Home Judiciary ବିଚାର ପ୍ରତୀକ୍ଷାରେ ୧୬ଲକ୍ଷ ଅପରାଧିକ ମାମଲା

ବିଚାର ପ୍ରତୀକ୍ଷାରେ ୧୬ଲକ୍ଷ ଅପରାଧିକ ମାମଲା

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଆଇନ୍‍ ଅଦାଲତରେ ଏବେ ପାଖପାଖି ୧୬ଲକ୍ଷ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଦେୱାନି ମାମଲା ତୁଳନାରେ ଅପରାଧିକ ମାମଲାର ସଂଖ୍ୟା ୭ଗୁଣରୁ ଅଧିକ ।

ଜାତୀୟ ଜୁଡିସିଆଲ ଡାଟା ଗ୍ରିଡ୍‍ ର ସର୍ବଶେଷ ତଥ୍ୟରୁ ଏହା ଜଣାପଡିଛି । ଗତମାସରେ ଓଡିଶାରେ ୨୯,୨୬୪ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ ସେଥି ମଧ୍ୟରୁ ୨୯,୪୭୯ଟି ଅପରାଧିକ ମାମଲା ଓ ୫୭୮୫ଟି ଦେୱାନି ମାମଲା ଥିବା ଏଥିରେ ଉଲ୍ଲେଖ ରହିଛି । ଅନ୍ୟ ପକ୍ଷରେ ଗତମାସରେ ଓଡିଶାରେ ୨୪,୬୪୯ଟି ବିଚାରାଧିନ ମାମଲାର ଫଏସଲା ହୋଇଥିବାବେଳେ ସେଥି ମଧ୍ୟରୁ ୧୮,୬୯୦ଟି ହେଉଛି ଅପରାଧିକ ମାମଲା ।

ଏହି ତଥ୍ୟ ମୁତାବକ ଓଡିଶାରେ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ୧୫ ପ୍ରତିଶତରୁ ଅଧିକ ହେଉଛି ୧୦ବର୍ଷରୁ ପୁରୁଣା । କେତେକ ମାମଲା ବି ୨୦/୩୦ ବର୍ଷ ଧରି ଗଡୁଛି । ଏହି ବକେୟା ମ।।ମଲାଗୁଡିକରୁ ୮୯ ପ୍ରତିଶତ ଅପରାଧିକ ମାମଲା ଥିବାବେଳେ ୧୧ ପ୍ରତିଶତ ହେଉଛି ଦେୱାନି ମାମଲା । ସେହିଭଳି ବର୍ଷକରୁ କମ୍‍ ଅବଧିର ପ୍ରାୟ ୨୨ ପ୍ରତିଶତ ମାମଲା ବିଚାର ପ୍ରତୀକ୍ଷାରେ ରହିଥିବାବେଳେ ବର୍ଷେ ରୁ ତିନି ବର୍ଷ ପୁରୁଣା ମାମଲାର ହାର ହେଉଛି ୨୩ ପ୍ରତିଶତ । ତିନି ରୁ ପାଞ୍ଚବର୍ଷର ପୁରୁଣା ମାମଲା ସଂଖ୍ୟା ୧୬ ପ୍ରତିଶତ ଥିବାବେଳେ ୫ ରୁ ୧୦ବର୍ଷର ପୁରୁଣା ମାମଲାର ସଂଖ୍ୟା ଓଡିଶାରେ ହେଉଛି ୨୪ ପ୍ରତିଶତ । ସମସ୍ତ ପୁରୁଣା ମାମଲାରେ ୮୦ ପ୍ରତିଶତରୁ ଅଧିକ ଅପରାଧିକ ମାମଲା ଥିବାବେଳେ ୨୦ ପ୍ରତିଶତରୁ କମ୍‍ ଦେୱାନି ମାମଲା ବୋଲି ଏହି ତଥ୍ୟରୁ ଜଣାପଡିଛି ।

