Home General ବିଏମସି ଅଫିସରେ ମଶା ଧୂଆଁ ଛାଡିଲା ବିଜେପି

ବିଏମସି ଅଫିସରେ ମଶା ଧୂଆଁ ଛାଡିଲା ବିଜେପି

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଏମସିକୁ ଘେରିଲା ବିଜେପି । ବିଏମସି କାର୍ଯ୍ୟାଳୟ ଘେରିବା ସହ ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପିର ହଲ୍ଲାବୋଲ । ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ବିଏମସି କାର୍ଯ୍ୟାଳୟ ଭିତରକୁ ମଶା ଧୂଆଁ ଛାଡ଼ିଛନ୍ତି ବିଜେପି ନେତା ।

ଶହ ଶସହ ବିଜେପି କର୍ମୀ ହାତରେ ଟିଫା ମେସିନ ଓ ବିରାଟକାୟ ମଶା ହୋଡିଂ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ମେୟର ଙ୍କ ଛବି ରଖି ତାକୁ ଧରି ବିଏମସି ଅଫିସ୍ ଘେରାଉ କରିଥିଲେ ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ।ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବିଜେପି ବାରମ୍ବାର ବିଏମସିକୁ ଘେରିବା ସହ ଡେଙ୍ଗୁ ମୁକାବିଲାରେ ବିଏମସି ବିଫଳ ହୋଇଥିବା ଅଭିଯୋଗ କରିଆସୁଛି । ଏବେ ବିଏମସି କାର୍ଯ୍ୟାଳୟକୁ ମଶା ଧୁଆଁ ଛାଡ଼ିବା ସହ ସହରର ପ୍ରତି ଗଳିକନ୍ଦିକୁ ଯାଇ ମଶା ଧୂଆଁ ଛାଡିବାକୁ ଦାବି କରିଛନ୍ତି ।

ଏପରିକି ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦିଆଯାଉଥିବା କହି କଟାକ୍ଷ କରିଛି ବିଜେପି । ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବାବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି । ରାଜ୍ୟସାରା ଡେଙ୍ଗୁ ରୋଗ ଆତଙ୍କ ସୃଷ୍ଟି କରିଛି ଏବଂ ବିଶେଷ ଭାବେ ଭୁବନେଶ୍ୱରରେ ଏହା ଭୟଙ୍କର ରୂପ ନେଇଛି । କେବଳ ଭୁବନେଶ୍ୱରରେ ୧୫ଶହ ରୁ ଉର୍ଦ୍ଧ୍ବ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ବ ପୀଡିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି । 

ଭୁବନେଶ୍ୱର ର ପ୍ରତି  ଘରେ ଡେଙ୍ଗୁ ପୀଡିତ । ରାଜ୍ୟରେ ସ୍ୱାୟତ ଶାସନ ବାଟବଣା ହୋଇଛି । ରାଜଧାନୀ ସହରରେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଉଭୟଙ୍କ ଦାୟିତ୍ୱହୀନତା ପାଇଁ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ପ୍ରତି ବର୍ଷ ଡେଙ୍ଗୁ ରୋଗ କାୟା ବିସ୍ତାର କରିଚାଲିଛି । ୨୩ ବର୍ଷ ଶାସନରେ ଥିବା ସତ୍ୱେ ବିଜେଡି ସରକାରର ‘ପରିମଳ ପରିଚାଳନା’ ସମ୍ପୂର୍ଣ୍ଣ ଫେଲ ହୋଇଥିବାରୁ ଡେଙ୍ଗୁ ରୋଗ ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ସର୍ବଦା ଚିତ୍କାର କରି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡେଙ୍ଗୁରେ ଆକ୍ରାନ୍ତ ପୀଡିତଙ୍କ ଜୀବନ କ’ଣ ମୂଲ୍ୟହୀନ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ପ୍ରଶ୍ନ କରିଛନ୍ତି ।

