Home Energy ବିଜୁଳି ଚୋରି ରୋକିବାକୁ ଅଭିଯାନ

ବିଜୁଳି ଚୋରି ରୋକିବାକୁ ଅଭିଯାନ

ଭୁବନେଶ୍ୱର : ବିଜୁଳି ଚୋରଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛି ଟିପିସିଓଡିଏଲ୍‍ । ଏଥିପାଇଁ କମ୍ପାନୀ ପକ୍ଷରୁ ୯୪୩୭୧୫୮୬୭୦ ଟେଲିଫୋନ୍‍ ନମ୍ବର ଜାରି ହୋଇଛି । ଯେକୌଣସି ବ୍ୟକ୍ତି ବିଜୁଳି ଚୋରି ସଂକ୍ରାନ୍ତରେ ଏହି ନମ୍ବରରେ ଏସ୍‍ଏମ୍‍ଏସ୍‍ କିମ୍ବା ଫୋନ୍‍ କରି ସୂଚନା ଦେଇପାରିବ । ଅଭିଯୋଗ ପାଇଲା ମାତ୍ରେ ଟିପିସିଓଡିଏଲ୍‍ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମହାମାରୀ ସମୟରେ ଗ୍ରାହକଙ୍କୁ ୨୪ଘଣ୍ଟିଆ ବିଜୁଳି ଯୋଗାଣ ଦିଗରେ ନିରନ୍ତର କାର୍ଯ୍ୟ ଚାଲୁଛି । କିନ୍ତୁ ଏହି ସମୟରେ ବିଦ୍ୟୁତ୍‍ ଚୋରି ହେତୁ ବିପୁଳ ପରିମାଣରେ କ୍ଷତି ସହିବାକୁ ପଡୁଛି । ବିଜୁଳି ଚୋରି ପାଇଁ ଭିତ୍ତିଭୂମି ବିକାଶରେ ବାଧା ସୃଷ୍ଟି ହେବା ସହିତ ଗ୍ରାହକଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ବାଧା ସୃଷ୍ଟି ହେଉଛି ।

ଯେଉଁ ଅସାଧୁ ଗ୍ରାହକମାନେ ବିଦ୍ୟୁତ୍‍ ଚୋରିରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‍ । ଏହାକୁ ଜୋରଦାର କରିବାଲାଗି ଟିପିସିଓଡିଏଲ୍‍ ଚୋରି ମାମଲା ରୁଜୁ କରିବାପାଇଁ ଏହାର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍କୁ ନିୟୋଜିତ କରିଛି ।

ସମ୍ପ୍ରତି ଏହି ଟିମ ଇଣ୍ଡିଆନ ଇଲେକଟ୍ରିସିଟି ଆକ୍ଟ ୨୦୦୩ର ଧାରା ୧୩୫ ଅନୁଯାୟୀ ନିମାପଡା ଡିଜିଜନର କୋଣାର୍କ ଅଞ୍ଚଳରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭାବରେ ବ୍ୟବହୃତ ଫାର୍ମହାଉସ୍‍ ବିରୁଦ୍ଧରେ ଗୋଟିଏ ଚୋରି ମାମଲା ରୁଜୁ କରିଛି । ସ୍ଥାନୀୟ ଚନ୍ଦ୍ରଭାଗା ଥାନାରେ ମାମଲା ରୁଜୁ ହେବା ସହିତ ଗ୍ରାହକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଟିପିସିଓଡିଏଲ୍‍ ଦ୍ୱାରା ୭କ୍ଷ ଟଙ୍କା ଜୋରିମାମଲା ଆଦାୟ ହୋଇଛି ।

ଟିପିସିଓଡିଏଲ୍‍ ତାହାର ଇଲାକାରେ ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ ନିୟୋଜିତ କରି ଗତ ଡିସେମ୍ବର ମାସରେ ୧୮୫୫ଟି ମାମଲାର ଯାଞ୍ଚ କରିବା ସହିତ ୨୮୬ଟି ମାମଲା ରୁଜୁ କରିଛନ୍ତି । ଗ୍ରାହକମାନେ ଏଣିକି ବିଦ୍ୟୁତ୍‍ ଚୋରି ସଂକ୍ରାନ୍ତରେ ଏସ୍‍ଏମ୍‍ଏସ୍‍ ଜରିଆରେ ରିପୋର୍ଟ କରିପାରିବେ । ଅଭିଯୋଗ ପାଇଲାମାତ୍ରେ ବିଜୁଳି ଚୋରି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିଜୁଳି ଚୋରି ରୋକିବାପାଇଁ ନିୟୋଜିତ ଏନ୍‍ଫୋର୍ସମେଣ୍ଟ ଟିମ୍‍ର କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଟିପିସିଓଡିଏଲ୍‍ର ମୁଖ୍ୟ କାର୍ଯ୍ୟ ନିବାହୀ ଏନ.ଶେନବାଗାମ କହିଛନ୍ତି ଯେ ବିଦ୍ୟୁତ୍‍ ଚୋରି ରୋକିବାପାଇଁ ଏହା ଏକ ପ୍ରୟାସ । ତେବେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ବର୍ଗଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏଥିରେ ସହଯୋଗ ଲାଗି ସେ ଅନୁରୋଧ କରିଛନ୍ତି ।