Home General ବିଏମ୍‍ସିକୁ ଅଡୁଆ ଭେଣ୍ଡିଂ ଜୋନ୍‍

ବିଏମ୍‍ସିକୁ ଅଡୁଆ ଭେଣ୍ଡିଂ ଜୋନ୍‍

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)କୁ ଅଡୁଆ ହୋଇଛି ଭେଣ୍ଡିଂ ଜୋନ୍‍ । ରାସ୍ତା ପାଶ୍ୱର୍ରେ ଥିବା ଏହି ବ୍ୟବସାୟ କେନ୍ଦ୍ରଗୁଡିକ ଏବେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାବେଳେ ଏମାନଙ୍କୁ କିଭଳି କେଉଁଠାରୁ ସ୍ଥାନାନ୍ତର କରାଯିବ ବିଏମ୍‍ସି ଜାଣିପାରୁ ନାହିଁ ।

ସହର ପ୍ରମୁଖ ଅଞ୍ଚଳରେ ରାସ୍ତା ପାଶ୍ୱର୍ରେ ଆଖିବୁଜା ଭାବେ ଖୋଲା ଯାଇଥିବା ଭେଣ୍ଡିଂଜୋନ୍‍ଗୁଡିକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ଲୋକେ ଏହିସବୁ ବ୍ୟବସାୟ ପ୍ରତିଷ୍ଠାନକୁ ଯିବାପାଇଁ ରାସ୍ତାଉପରେ ଗାଡିମୋଟର ରଖି ଯାଉଛନ୍ତି । ସେହିଭଳି କେକେତ ସ୍ଥାନରେ ବିଦ୍ୟାଳୟ ପାଚେରୀକୁ ଲାଗି ବି ଭେଣ୍ଡିଂ ଜୋନ୍‍ ନିର୍ମାଣ ହୋଇଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଏହା ବାଧକ ସାଜୁଛି ।

ଭେଣ୍ଡିଂଜୋନ୍‍ଗୁଡିକର ଏଭଳି ସ୍ଥିତି ବିଶେଷକରି ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମ୍‍ସି ଏଗୁଡିକୁ ସ୍ଥାନାନ୍ତର କରିବାପାଇଁ ସ୍ଥିର କରିଥିଲା । ଯେଉଁଠାରେ ଗାଡି ରଖିବାକୁ ପ୍ରଶସ୍ତ ସ୍ଥାନ ଥିବ ସେହି ଅଞ୍ଚଳକୁ ସ୍ଥାନାନ୍ତର କରାଯିବ ବୋଲି ତତ୍କାଳୀନ ବିଏମ୍‍ସି କମିଶନର କହିଥିଲେ । ହେଲେ ଏହି ନିଷ୍ପତ୍ତି ଏବେ ଶୀତଳଭଣ୍ଡାରରେ । ଭେଣ୍ଡିଂଜୋନ୍‍ରେ ଦୋକାନଗୁଡିକୁ ସ୍ଥାନାନ୍ତର ସପକ୍ଷରେ ବ୍ୟବସାୟୀମାନେ ନାହାନ୍ତି । କାରଣ ଦୂରକୁ ବିଶେଷକରି ଖୋଲାସ୍ଥାନ ଥିବା ଅଞ୍ଚଳକୁ ଗଲେ ସେମାନଙ୍କର ବ୍ୟବସାୟ ହେବାନେଇ ସନ୍ଦେହରେ ରହିଛନ୍ତି । ଏଥିଯୋଗୁଁ ଏବେ ଭେଣ୍ଡିଂଜୋନ୍‍ ସ୍ଥାନାନ୍ତର ହୋଇପାରୁନାହିଁ ।