ଏହି ବିକ୍ଷୋଭ ରେ ଶ୍ରୀ ସିଂ  କହିଛନ୍ତି ଯେ, ଦୀର୍ଘଦିନ ଏ ସରକାର ଶାସନ କରୁଥିବାରୁ ଅଫିସରମାନେ ଉପର ମୁହାଁ ହୋଇଛନ୍ତି ।ବିଏମସିର ଚରମ ଅବହେଳା କାରଣରୁ ରାସ୍ତା ଘାଟ, ନାଳ ନର୍ଦ୍ଦମାର ଦୁର୍ଦ୍ଦଶା ଚରମ ସୀମା ଅତିକ୍ରମ କରିଛି । ବର୍ଷା ପାଣି ଜମା ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ।ବିଏମସି  ସଠିକ୍ ସମୟରେ ମଶା ନିୟନ୍ତ୍ରଣର କାମ କଲେ ନାହିଁ, ଯଥା ମଶାତେଲ, ଜାଗା ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ଡେଙ୍ଗୁ ରୋଗ ନିୟନ୍ତ୍ରଣହୀନ ହେବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ମିଛ ପ୍ରଚାର ପ୍ରସାର କରି ବାଃ ବାଃ ନେବା ପାଇଁ ଉଦ୍ୟମ କଲେ ସତ, କିନ୍ତୁ ଗ୍ରାଉଣ୍ଡ ଜିରୋରେ କୈାଣସି ପଦକ୍ଷେପ ନେଲେ ନାହିଁ ।

ଏପରିକି ଲୋକେ ଡେଙ୍ଗୁରେ ପ୍ରାଣ ହରାଉଥିଲେ ବି ଡେଙ୍ଗୁ ମୃତ୍ୟୁକୁ ସ୍ୱୀକାର ନକରି ‘ନେଡି ଗୁଡ କହୁଣୀକୁ ବୋହି ଗଲା’ ପରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ନିଜ ଦାୟୀତ୍ୱ କର୍ତବ୍ୟରୁ ପଳାୟନପନ୍ଥୀ ହେଲେ । ରାଜ୍ୟ ସରକାର ୨୩ବର୍ଷ ଶାସନରେ ରହିବି ସହରାଂଚଳବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ହୋଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା, ମନ୍ତ୍ରୀମାନେ “ଓଡ଼ିଶାର ସ୍ୱାସ୍ଥ୍ୟସେବା” ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି । ଲୋକେ ଡେଙ୍ଗୁରେ ପ୍ରତ୍ୟେକ ଦିନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ବିଏମ୍‌ସି ଓ ସିଏମ୍‌ସି ଭଳି ଅନୁଷ୍ଠାନ ସ୍ୱାୟତ ଶାସନକୁ ଦିଗହରା କରିବା ସହ ଲୋକଙ୍କ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ।

ଡେଙ୍ଗୁ ରୋଗ ମୁକାବିଲା ନେଇ ରାଜ୍ୟ ସରକାରଙ୍କ “ନିଷ୍କ୍ରିୟତା ଓ ଉଦାସିନତା” ଲୋକଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି।ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରର ବିଜେଡି ସରକାରରେ “ଡେଙ୍ଗୁ” ବି ବିଶ୍ୱସ୍ତରୀୟ ଏବଂ ଏହାକୁ ଏକ ଉପହାର ଭାବେ ବିଏମସି ଭୁବନେଶ୍ୱରବାସିନ୍ଦାଙ୍କୁ ପ୍ରଦାନ କରିଛି । ପ୍ରତ୍ୟେକ ଦିନ ରାଜଧାନୀର ଡେଙ୍ଗୁ ରୋଗୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବି ସେମାନଙ୍କ ପାଇଁ “ବେଡ୍‌”ର ସୁବିଧା ନାହିଁ । ନାଳ ନର୍ଦ୍ଦମା ସଫା ଆଳ କରି ସମସ୍ତ ଡ୍ରେନ ଓ ନାଳ ଖୋଲି ଦିଆଗଲା ସତ, କିନ୍ତୁ ଅଧାପନ୍ତରିଆ ହୋଇ ସଫା କାର୍ଯ୍ୟ ରହିଗଲା ।

