ଭୁବନେଶ୍ୱର : ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କ ଋଣରେ ସମଗ୍ର ଦେଶରେ ପ୍ରଥମେ ଓଡ଼ିଶାରେ ବିଜୁଳି ସଂସ୍କାର ବା ବିଜୁଳିର ଘରୋଇକରଣ ଆରମ୍ଭ ହୋଇଥିଲା । ଲକ୍ଷ୍ୟଥିଲା ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଖାଉଟିମାନଙ୍କୁ ଯୋଗାଇଦେବା । କିନ୍ତୁ କେନ୍ଦ୍ର ସରକାରଙ୍କ ପାୱାର ଫାଇନାନ୍ସ କର୍ପୋରେସନ୍ର ରିପୋର୍ଟରେ ଯାହା ପ୍ରକାଶ ପାଇଛି, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ କମ୍ପାନୀ ଦ୍ୱାରା ଉପଭୋକ୍ତାଙ୍କ ଶୋଷଣ ।
ପାୱାର ଫାଇନାନ୍ସ କର୍ପୋରେସନର ୨୦୨୨-୨୩ ଆର୍ଥିକ ବର୍ଷର ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରରେ ଜଣେ ଉପଭୋକ୍ତା ୟୁନିଟ୍ ପିଛା ୫ଟଙ୍କା ୮ ପଇସା ଦେଉଥିଲା ବେଳେ ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉତ୍ପାଦକ ରାଜ୍ୟ ତଥା ବିଦ୍ୟୁତ୍ ବଳକା ରାଜ୍ୟରେ ଉପଭୋକ୍ତାଟିଏ ଦେଇଛି ୫ଟଙ୍କା ୯୮ ପଇସା । ଅର୍ଥାତ୍ ଗୋଟିଏ ବିଜୁଳି ୟୁନିଟ୍ରେ ଓଡ଼ିଶାର ଜଣେ ଉପଭୋକ୍ତା ୯୦ ପଇସା ଅଧିକା ଦେଇଛି । ଅର୍ଥାତ୍ କୋଟିଏ ଉପଭୋକ୍ତା ଏ ରାଜ୍ୟର ଗୋଟିଏ ବର୍ଷ (୨୦୨୨-୨୩) ଆର୍ଥିକ ବର୍ଷରେ ୪୬୦୦ ମିଲିୟନ୍ ୟୁନିଟ୍ ବିଜୁଳି ବ୍ୟବହାର କରି ହାରାହାରି ୪୦୦୦ କୋଟି ଟଙ୍କା ବିଜୁଳି ବିଲ୍ ବାବଦ ଲୁଟ୍ର ଶିକାର ହୋଇଛନ୍ତି ।
ସେହିଭଳି ଭାବରେ ପାୱାର ଫାଇନାନ୍ସ କର୍ପୋରେସନ୍ ୨୦୨୩-୨୪ ଆର୍ଥିକ ବର୍ଷରେ ଜାତୀୟସ୍ତରରେ ଜଣେ ଉପଭୋକ୍ତା ହାରାହାରି ୫ଟଙ୍କା ୬୪ ପଇସା ୟୁନିଟ୍ ପିଛା ଦେଉଥିଲା ବେଳେ ଓଡ଼ିଶାର ଜଣେ ଉପଭୋକ୍ତା ୟୁନିଟ୍ ପିଛା ଦେଇଛନ୍ତି ୫ଟଙ୍କା ୮୮ ପଇସା । ଅର୍ଥାତ୍ ଗୋଟିଏ ୟୁନିଟ୍ରେ ହାରାହାରି ୨୪ ପଇସା ଓଡ଼ିଶାର ଉପଭୋକ୍ତାମାନେ ଅଧିକା ଦେଇଛନ୍ତି । ତେଣୁ ହିସାବ କଲେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ଉପଭୋକ୍ତାମାନଙ୍କଠାରୁ ପାୱାର ଡିସ୍କମ୍ ମାନେ ୟୁନିଟ୍ ପିଛା ୨୪ ପଇସା ଅଧିକା ହିସାବରେ ୪୬୦୦ ମିଲିୟନ୍ ୟୁନିଟ୍ରେ ଲୁଟ୍ କରିଛନ୍ତି ହାରାହାରି ୧୧୦୦ କୋଟି ଟଙ୍କା । ଏହାହିଁ ହେଉଛି ଓଡ଼ିଶାରେ ବିଜୁଳି ସଂସ୍କାରର ବିଡ଼ମ୍ବନା ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି ।
ସେହିଭଳି ସରବରାହ ଜନିତ କ୍ଷତି ଜାତୀୟ ସ୍ତରରେ ୧୬.୧୨ ଭାଗ ଥିଲାବେଳେ ଓଡ଼ିଶାରେ ତାହା ୧୯.୫୩ ପ୍ରତିଶତ । ଗୋଟିଏ ପ୍ରତିଶତ ବିଜୁଳି କ୍ଷତି ଆମେ ଯଦି କମାଇ ପାରିବା ତାହେଲେ ୧୭୫ କୋଟିରୁ ୨୦୦ କୋଟି ଟଙ୍କା ଅର୍ଥ ରାଜକୋଷରେ ସଂଚୟ ହୋଇପାରିବ । ତେଣୁ ୩ ପ୍ରତିଶତ ଅଧିକ କ୍ଷତିକୁ ହିସାବକୁ ନେଲେ ଓଡ଼ିଶାରେ ସରବରାହ ଜନିତ କ୍ଷତି ବର୍ଷକୁ ହାରାହାରି କ୍ଷତି ୬୦୦ କୋଟି ଟଙ୍କା । ଯାହାକୁ କି ରାଜ୍ୟର ୧ କୋଟି ବିଜୁଳି ଉପଭୋକ୍ତା ବର୍ଦ୍ଧିତ ବିଜୁଳି ଶୁଳ୍କ ଜରିଆରେ ପରୋକ୍ଷ ଭାବରେ ଦେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ବିଜୁଳି ସଂସ୍କାର ଯେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛି, ଯେ ଉପଭୋକ୍ତାମାନେ ଟାଟା କମ୍ପାନୀର ଲୁଟ୍ ଓ ଶୋଷଣର ଶିକାର ହେଉଛନ୍ତି, ଏହା ଆମେ ସମସ୍ତେ ଅଙ୍ଗେ ନିଭାଉଛେ ।