ସେହିଭଳି ରାସ୍ତାପାଶ୍ୱର୍ର କେତେକ ଭେଣ୍ଡିଂଜୋନ୍‍ରେ ହୋଟେଲ ଓ ଫାଷ୍ଟଫୁଡ୍‍ ଦୋକାନ ଖୋଲିବା ଦ୍ୱାରା ସେଠାରେ କେବଳ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଭିଡ ହେଉନାହିଁ, ପରିବେଶ ବି ବିଗିଡିବାରେ ଲାଗିଛି । ଆଖପାଖରେ ଥିବା ବ୍ୟବସାୟୀମାନେ ଧୂଆଁ ଓ ପୋଡା ଗନ୍ଧରେ ନୟାନ୍ତ ହୋଇ ପଡୁଛନ୍ତି । ଭେଣ୍ଡିଜୋନ୍‍ରେ କେଉଁ କିସମର ଦୋକାନ କେଉଁଠାରେ ଖୋଲାଯିବ ତାହାର କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିବାରୁ ଯିଏ ଯେଉଁଠି ପାରୁଛି ନିଜ ଇଚ୍ଛାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରେ ଲାଗିଛି ।

କେତେକ ସ୍ଥାନରେ ଭେଣ୍ଡିଂଜୋନ୍‍ଗୁଡିକୁ ଫୁଟ୍‍ପାଥକୁ କବଳିତ କରିବାରୁ ଲୋକେ ବାଧ୍ୟହୋଇ ମୁଖ୍ୟ ରାସ୍ତା ଉପରେ ଯା’ ଆସ କରୁଛନ୍ତି । ବ୍ୟବସାୟୀମାନେ ଫୁଟ୍‍ପାଥ ଉପରେ ନିଜ ନିଜ ଦୋକାନର ସାମଗ୍ରୀ ଏପରିକି ଡଷ୍ଟବିନ୍‍ ରଖିବାରୁ ସେହି ବାଟ ଦେଇ ସାଧାରଣ ଲୋକେ ଯାଇପାରୁ ନାହାନ୍ତି । ଅବଶ୍ୟ ଭେଣ୍ଡିଂଜୋନର ଏଭଳି କାରବାର ରୋକିବାକୁ ବିଏମ୍‍ସିର ସ୍ୱତନ୍ତ୍ର ସ୍କ୍ୱାଡ୍‍ ସହର ସାରା ପଇଁତରା ମାରୁଛନ୍ତି । ହେଲେ ଏହି ବେସରକାରୀ କର୍ମୀଙ୍କୁ ବହୁ ସ୍ଥାନରେ ବ୍ୟବସାୟୀମାନେ ଖାତିର କରୁନାହାନ୍ତି ନଚେତ ହାତଗୁଞ୍ଜା ଦେଇ ବିଦାକରି ଦେଉଛନ୍ତି ।

ରାଜଧାନୀରେ ଟ୍ରାଫିକ ସମସ୍ୟା ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାବେଳେ ଏହାର ମୁଖ୍ୟ କାରଣ ରାସ୍ତାପାଶ୍ୱର୍ ବ୍ୟବସାୟ ପାଲଟିଛି । ଭେଣ୍ଡିଂ ଜୋନ୍‍ ଠାରୁ ଆରମ୍ଭ କରି ଉଠା ବ୍ୟବସାୟୀଙ୍କ ଯୋଗୁଁ ଏଭଳି ଭିଡ ହେଉଥିବାବେଳେ ଏମାନଙ୍କୁ ବ୍ୟବସ୍ଥିତ ଭାବେ ବିଭିନ୍ନ ସ୍ଥାନରେ ଥଇଥାନ କରିବାପାଇଁ ବିଏମ୍‍ସି ଯେଭଳି ତତ୍ପର ହେବାକଥା ତାହା ପରିଲକ୍ଷିତ ହେଉନାହିଁ । ବିଶେଷକରି ଘୋଷଣା ସତ୍ୱେ ମୁଖ୍ୟ ରାସ୍ତା ପାଶ୍ୱର୍ ଓ ଶିକ୍ଷାନୁଷ୍ଠାନ ପାଶ୍ୱର୍ରେ ଥିବା ଭେଣ୍ଡିଂ ଜୋନ୍‍କୁ ବିଏମ୍‍ସି ସ୍ଥାନାନ୍ତର ନକରିବା ଏବେ ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । (ତଥ୍ୟ)