କେଉଁଠି ସଫା ହେଲା ନାହିଁ ତ, ଆଉ କେଉଁଠି ଡ୍ରେନକୁ ଘୋଡା ଗଲା ନାହିଁ । ନାଳ ନର୍ଦ୍ଦମାରୁ ବାହାରିଥିବା ଆବର୍ଜନାକୁ ହଟା ଗଲା ନାହିଁ । ବିଏମସି ମେୟର ବୁଲି ବୁଲି ଯାହା ପ୍ରଚାର କରିଥିଲେ, ତାର ଠିକ ବୀପରିତ କାର୍ଯ୍ୟ କରାଗଲା । ଖର୍ଚ୍ଚ ପାଇଁ ଆସିଥିବା ଟଙ୍କାକୁ ମିଳିମିଶି ଖାଇଗଲେ ।ଡେଙ୍ଗୁ ମଶାଙ୍କ ନିୟନ୍ତ୍ରଣ ପାଇଁ  ବିଜେପି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଧୂଆଁ ଦ୍ୱାରା ମଶାଙ୍କ ନିପାତ ପାଇଁ ସବୁ ୱାର୍ଡରେ ବ୍ୟବସ୍ଥା କରାଯାଇଛି । ମେୟର ଓ କମିଶନର ମିଥ୍ୟା ପ୍ରତିଶ୍ରୁତି ପାଇଁ ରାଜଧାନୀବାସୀ କାହିଁକି ସର୍ବଦା ଦୁଃଖ ଭୋଗିବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସିଂ କହିଛନ୍ତି ।

ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ମେୟର ଓ କମିଶନର ଡେଙ୍ଗୁ ପାଇଁ ପଦକ୍ଷେପ ନନେଇ କ୍ରିକେଟ୍ ଖେଳୁଛନ୍ତି ଯାହା ରାଜଧାନୀବାସୀଙ୍କ ପ୍ରତି ଉପହାସ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି। ଡେଙ୍ଗୁ ରୋଗରେ ସାଧାରଣ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହାତ ଟେକି ବସିଛନ୍ତି ରାଜ୍ୟ ସରକାର ଓ ମ୍ୟୁନିସପାଲଟି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ।

ଆଜିର ଏହି ବିକ୍ଷୋଭରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ର ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ,ଜିଲ୍ଲା ଉପସଭାପତି ତୃପ୍ତିମଇ ମକଦ୍ଦମ, ନିରଞ୍ଜନ ରାଉତରାୟ,ସୁଶାନ୍ତ ସାବତ, ଧିରେନ୍ ପାତ୍ର, ମନୋରଞ୍ଜନ ସ୍ବାଇଁ, ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା, ଜିତେନ୍ଦ୍ର ମହାନ୍ତି, ବିଜୟ ରାଉତ, ସଶିପ୍ରଭା ରଥ, ଅମରଜ୍ୟୋତି ଜଗଦ୍ଦେବ, ସୋୟମ୍ଭୁ ପଟ୍ଟନାୟକ,ଜିଲ୍ଲା ସଂପାଦକ ଉନ୍ନତି ପରିଡ଼ା, ବିଷ୍ଣୁ ସାହୁ, ତାପସ ଦଳାଇ, ଆଶିଷ ମହାପାତ୍ର, ନିର୍ମଳ ପଣ୍ଡା, ନାରୀନେତ୍ରୀ ସୁନୀତ ମୁଣ୍ଡ,ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ଜ୍ୟୋତିରେଖା ନାୟକ, କବିତା ଲେଙ୍କା, ଜିଲ୍ଲା ନେତୃତ ସୁନିଲ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି,ମନୋଜ ପଶ୍ଚିମକବାଟ, ବିଶ୍ଵନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।