ଉପଭୋକ୍ତାଙ୍କଠାରୁ ଲୁଟ୍ ହୋଇଥିବା ଏହି ଟଙ୍କାକୁ ସୁଧ ସହିତ ଫେରାଇବା ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଆଜି ଓ.ଇ.ଆର.ସି. ଅଧ୍ୟକ୍ଷଙ୍କ ପାଖରେ ଦାବି କରିଛି । ମହାସଂଘର ଏକ ୯ ଜଣିଆ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ ପଞ୍ଚାନନ କାନୁନ୍ଗୋ ନେତୃତ୍ୱରେ ସମ୍ପାଦକ ସର୍ବଶ୍ରୀ ରବି ବେହେରା, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ରାଧାକାନ୍ତ ସେଠୀ, ଆଇଏନ୍ଟିୟୁସିର ସାଧାରଣ ସମ୍ପାଦକ କିଶୋର ଜେନା, ଫରୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ସି.ପି.ଆଇ (ଏମ-ଏଲ୍) ରେଡ୍ଷ୍ଟାରର ସାଧାରଣ ସମ୍ପାଦିକା ପ୍ରମିକା ବେହେରା, ବସ୍ତି ସୁରକ୍ଷା ମଞ୍ଚର ହେନା ବାରିକ ଓ ଫରୱାର୍ଡ ବ୍ଲକର ସୁବତୀ ଦଳାଇ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀରେ ଯାଇ ଓ.ଇ.ଆର.ସି. ଅଧ୍ୟକ୍ଷଙ୍କ ସହିତ ୭ ଦଫା ଦାବି ନେଇ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା କରିଥିଲେ ।
ଏହି ଦାବି ଗୁଡ଼ିକ ମଧ୍ୟରେ (୧) ରାଜ୍ୟର କୋଟିଏ ଉପଭୋକ୍ତାଙ୍କଠାରୁ ଅଧିକ ବିଜୁଳି ବିଲ୍ ବାବଦରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଲୁଟ୍ ହୋଇଥିବା ହାରାହାରି ୫୨୦୦ କୋଟି ଟଙ୍କା ସୁଧ ସହିତ ଫେରାଇବା (୨) ସରବରାହ ଜନିତ କ୍ଷତିକୁ ଜାତୀୟ ସ୍ତରର କ୍ଷତି ସହିତ ସମାନ ୧୬% ସ୍ତକୁ ଆଣିବା (୩) ଓଡ଼ିଆ ଭାଷାରେ ବିଜୁଳି ବିଲ୍ ଦେବା ଓ ବିଜୁଳି ସମ୍ପର୍କିତ ନିୟମାବଳୀଗୁଡ଼ିକୁ ଓଡ଼ିଆରେ ଏକ ପୁସ୍ତିକା ଆକାରରେ ଛାପି ଉପଭୋକ୍ତମାନଙ୍କ ମଧ୍ୟରେ ବଣ୍ଟନ କରିବା, ଜିଲ୍ଲାପାଳଙ୍କ ଅଫିସ୍ ସମେତ ପଞ୍ଚାୟତ ଓ ପ୍ରତି ବିଦ୍ୟୁତ୍ ସେକସନ୍ରେ ବିଜୁଳି ସମ୍ପର୍କିତ ସମସ୍ୟା ପାଇଁ ନିଃଶୁଳ୍କ ଟେଲିଫୋନ୍ ନମ୍ବର ଯୋଗାଇଦେବା ଓ ରାଜ୍ୟସ୍ତରରେ ଜଣେ ନୋଡାଲ୍ ଅଫିସରଙ୍କୁ ଏଥିପାଇଁ ନିଯୁକ୍ତି ଦେବା (୪) ମିଟର ଓ ଏନର୍ଜି ଚାର୍ଜେସ୍ ନାମରେ ଉପଭୋକ୍ତାମାନେ ମାସକୁ ମାସ ଗଣୁଥିବା ୫୦ ରୁ ୮୦ ଟଙ୍କାକୁ ଉଚ୍ଛେଦ କରିବା (୫) ନୂଆ ଲାଇନ୍ ନେବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା (୬) ସବୁଜ ଶକ୍ତି, ଅକ୍ଷୟ ଶକ୍ତି, ପବନକଳ ଓ ଗୋବର ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରି ସବୁଜ ଶକ୍ତି ଆନ୍ଦୋଳନକୁ ବ୍ୟାପକ କରିବା, ଅଘୋଷିତ ପାୱାରକଟ୍ ବନ୍ଦ କରିବା (୭) ଟାଟା ପାୱାରର ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଶତକଡ଼ା ୭୫ ଭାଗ ଚାକିରି ସଂରକ୍ଷିତ ରଖିବା ଆଦି ଦାବି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଓ.ଇ.ଆର.ସି.ର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ ଜେନା ଉପଭୋକ୍ତା ମହାସଂଘର ପ୍ରତିନିଧିମାନଙ୍କର ଏହିସବୁ ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆଇନ୍ ଅନୁଯାୟୀ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।