Home Energy ବିଜୁଳି କାଟ ଦେଖି ଛାନିଆ

ବିଜୁଳି କାଟ ଦେଖି ଛାନିଆ

ଭୁବନେଶ୍ୱର : ରାଜଧାନୀ ସମେତ ଉପକୂଳ ଓଡିଶାରେ ଗତକାଲି ପ୍ରଥମ କାଳବୈଶାଖୀ ବର୍ଷା ହୋଇଥିବାବେଳେ ଏଥିଯୋଗୁଁ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟରେ ଲୋକେ ନୟାନ୍ତ ହୋଇଛନ୍ତି । ସହରାଞ୍ଚଳରେ ପରୀକ୍ଷାର୍ଥୀଙ୍କ ସମେତ ରୋଗୀ ଓ ଅନ୍ୟମାନେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିଥିବାବେଳେ ଗାଁ ଗହଳରେ ବର୍ଷା ଆରମ୍ଭରୁ ବିଜୁଳି ଉଭାନ ହୋଇଯାଇଛି ।

ସାମାନ୍ୟ ବର୍ଷା ଓ ଦଲକାଏ ପବନରେ ସହରଠାରୁ ଗାଁ ପର୍ଯ୍ୟନ୍ତ ବିଜୁଳିର ଏଭଳି ଲୁଚାକାଳି ଖେଳକୁ ଦେଖି ଲୋକେ ଏବେ ଛାନିଆ ହୋଇଛନ୍ତି । ଯଦି ଆସନ୍ତା ୮/୯ ତାରିଖ ବେଳକୁ ଓଡିଶା ଉପକଳକୁ ଝଡବାତ୍ୟା ଆସିବ ତେବେ ବିଜୁଳି ଅବସ୍ଥା କ’ଣ ହେବ ସେହି ଚିନ୍ତା ଏବେ ଘାରିଛି । ଫଳରେ ଲୋକେ ଏବେ ବିବ୍ରତ ହୋଇ କିରୋସିନି, ମହମବତୀ, ବ୍ୟାଟେରୀ ଆଦି କିଣିବା ଆରମ୍ଭ କରିଛନ୍ତି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଦାହ ପରେ ମଙ୍ଗଳବାର ସଂଧ୍ୟାରେ ରାଜଧାନୀ ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତ୍‍ସିଂହପୁର ଓ ପୁରୀ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହିଥିଲା । ପବନର ବେଗ ଅତି ବେଶିରେ ୩୦ରୁ ୪୦ କିଲୋମିଟର ହେବ ବୋଲି ଆକଳନ କରାଯାଉଛି । ତେବେ ବର୍ଷା ଆରମ୍ଭ ମାତ୍ରେ ସହର ଠୁ ଗାଁ ଯାଏ ସବୁଠି ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଥିଲା ।

ରାଜ୍ୟର ଅନ୍ୟ ସ୍ଥାନ ତ ଦୂରରକଥା, ଖୋଦ ରାଜଧାନୀର ଲୋକସେବାଭବନ, ରାଜଭବନ, କ୍ୟାପିଟାଲ ହସ୍ପିଟାଲ ଆଦି ଭିଭିଆଇପି ସ୍ଥାନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଥିଲା । ଘଣ୍ଟା ଘଣ୍ଟା ଧରି ବିଜୁଳି ଯିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଠାରୁ ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହରକତ ହୋଇଥିଲେ । ଅବସ୍ଥା ଏଭଳି ହୋଇଥିଲା ଯେ ରାସ୍ତାଘାଟ ଅନ୍ଧାର ହୋଇଯିବା ଯୋଗୁଁ ଲୋକେ ଘର ବାହାରକୁ ବାହାରିନଥିଲେ ।

ତେବେ ଗାଁରେ ବିଦ୍ୟୁତ୍‍ କାଟ ଯୋଗୁଁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ଆରମ୍ଭ ମାତ୍ରେ ଜଗତ୍‍ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍‍ ହୋଇଥିଲା । ବର୍ଷା ଛାଡିବାପରେ ଲୋକେ ଭାବିଥିଲେ ବିଜୁଳି ଆସିବ । ହେଲେ ଅଧିକାଂଶ ସ୍ଥାନରେ ରାତିସାରା ବିଦ୍ୟୁତ୍‍ ଆସିପାରିନଥିଲା । ଫଳରେ ଲୋକେ ଗରମରେ ଛଟପଟ ହୋଇଥିଲେ ।

କାଳବୈଶାଖୀର ସାମାନ୍ୟ ପ୍ରଭାବରେ ରାଜଧାନୀର ଗାଁ ଗହଳ ପର୍ଯ୍ୟନ୍ତ ବିଜୁଳି ଉଭାନ ହେବାପରେ ଏବେ ଲୋକେ ଏବେ ଆତଙ୍କିତ । ବିଶେଷକରି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅବପାତର ରୂପ ନେଇ ଆସନ୍ତା ୮/୯ ତାରିଖ ବେଳକୁ ଓଡିଶା ଉପକୂଳ ଆସିବାର ପୂର୍ବାନୁମାନ କରାଯାଉଥିବାରୁ ଲୋକେ ଛାନିଆ ହେଉଛନ୍ତି । କାରଣ ପୂର୍ବରୁ ମଇ ମାସରେ ଆସିଥିବା ଫନି, ଅମ୍ଫାନ ସମୟରେ ବିଦ୍ୟୁତ୍‍ ବିଚ୍ଛିନ୍ନ ଜନିତ ଦୁର୍ଦ୍ଦଶାକୁ ଲୋକେ ଏବେ ବି ଭୁଲିପାରି ନାହାନ୍ତି । ତେଣୁ ଗତକାଲିର ପ୍ରଥମ କାଳବୈଶାଖୀରେ ବିଜୁଳିର ଲୁଚକାଳି ଦେଖିବାପରେ ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । (ତଥ୍ୟ)