ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୩, ୧୪ ଓ ୧୫ ତାରିଖରେ ଓ.ଏଚ୍.ପି.ସି., ଓ.ପି.ଜି.ସି., ଓ.ପି.ଟି.ସି.ଏଲ୍. ଓ ଗ୍ରୀଡ୍କୋର ବାର୍ଷିକ ରାଜସ୍ୱ ଆବଶ୍ୟକତାକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର.ସି.) ପକ୍ଷରୁ ଜନଶୁଣାଣି ହେବାକୁ ଯାଉଛି । ଏହି ଜନଶୁଣାଣୀ ଆଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବାର ସମ୍ଭାବନା ରହିଛି ।
ବର୍ତ୍ତମାନ ୟୁନିଟ୍ ପିଛା ବିଦ୍ୟୁତ୍ ଗ୍ରାହକମାନେ ୩ ଟଙ୍କା ଦେଉଥିଲା ବେଳେ ଗ୍ରୀଡ୍କୋ ପକ୍ଷରୁ ବିଭିନ୍ନ ଆବଣ୍ଟନ କମ୍ପାନୀକୁ ଯୋଗାଇ ଦେଇଥିବା ବିଜୁଳି ୟୁନିଟ୍ ପିଛା ଟ.୩.୮୦ପଇସାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଅଛି । ଜନମତକୁ ବେଖାତିର କରି ଯଦି ଓ.ଇ.ଆର.ସି. କର୍ତ୍ତୃପକ୍ଷ ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବାକୁ ପଦକ୍ଷେପ ନିଅନ୍ତି, ତାହେଲେ ଗଣଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଓଡ଼ିଶା ହେଉଛି ଏକ ବିଜୁଳି ଉତ୍ପାଦକ ବଳକା ରାଜ୍ୟ । କିନ୍ତୁ ଏହି ରାଜ୍ୟରେ ବାରମ୍ବାର ଅଘୋଷିତ ବିଜୁଳିକାଟ ଦେଖିବାକୁ ମିଳୁଛି । ଆମ ରାଜ୍ୟରେ ବିଜୁଳି ଉତ୍ପାଦନର କଞ୍ଚାମାଲ୍ ଯଥା- ୨୬ ଭାଗ କୋଇଲା ଓ ୧୧ ଭାଗ ପାଣି ମିଳୁଛି । କିନ୍ତୁ ତା’ ସତ୍ତ୍ୱେ ଓଡ଼ିଶାରେ ବିଜୁଳି ମହଙ୍ଗା । ଆମଠାରୁ କୋଇଲା ନେଇ ବିଜୁଳି ଉତ୍ପାଦନ କରୁଥିବା ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ପ୍ରଭୃତି ରାଜ୍ୟରେ ବିଦ୍ୟୁତ୍ଶୁଳ୍କ ଯଥେଷ୍ଟ ଶସ୍ତା ରହିଛି । ତେଣୁ ରାଜ୍ୟବାସୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ଓ.ଇ.ଆର.ସି. କର୍ତ୍ତୃପକ୍ଷ ଶସ୍ତାରେ ବିଜୁଳି ଯୋଗାଇଦେବାକୁ ସେ ଦାବି କରିଛନ୍ତି ।
ସେହିଭଳି ରାଜ୍ୟର ଜନସାଧାରଣ ଓ ଚାଷୀମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାସିକ ବିଜୁଳି ମାଗଣାରେ ଯୋଗାଇଦେବା ସହିତ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଋତୁକୁ ଆଖି ଆଗରେ ରଖି ଅଘୋଷିତ ବିଜୁଳିକାଟ ବନ୍ଦ କରାଯାଉ । ରାଜ୍ୟରେ ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟାପକ ଭିତ୍ତିଭୂମି ଥିଲେ ସୁଦ୍ଧା ସେଥିପ୍ରତି ଓ.ଇ.ଆର.ସି. କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ବେହେରା କହିଛନ୍ତି ।
ତେଣୁ ଆଗାମୀ ଦିନରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବନ୍ଦ ରଖାଯାଉ, ତା’ ନହେଲେ ବିଜୁଳିକୁ ନେଇ ଜନସାଧାରଣଙ୍କ ଭିତରେ ଯେଉଁ ଜନଅସନ୍ତୋଷ ରହିଛି, ଏହାକୁ ପୁଞ୍ଜିକରି ବ୍ୟାପକ ଗଣ ଆନ୍ଦୋଳନ କରାଯିବ । ଟାଟା ପାୱାର ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ ମିଟର ବଦଳା ଯାଉଛି । ଖାଲି ଖରାପ ଥିବା ମିଟର ନୁହେଁ, ଏଭଳିକି ଚାଲୁ ଅବସ୍ଥାରେ ଥିବା ମିଟରକୁ ଟାଟା ପାୱାର କର୍ତ୍ତୃପକ୍ଷ ବଦଳାଇ ନିଜସ୍ୱ ମିଟର ବସାଉଛନ୍ତି । ଫଳରେ ବିଜୁଳି ବିଲ୍ ଅଧିକ ଉଠୁଛି ଏବଂ ଜନସାଧାରଣଙ୍କୁ ଅଧିକ ତଣ୍ଡ ଗଣିବାକୁ ପଡ଼ୁଛି । ମିଟର ବାବଦକୁ ପାଖାପାଖି ଜଣେ ଗ୍ରାହକକୁ ୧୦ରୁ ୧୨ ହଜାର ଟଙ୍କା କିସ୍ତି ଭିତ୍ତିରେ ଦେବାକୁ ହେଉଛି । ତେଣୁ ତୁରନ୍ତ ଏହି ମିଟର ବଦଳାଇବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ ଓ.ଇ.ଆର.ସି. କର୍ତ୍ତୃପକ୍ଷ ଓ ସରକାର ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।