ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇଣ୍ଡୋନେସିଆ ଗସ୍ତ ସମୟରେ ଭୁରିଭୁରି ପ୍ରଶଂସା କରିବା ଘଟଣା ଏବେ ଦଳମତ ନିର୍ବିଶେଷରେ ଚର୍ଚ୍ଚାର ବିଷୟ ହୋଇଛି । ଇଣ୍ଡୋନେସିଆ ସଂସଦରେ ଅଭିଭାଷଣ ରଖିବାବେଳେ ବିଜୁବାବୁଙ୍କ ସଂପର୍କରେ ଶ୍ରୀ ମୋଦି ଏଭଳି କହିଛନ୍ତି ।
ତେବେ ଇଣ୍ଡୋନେସିଆ ସହ ବିଜୁବାବୁଙ୍କ ସଂପର୍କ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ମାନ ରହିଛି । ନିଜେ ବିଜୁବାବୁ ମଧ୍ୟ ବଞ୍ôଚଥିବାବେଳେ ବିଭିନ୍ନ ସଭା ସମିତିରେ ତାଙ୍କ ଇଣ୍ଡୋନେସିଆ ଅନୁଭୂତି ବଖାଣିଛନ୍ତି । ଯେଉଁ ଦୁଃସାହସିକ ଅଭିଯାନରେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ଯାଇଥିଲେ ତାହା ପଛରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦ ଓ ପଣ୍ଡିତ ଜବାହରଲାଲ ନେହରୁଙ୍କ ପ୍ରେରଣା ଥିଲା ।
ଇତିହାସର ତଥ୍ୟ ମୁତାବକ ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିଜୁ ପଟ୍ଟନାୟକ ବ୍ରିଟିଶ ସରକାରଙ୍କ ପାଇଲଟ୍ ଥିଲେ । ସେ ବଡ଼ଲାଟ୍ଙ୍କ ବିମାନ ଚଳାଉଥିଲେ । ଏମିତିକି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଦୁଃସାହସିକ ଭୂମିକାର ସ୍ମୃ୍ତି ରୁଷିଆର କ୍ରେମଲିନ୍ରେ ଖୋଦିତ ହୋଇ ରହିଛି । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ଅରୁଣା ଅସଫ ଅଲ୍ଲୀ ଆଦିଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଦେଉଥିଲେ । ୧୯୪୩ ଜାନୁଆରୀ ମାସରେ ବିଜୁଙ୍କୁ ବ୍ରିଟିଶ ସରକାର ଗିରଫ କରି ଦିଲ୍ଲୀ, ଫିରୋଜପୁର ଓ କଟକ ଆଦି ଜେଲ୍ରେ ବନ୍ଦୀ ରଖିବା ପରେ ୧୯୪୫ରେ କାରାମୁକ୍ତ କରିଥିଲେ ।
ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଆଗ୍ରହକ୍ରମେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଇଣ୍ଟର ଏସିଆନ୍ ରିଲେସନ୍ସ କନ୍ଫରେନ୍ସ । ସେତେବେଳକୁ ବିଜୁବାବୁ ଓଡ଼ିଶା ବିଧାନସଭାର ବିଧାୟକ ଥାଆନ୍ତି । ଏହି ସମ୍ମିଳନୀ ସମୟରେ ଗାନ୍ଧୀଜୀ ଓ ନେହରୁ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ଭେଟୁଥିବାବେଳେ ଇଣ୍ଡୋନେସିଆର ଟେବୁଲ ଖାଲି ପଡିଥିଲା । ଡଚ୍ମାନେ ଇଣ୍ଡୋନେସିଆ ନେତାମାନଙ୍କୁ ଅଟକ ରଖିଥିବାରୁ ସେମାନେ ଆସିବା ସମ୍ଭବପର ହେଉନାହିଁ ବୋଲି ଜାଣିବା ପରେ ବିଜୁବାବୁ ନେହରୁଙ୍କ ପରାମର୍ଶକ୍ରମେ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ସାଙ୍ଗରେ ନେଇ ଇଣ୍ଡୋନେସିଆ ଯାତ୍ରା କରିଥିଲେ । ସେତେବେଳେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ପତ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଏବଂ ବିଜୁବାବୁ ଏହି କନ୍ୟାଟିର ନାମ ମେଘାବତୀ ସୁକର୍ଣ୍ଣପୁତ୍ରୀ ରଖିଥିଲେ । ପରବର୍ତ୍ତୀ ସମୟରେ ମେଘାବତୀ ମଧ୍ୟ ଇଣ୍ଡୋନେସିଆର ରାଷ୍ଟ୍ରପତି ହୋଇଥିଲେ ।
ବିପଦ ସମୟରେ ରାଷ୍ଟ୍ରପତି ସୁକର୍ଣ୍ଣ ତାଙ୍କ ଲୋକଙ୍କୁ ଛାଡ଼ି ଆସିଲେ ନାହିଁ । ତେଣୁ ବିଜୁବାବୁ ଜାକର୍ତ୍ତାରୁ ପ୍ରଧାନମନ୍ତ୍ରୀ ସୁଲତାନ୍ ସାହାରିଅର୍ ଓ ସୁମାତ୍ରାରୁ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍ଗକୁ ଦିଲ୍ଲୀ ଆଣି ନେହରୁଙ୍କ ଘରେ ଅଧରାତିରେ ପହଞ୍ôଚଥିଲେ । ଏଥିରେ ଖୁସି ହୋଇ ଗାନ୍ଧୀଜୀ ବିଜୁବାବୁଙ୍କ ପିଠି ଥାପୁଡେଇ ସାବାସି ଦେଇଥିଲେ ।
ସ୍ୱାଧୀନତା ପ୍ରାପ୍ତି ପରେ ପରେ ପାକିସ୍ତାନର କାଶ୍ମୀର ଦଖଲ ଅଭିଯାନକୁ ପ୍ରତିହତ କରିବା ପାଇଁ ଓଡ଼ିଶାର ଯୁବ ବିଧାୟକ ବିଜୁ ପଟ୍ଟନାୟକ ଭାରତୀୟ ସେନା ବାହିନୀର ଯବାନମାନଙ୍କୁ ଘରୋଇ ବିମାନରେ ନେଇ ଶ୍ରୀନଗରରେ ପହଞ୍ଚାଇବା ଫଳରେ କାଶ୍ମୀର ଭାରତରେ ରହିପାରିଲା । ସେହିଭଳି ଚୀନ୍ ଯୁଦ୍ଧ ସମୟରେ ସେ ନେହରୁ ସରକାରଙ୍କୁ ସହାୟତା ଦେଇଥିଲେ । ୧୯୬୫ର ପାକିସ୍ତାନ ଯୁଦ୍ଧ ସମୟରେ ଇଣ୍ଡୋନେସିଆର ନୌସେନା ପାକିସ୍ତାନକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ଲାଲବାହାଦୂରଙ୍କ ପରାମର୍ଶକ୍ରମେ ବିଜୁବାବୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଯୋଗାଯୋଗ କରି ପାକିସ୍ତାନ ଆସୁଥିବା ନୌଭେଳାକୁ ଫେରାଇ ଦେଇଥିଲେ । ଇଣ୍ଡୋନେସିଆ ସରକାର ବିଜୁବାବୁଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ସହିତ ଯେଉଁ ଧନସଂପତ୍ତି ଦେଇଥିଲେ ତାହାକୁ ସେ ଇଣ୍ଡୋନେସିଆବାସୀଙ୍କୁ ଫେରାଇ ଦେଇଥିଲେ । (ତଥ୍ୟ)

