ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) କାର୍ଡ଼ ଜୀବନ ବଞ୍ଚାଇ ଦେଲା । ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀମୁକୁନ୍ଦପୁର ଗ୍ରାମର ୪୧ ବର୍ଷ ବୟସ୍କ ସୁରେନ୍ଦ୍ର ପ୍ରଧାନ, ଗ୍ରାମର ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ-ବଡାଲ୍ ଗ୍ରାମର ୧୯ ବର୍ଷ ବୟସ୍କ ଜଗତ ଜୀବନ ମାନଧାତା ।
ଶ୍ରୀ ପ୍ରଧାନ କହିଥିଲେ ଯେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ହେତୁ ବାଣ ଫୁଟିଯିବାରୁ ଆମେ ତିନିଜଣ ବହୁ ଅଂଶରେ ପୋଡିଯାଇଥିଲୁ । ଦିନ ମଜୁରିଆ ପରିବାର କଣ କରିବୁ କେମିତି ଚିକିତ୍ସା କରିବୁ ଆଦି ଭାବି ଗାଉଁଲି ଚିକିତ୍ସା ଆରମ୍ଭ କରୁଥିବା ବେଳେ ଗାଁର ଜଣେ ଶିକ୍ଷିତ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ କହିଥିଲେ । ଗାଁ ପଡିଶାମାନେ ମଧ୍ୟ ୧୦୮ ଆମ୍ବୁଲାନ୍ସ୍ ଡକାଇଲେ । ଆମେ ଜୁନ୍ ୬ ତାରିଖରେ ସମ୍ ହସ୍ପିଟାଲ୍ ବାବଦରେ ଶୁଣି ସମସ୍ତେ ସେଠାରେ ପହଞ୍ଚିଲୁ । ଆମ ଆଖି ପାଉନଥାଏ । ଏତେ ବଡ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବତ ! ଟଙ୍କା ମାଗିବେନିତ !
ବି.ଏସ୍.କେ.ୱାଇ କାଉଣ୍ଟରରେ ଥିବା ଅଫିସର ସାହାଯ୍ୟ କଲେ । ବିନା ଟଙ୍କାରେ ଆଡ୍ମିଶନ ଓ ଚିକିତ୍ସା ହେଲା । ଡ଼ାକ୍ତର, ନର୍ସ ସମସ୍ତେ ତୁରନ୍ତ ଚିକିତ୍ସାକଲେ । ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା କଲେ । ସବୁ ମାଗଣା ହେଲା । ପ୍ରଥମେ ମୁଁ ଭଲ ହୋଇ ଘରକୁ ଆସିଲି । ଡ଼ାକ୍ତରଖାନାରେ ପ୍ରାୟ ଦେଢ଼ମାସ ଚିକିତ୍ସା ହେଲି । ଜଗତ ଜୀବନ ଦେଢ଼ମାସ ହସ୍ପିଟାଲରେ ଚିକିତ୍ସା ହେଲା । ପ୍ଲାଷ୍ଟିକ୍ ସର୍ଜରୀ ହେଲା । ସେ ମଧ୍ୟ ଘରକୁ ଫେରିଲା ।
ପ୍ରତୀକର ଦେହ ବେଶି ପୋଡି ଯାଇଥିବାରୁ ସେ ପ୍ରାୟ ୨ ମାସ ହସ୍ପିଟାଲରେ ରହିଲା । ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ । କାର୍ଡରେ ଥିବା ୫ ଲକ୍ଷ ଟଙ୍କା ସରିଗଲା । ଆମର ଆଉ ଉପାୟ ନଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ହ୍ୱାଟସ୍ଆପ୍ ମେସେଜ୍ରେ ଜଣାଇଲୁ । ତାଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଫୋନ୍ ଆସିଲା । ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କଲେ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ହସ୍ପିଟାଲ୍ ସହ କଥାହେଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଲା । ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେବି ସମ୍ ହସ୍ପିଟାଲ୍ ସବୁ ଚିକିତ୍ସା କଲେ । ପ୍ରତୀକର ପ୍ଲାଷ୍ଟିକ୍ ସର୍ଜରୀ ହେଲା । ଏବେ ସେ ଘରକୁ ଫେରିଛି ।
ମୁଖ୍ୟମନ୍ତ୍ରୀଙ୍କ ବି.ଏସ୍.କେ.ୱାଇ କାର୍ଡ଼, ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଙ୍କର ସହଯୋଗ ଯୋଗୁ ଅମେ ସମସ୍ତେ ବଞ୍ଚିଗଲୁ । ଦୁଇ ଜଣ ପିଲା ପୁଣି ପାଠ ପଢ଼ିବେ । ମୁଁ ଧିରେ ଧିରେ କର୍ମକ୍ଷମ ହେଉଛି । କାର୍ଡ଼ ନଥିଲେ ଗାଉଁଲି ଚିକିତ୍ସା କରି କଣ ଆମ ଅବସ୍ଥା ହୋଇଥାଆନ୍ତା ଠାକୁର ଜାଣନ୍ତି ।
ଏତେବଡ ଉପକାର ପାଇଁ ଆମେ ତିନିଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ସମ୍ ହସ୍ପିଟାଲ୍ କର୍ତ୍ତୁପକ୍ଷ, ଡ଼ାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଉଛୁ ।