Home News in Odia ଅଢେଇ ଲକ୍ଷ ଟପିନି ଇଭି ପଞ୍ଜିକରଣ

ଅଢେଇ ଲକ୍ଷ ଟପିନି ଇଭି ପଞ୍ଜିକରଣ

ଭୁବନେଶ୍ୱର : ତୈଳ ସଙ୍କଟ ଯୋଗୁଁ ଖୋଦ୍‍ ରାଜ୍ୟ ସରକାର ଇଭି ଚଳାଚଳ ଉପରେ ଗୁରୁତ୍ୱ ଦେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଇଭି ପଞ୍ଜିକରଣ ଅଢେଇ ଲକ୍ଷ ବି ଅତିକ୍ରମ କରିପାରି ନାହିଁ । ସମସ୍ତ ପ୍ରକାର ପ୍ରୋତ୍ସାହନ, ପଞ୍ଜିକରଣ ଫି ଛାଡ ଓ ସୁଧ ମୁକ୍ତ ଅଗ୍ରିମ ଯୋଗାଣ ସତ୍ୱେ ବି ରାଜ୍ୟରେ ଇଭି ପ୍ରତି ଯେଭଳି ଆଗ୍ରହ ପ୍ରକାଶ ପାଇବାକଥା ତାହା ହୋଇପାରୁ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଚଳିବର୍ଷ ମାଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ବିଭିନ୍ନ କିସମର ୨ଲକ୍ଷ ୩୮ ହଜାର ଇଭି ବିକ୍ରି ହୋଇଛି । ଏଥି ମଧ୍ୟରେ ଦୁଇ ଚକିଆ ଇଭିର ସଂଖ୍ୟା ୨ଲକ୍ଷ ୧୩ହଜାରରୁ ଅଧିକ ରହିଛି । ପାଖାପାଖି ୧୪ ହଜାର ତିନି ଚକିଆ ଇଭି ଯାନ ପଞ୍ଜିକୃତ ହୋଇଥିବାବେଳେ ଚାରି ଚକିଆ ଇଭି ପଞ୍ଜିକରଣ ସଂଖ୍ୟା ୧୧ହଜାର ପାଖାପାଖି ରହିଛି । ଇଭି ବସ୍‍ ସଂଖ୍ୟା ୪ଶହ ରହିଥିବାବେଳେ ୩୨ଟି ଇଭି ଟ୍ରକ ଓ ଅନ୍ୟାନ୍ୟ ଇଭି ଯାନ ସଂଖ୍ୟା ୫୧ଟି ରହିଛି । ଏହି ଅନ୍ୟାନ୍ୟ ଯାନବାହାନ ମଧ୍ୟରେ ଖଣି ଅଞ୍ଚଳରେ କାର୍ଯ୍ୟରତ ଇଭିଚାଳିତ ବିଭିନ୍ନ କିସମର ଯାନ ରହିଛି ।

୨୦୨୧ ମସିହାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଇଭି ଯାନ ଉପରେ ସବସିଡ୍‍ ପ୍ରଦାନ କରୁଛନ୍ତି । ଯେଉଁମାନେ ଇଭି ଯାନ କିଣୁଛନ୍ତି ସେମାନଙ୍କ ପ୍ରଥମ ପାହ୍ୟାରେ ଗାଡି ପିଛା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଥିବାବେଳେ ଏବେ କିଲୋୱାଟ ପିଛା ପ୍ରୋତ୍ସାହନ ରାଶି ମିଳୁଛି । ଏହାଛଡା ପଞ୍ଜିକରଣ ଓ ସଡକ ଟିକସ ଫି ବି ଛାଡ କରାଯାଇଛି । ଏଥିଯୋଗୁଁ ଗୋଟିଏ ଗୋଟିଏ ଦୁଇ ଚକିଆ ଯାନ କିଣୁଥିବା ବ୍ୟକ୍ତି ପ୍ରୋତ୍ସାହନ ରାଶି ବାବବଦରେ ପ୍ରାୟ ୨୦ହଜାର ଟଙ୍କା ପାଉଥିବାବେଳେ ପଞ୍ଜିକରଣ ଓ ସଡକ ଟିକସ ଛାଡ ସୁବିଧା ବି ପାଉଛନ୍ତି ।

