Home Finance ଟିକସ ଆଦାୟ ଅଧାରୁ ଅଧିକ

ଟିକସ ଆଦାୟ ଅଧାରୁ ଅଧିକ

ଭୁବନେଶ୍ୱର : ୨୦୨୩ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ସରକାର ୨୪,୨୬୭.୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି, ଯାହା କି ବାର୍ଷିକ ବଜେଟ୍ ଆକଳନ (୪୫,୨୫୧ କୋଟି ଟଙ୍କା)ର ୫୩.୬୩ ପ୍ରତିଶତ ଅର୍ଥାତ୍‍ ଅଧାରୁ ଅଧିକ ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ନିରନ୍ତର ତଦାରଖ ଯୋଗୁଁ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ପ୍ରାୟ ୧୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାରେ ସକ୍ଷମ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ରାଜ୍ୟର ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ରାଜ୍ୟ ୨୨,୬୭୦.୮୧ କୋଟି ଟଙ୍କା ଆଦାୟ କରିଥିବା ବେଳେ ଚଳିତ ବର୍ଷ ଖଣି ଓ ଧାତବ ଶିଳ୍ପରୁ ୨୪,୨୬୭.୫୫ କୋଟି ଟଙ୍କା ଆଦାୟ ହୋଇପାରିଛିା

ଖଣି ରାଜସ୍ୱ ବୃଦ୍ଧି ଯୋଗୁଁ ରାଜ୍ୟର ଅଣଟିକସ ରାଜସ୍ୱ ଆଦାୟରେ ୧୪.୬୬ ପ୍ରତିଶତ ବୃଦ୍ଧି ଘଟିଛି । ଅକ୍ଟୋବର ଶେଷ ସୁଦ୍ଧା ମୋଟ ଅଣଟିକସ ରାଜସ୍ୱ ଆଦାୟ ହେଉଛି ୨୯,୨୫୯.୭୭ କୋଟି ଟଙ୍କା ଯାହା ବଜେଟ୍ ଆକଳନର ୫୫.୭୩ ପ୍ରତିଶତ (୫୨,୫୦୦ କୋଟି ଟଙ୍କା) । ୨୦୨୨-୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ୨୫,୫୧୯.୭୩ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ କରିଥିଲା ।

ସେହିପରି ୨୦୨୩-୨୪ ଅକ୍ଟୋବର ସୁଦ୍ଧା ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ଆଦାୟ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୩.୦୪ ପ୍ରତିଶତ ବୃଦ୍ଧି ପାଇଛି । ଅକ୍ଟୋବର, ୨୦୨୩ ଶେଷ ସୁଦ୍ଧା ମୋଟ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ୨୮,୦୬୩.୬୪ କୋଟି ଟଙ୍କା ଥିଲା ଯାହା ବଜେଟ୍ ଆକଳନ (୫୩,୦୦୦ କୋଟି ଟଙ୍କା)ର ୫୨.୯୫ ପ୍ରତିଶତ ଅଟେ । ଗତ ଆର୍ଥିକ ବର୍ଷର ସମାନ ଅବଧିରେ ରାଜ୍ୟ ନିଜସ୍ୱ ଟିକସ ରାଜସ୍ୱ ଉତ୍ସରୁ ୨୪,୮୨୫.୨୮ କୋଟି ଟଙ୍କା ଆଦାୟ କରିଥିଲା ।

୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ବାଣିଜ୍ୟିକ ଟିକସ ଆଦାୟ ବୃଦ୍ଧି ପାଇଥିବାରୁ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ବାଣିଜ୍ୟିକ ଟିକସ ଆଦାୟ ୧୨.୧୪ ପ୍ରତିଶତ ବୃଦ୍ଧି ପାଇଛି । ବାଣିଜ୍ୟିକ ଟିକସ ଆଦାୟ ୧୬,୪୫୭.୭୮ କୋଟି ଟଙ୍କା (ଅକ୍ଟୋବର\’୨୨)ରୁ ୧୮,୪୫୫.୯୭ କୋଟି ଟଙ୍କା (ଅକ୍ଟୋବର\’୨୩)କୁ ବୃଦ୍ଧି ପାଇଛି । ୨୦୨୩ ଅକ୍ଟୋବର ସୁଦ୍ଧା ବୃତ୍ତିଗତ ଟିକସ ଆଦାୟ ୧.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଜମି ରାଜସ୍ୱରୁ ଆଦାୟ ୨୯.୭୬ ପ୍ରତିଶତ ଏବଂ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣରୁ ରାଜସ୍ୱ ଆଦାୟ ୮.୮୩ ପ୍ରତିଶତ ବୃଦ୍ଧି ପାଇଛି । ଏହାବ୍ୟତୀତ ଗାଡ଼ି ଓ ବିଦ୍ୟୁତ ଶୁଳ୍କ ଉପରେ ଟିକସ ଆଦାୟ ଯଥାକ୍ରମେ ୬୧.୭୫ ପ୍ରତିଶତ ଓ ୧୩.୦୯ ପ୍ରତିଶତ ବୃଦ୍ଧି କରାଯାଇଛି ।

ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଉତ୍ସରୁ ରାଜ୍ୟର ରାଜସ୍ୱ ଆଦାୟ ୧୩.୮୬ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷର ମାସ ଶେଷ ସୁଦ୍ଧା ରାଜ୍ୟ ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଉତ୍ସରୁ ମୋଟ ୫୭,୩୨୩.୪୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୫୦,୩୪୫.୦୧ କୋଟି ଟଙ୍କା ଆଦାୟ ହୋଇଥିଲା ।

୨୦୨୩ ଅକ୍ଟୋବର ଶେଷ ସୁଦ୍ଧା ଅଂଶଧନ ଟିକସ ୨୩,୯୨୬ କୋଟି ଟଙ୍କା ରହିଛି, ଯାହା କି ୨୦୨୩-୨୪ ବଜେଟ୍ ଆକଳନର ୫୧.୭୩ ପ୍ରତିଶତ । ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଏହା ୨୧.୬୩ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ୨୦୨୩ ଅକ୍ଟୋବର ଶେଷ ସୁଦ୍ଧା କେନ୍ଦ୍ରରୁ ଅନୁଦାନ ୯୩୧୦.୦୮ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ୩୨.୫୦ ପ୍ରତିଶତ ବୃଦ୍ଧି ପାଇଛି । ଅକ୍ଟୋବର ଶେଷ ସୁଦ୍ଧା କେନ୍ଦ୍ରରୁ ଉଭୟ ଅଂଶଧନ ଟିକସ ଏବଂ ଅନୁଦାନର ସମୁଦାୟ କେନ୍ଦ୍ରୀୟ ହସ୍ତାନ୍ତର ୩୩,୨୩୬.୨୮ କୋଟି ଟଙ୍କା ଥିଲା ଯାହା ବଜେଟ୍ ଆକଳନର ୪୨.୦୭ ପ୍ରତିଶତ ଅଟେ । ତେଣୁ ଅକ୍ଟୋବର ସୁଦ୍ଧା ସମସ୍ତ ଉତ୍ସରୁ ମୋଟ ରାଜସ୍ୱ ଆଦାୟ ୯୦,୫୫୯.୬୯ କୋଟି ଟଙ୍କା ଥିଲା, ଯାହା କି ୨୦୨୨ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ହୋଇଥିବା ୭୭,୦୪୩.୦୩ କୋଟି ଟଙ୍କା ତୁଳନାରେ ୧୭.୫୪ ପ୍ରତିଶତ ଅଧିକ । (ତଥ୍ୟ)