହେଉନାହିଁ । ଟିପିସିଓଡିଏଲ୍କୁ ବାଦ୍ ଦେଲେ ଅନ୍ୟ ତିନିଟି କମ୍ପାନୀ ଅଞ୍ଚଳରେ ଶୀତଳଭଣ୍ଡାରରେ ବର୍ଷକୁ ବିଜୁଳି ଖର୍ଚ୍ଚ ୧୫ନିୟୁତ ୟୁନିଟ୍ ବି ଟପିପାରୁ ନାହିଁ ।
ଶୀତଳଭଣ୍ଡାରରେ ବିଜୁଳି ଦର ୟୁନିଟ୍ ପିଛା ୪ଟଙ୍କା ୪୦ ପଇସା ଧାର୍ଯ୍ୟ ହୋଇଥିବାବେଳେ ନୂଆକରି ପ୍ରତିଷ୍ଠା ହେଉଥିବା ଶୀତଳଭଣ୍ଡାର ପାଇଁ ରାଜ୍ୟ ସରକାର ବିଜୁଳି ରିହାତି ଘୋଷଣା କରିଛନ୍ତି । ତଥାପି ବି ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ କୌଣସି ଉଦ୍ୟୋଗୀ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଅନ୍ୟ ପକ୍ଷରେ ସରକାରୀ ଶୀତଳଭଣ୍ଡାର ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଏଥିଯୋଗୁଁ କୃଷି କ୍ଷେତ୍ରରେ ଯେତେ ପରିମାଣରେ ବିଜୁଳି ବ୍ୟବହାର ହେବାକଥା ତାହା ହେଉନାହିଁ । ସେହିଭଳି ଜଳସେଚନ ପାଇଁ ବିଜୁଳି ବ୍ୟବହାର କମ୍ ରହିବାର କାରଣ ହେଉଛି ବିଜୁଳି ଦର । ଦର ଉଚ୍ଚା ଯୋଗୁଁ ଅଧିକାଂଶ ସ୍ଥାନରେ ଚାଷୀମାନେ ଜଳସେଚନ ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ।
କେବଳ ଜଳସେଚନ ନୁହେଁ, ର୍ୟାରେ ପାନୀୟଜଳ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ବିଜୁଳି ବ୍ୟବହାର ଅତ୍ୟନ୍ତ ନଗଣ୍ୟ ରହିଛି । ପାନୀୟଜଳ ପାଇଁ ବର୍ଷକୁ ୨୫୫ ନିୟୁତ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର ହେଉଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନଗୁଡିକରେ ଏହା ୧୭୮ ନିୟୁତ ୟୁନିଟ୍ ରହିଥିବା ଜଣାଯାଇଛି । ତେବେ ଶିଳ୍ପସଂସ୍ଥାରେ ସର୍ବାଧିକ ୪୫୮୪ ନିୟୁତ ୟୁନିଟ୍ ବିଜୁଳି ବ୍ୟବହାର ହୋଇଛି । (ତଥ୍ୟ)