୧୯୯୨ର କଟକ ମଦମୃତ୍ୟୁ ଦୁର୍ଘଟଣା ଠାରୁ ୧୯୯୯ ର ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ ମାମଲା ଏବେ ମଧ୍ୟ ବିଚାରାଧିନ ରହିଛି । ମୋଟାମୋଟି ଭାବେ ଓଡିଶାରେ ପୁଲିସ୍‍ ନିକଟରେ ଯେତେ ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅତି ବେଶିରେ ୪୦ ପ୍ରତିଶତରେ ଚାର୍ଜସିଟ୍‍ ଦାଖଲ କରିବାରେ ପୁଲିସ୍‍ ସକ୍ଷମ ହେଉଛି । ଭାରତୀୟ ନ୍ୟାୟ ସଂହିତା ଓ ପିଙ୍ଗଳ କୋଡ୍‍ର ବିଭିନ୍ନ ଧାରାରେ ରୁଜୁ ହେଉଥିବା ଅପରାଧିକ ମାମଲାଗୁଡିକ ଭିତରୁ ୨୦୨୪ ଶେଷସୁଦ୍ଧା ପାଖାପାଖି ୧୦ଲକ୍ଷ ବିଚାର ପ୍ରତୀକ୍ଷାରେ ଥିଲା । କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଓଡିଶାରେ ଏହି କିସମର ମାମଲାରେ ଫଏସଲା ହାର ୫.୫ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ୩୦.୧ ପ୍ରତିଶତ ରହୁଛି ।

ଅତି ସମ୍ବେଦନଶୀଳ ବୋଲି କୁହାଯାଉଥିବା ମହିଳାମାନଙ୍କ ପ୍ରତି ନିର୍ଯ୍ୟାତନା ଓ ଅପରାଧ ସଂକ୍ରାନ୍ତୀୟ ମାମଲାରେ ଫଏସଲା ହାର ଓଡିଶାରେ ୫.୩ ପ୍ରତିଶତରେ ସୀମିତ ଥିବାବେଳେ ଦଣ୍ଡବିଧାନ ହାର ବି ୬.୩ ପ୍ରତିଶତ ରହୁଛି । ଏହି କିସମର ପ୍ରାୟ ୨ଲକ୍ଷ ମାମଲା ଏବେ ବିଚାର ପ୍ରତୀକ୍ଷାରେ ରହିଛି ।

ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅପରାଧିକ ମାମଲାର ତଦନ୍ତ ଓ ଆଇନ୍‍ଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ୍‍ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ପୁଲିସ୍‍ ବାହିନୀରେ ବର୍ଷ ବର୍ଷ ଧରି ହଜାର ହଜାର ପଦବୀ ଖାଲି ପଡିଥିବାବେଳେ ସଂଖ୍ୟାଧିକ ପୁଲିସ୍‍ ଅଧିକାରୀ ଓ କନେଷ୍ଟବଳ ଆଦି ଆଇନ୍‍ଶୃଙ୍ଖଳା ରକ୍ଷା ଓ ଭିଭିଆଇପିମାନଙ୍କ ନିରାପତ୍ତା ରକ୍ଷା କାର୍ଯ୍ୟରେ ଅଧିକ ସମୟ ନିୟୋଜିତ ରହୁଥିବାରୁ ଅପରାଧିକ ମାମଲାର ତଦନ୍ତରେ ବିଳମ୍ବ ଘଟୁଛି । ବିଳମ୍ବରେ ଚାର୍ଜସିଟ୍‍ ଦାଖଲ ଓ ଦୁର୍ବଳ ଚାର୍ଜସିଟ୍‍ ଯୋଗୁଁ ଅଭିଯୁକ୍ତମାନେ ସହଜରେ ଜାମିନ ପାଉଛନ୍ତି ଏବଂ ଅପରାଧିକ ମାମଲାରୁ ବି ଅଧିକାଂଶ କ୍ଷେତ୍ରରେ ଦୋଷମୁକ୍ତ ହୋଇଯାଉଛନ୍ତି ।

ବିଶେଷକରି ଅପରାଧିକ ମାମଲା ସବୁ ଦଶନ୍ଧି ଦଶନ୍ଧି ଧରି ଗଡିବା ଫଳରେ ଏହାର ଗୁରୁତ୍ୱ କମିଯାଉଛି । କେତେକ କ୍ଷେତ୍ରରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମୃତ୍ୟୁ ଘଟୁଥିବାରୁ ମାମଲା ବି ବିନା ବିଚାରରେ ବନ୍ଦ ହେଉଛି । ଏହାଛଡା ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ସାକ୍ଷ୍ୟ ପ୍ରମାଣ ଦୁର୍ବଳ ହେବା ଅପରାଧିକମାନଙ୍କୁ ସୁହାଉଛି । (ତଥ୍ୟ)