ଏହାଛଡା ରାଜ୍ୟ ସରକାର ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ଇଭି ଯାନ ଖରିଦ ପାଇଁ କର୍ମଚାରୀମାନଙ୍କୁ ସୁଧମୁକ୍ତ ଅଗ୍ରିମ ପ୍ରଦାନ କରାଯାଉଥିଲା ଓ କର୍ମଚାରୀମାନେ ଏହାକୁ ସରଳ କିସ୍ତିରେ ପରିଶୋଧ କରୁଥିଲେ । ଅବଶ୍ୟ ଇତି ମଧ୍ୟରେ ରାଜ୍ୟ ସରକାର ଏହି ପ୍ରୋତ୍ସାହନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେଇଛନ୍ତି । କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସତ୍ୱେ ସେମାନେ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିନାହାନ୍ତି ।

ଅନ୍ୟ ପକ୍ଷରେ ବର୍ତ୍ତମାନ ତୈଳ ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାର ଲୋକମାନଙ୍କୁ ଇଭି ବ୍ୟବହାର ପାଇଁ ପ୍ରବର୍ତ୍ତାଇବା ସହିତ ନିଜେ ମଧ୍ୟ ଇଭି ଖରିଦ ପାଇଁ ଆଗଭର ହୋଇଛନ୍ତି । ତେବେ ୫ବର୍ଷ ମଧ୍ୟରେ କାଁ ଭାଁ କେତୋଟି ସରକାରୀ ବିଭାଗକୁ ବାଦ୍‍ ଦେଲେ ରାଜ୍ୟ ସରକାର ନିଜ ନିଜ ବିଭାଗର ମନ୍ତ୍ରୀ, ଅଫିସରମାନଙ୍କ ପାଇଁ କାହିଁକି ଇଭିଯାନ ଖରିଦ କରିନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଖୋଦ୍‍ ରାଜ୍ୟପାଳ ତାଙ୍କର ସମସ୍ତ ଯାନ ଇଭିକୁ ପରିବର୍ତ୍ତନ କରିଥିବାବେଳେ ସରକାରୀ ବିଭାଗଗୁଡିକର ଏଭଳି ମନୋଭାବ ଏବେ ରାଜ୍ୟରେ ଇଭି ପ୍ରତି ଲୋକଙ୍କ ଆଗ୍ରହ ହ୍ରାସର କାରଣ ବୋଲି କୁହାଯାଉଛି । କାରଣ ସରକାର ନିଜେ ବ୍ୟାପକ ସଂଖ୍ୟାରେ ଇଭି ନକିଣିବାରୁ ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ ନିର୍ମାଣ ହୋଇପାରି ନାହିଁ । ଫଳରେ ଲୋକେ ଦୂର ଦୂରାନ୍ତକୁ ଯାତ୍ରା କଲେ ଇଭି ବଦଳରେ ପେଟ୍ରୋଲ କିମ୍ବା ଡିଜେଲ ଗାଡି ଉପରେ ଅଧିକ ଭାବେ ନିର୍ଭର କରୁଛନ୍ତି ।

ରାଜ୍ୟରେ ଇଭିଯାନ ପଞ୍ଜିକରଣ ସଂଖ୍ୟା ଅଢେଇ ଲକ୍ଷ ଟପିନଥିବାବେଳେ ସରକାର କିନ୍ତୁ ବିକ୍ରି ହୋଇଥିବା ଯାନବାହାନ ପାଇଁ ପ୍ରୋତ୍ସାହନରାଶି ବାବଦରେ ୩୯୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଛନ୍ତି । (ତଥ୍ୟ)