ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏକାଧିକ ମାମଲାରେ ସ୍ପଷ୍ଟ ରାୟ ଦେଇସାରିଥିଲେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁକରି ଅଦାଲତରୁ ନିର୍ଦ୍ଦେଶ ନଆଣିଲେ ନିଯୁକ୍ତି ମିଳିବନାହିଁ ବୋଲି ଚାକିରି ପ୍ରତ୍ୟାଶୀଙ୍କୁ ରୋକଠୋକ୍ ଭାବେ ବିଭାଗୀୟ କର୍ତ୍ତୃପକ୍ଷ ଶୁଣାଉଥିବାରୁ ଏ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବଢିବାରେ ଲାଗିଛି ।
୧୯୯୦ ମସିହାରେ ପ୍ରଣୟନ କରାଯାଇଥିବା ଅନୁକମ୍ପାମୂଳକ ନିଯୁକ୍ତି ଆଇନରେ ବ୍ୟାପକ ସଂଶୋଧନ ଆଣି ରାଜ୍ୟ ସରକାର ୨୦୨୦ରେ ନୂଆ ଆଇନ୍ ଜାରି କରିଛନ୍ତି । ଆଗରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ ପଡି ରହିଥିଲା ସେ ସବୁ ନୂଆ ଆଇନ୍ ଆଧାରରେ ଫଏସଲା ହେବ ବୋଲି ଉଲ୍ଲେଖକରି ବହୁ ଆବେଦନକୁ ଖାରଜ କରିଦିଆଯାଉଛି । ଏ ସଂକ୍ରାନ୍ତରେ ମଳୟ ନନ୍ଦ ସେଠୀ ନାମକ ଜଣେ ମୃତ କର୍ମଚାରୀଙ୍କ ପୁଅ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ମାମଲା ଲଢି ତାଙ୍କ ସପକ୍ଷରେ ରାୟ ଆଣିବାରେ ସମର୍ଥ ହୋଇଛନ୍ତି ।
ଏହି ରାୟରେ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ଓ ତାହା ପରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଯେଉଁ ପୁରୁଣା ଆଇନ୍ ରହିଥିଲା ତାହାରି ଆଧାରରେ ଆବେଦନଗୁଡିକର ବିଚାର କରି ନିଯୁକ୍ତି ଦିଆଯାଉ । ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଏ ସଂକ୍ରାନ୍ତୀୟ ଅଭିଯୋଗର ଫଏସଲା ନକରି ଆଖିବୁଜା ଆବେଦନଗୁଡିକୁ ନାକଚ କରାଯିବା ଘଟଣାକୁ ସୁପ୍ରିମ୍କୋର୍ଟ ନାପସନ୍ଦ କରିବା ସହ ଅନୁରୂପ ଘଟଣାଗୁଡିକରେ କର୍ତ୍ତୃପକ୍ଷ ମଳୟ ନନ୍ଦ ସେଠୀ ମାମଲାରେ ଦିଆଯାଇଥିବା ରାୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ତେବେ ଇତି ମଧ୍ୟରେ ରାଜ୍ୟ ସରକାର ମଳୟା ନନ୍ଦ ସେଠୀଙ୍କୁ ଅବକାରୀ ବିଭାଗରେ ନିଯୁକ୍ତି ଦେଇଥିଲେ ମଧ୍ୟ ଅନୁରୂପ ଅନ୍ୟ ଆବଦନଗୁଡିକ ଉପରେ ନିଯୁକ୍ତି ଦେଉନଥିବାରୁ ପ୍ରତ୍ୟାଶୀମାନେ ବାଧ୍ୟ ହୋଇ ଅଦାଲତରେ ଆବେଦନ କରୁଛନ୍ତି ଏବଂ ଅଦାଲତରୁ ଅନୁରୂପ ରାୟ ପାଇବାପରେ ହିଁ ସେମାନଙ୍କୁ ନିଯୁକ୍ତି ମିଳୁଛି ।
ସେହିଭଳି ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ରୋଗାକ୍ରାନ୍ତ ଥାଇ ସରକାରୀ ଚାକିରି ଲାଗି ଅନୁପଯୁକ୍ତ ବୋଲି ମେଡିକାଲ ବୋର୍ଡ ଦ୍ୱାରା ଘୋଷିତ ହେଉଥିବା ସ୍ଥଳେ ମୃତ କର୍ମଚାରୀଙ୍କ ପୁଅ କି ଝିଅ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କଲେ ସେମାନଙ୍କ ଆବେଦନକୁ ବହୁ କ୍ଷେତ୍ରରେ ନାକଚ କରିଦିଆଯାଉଛି । ଓଡିଶା ହାଇକୋର୍ଟ ଭାଗ୍ୟଧର ନାୟକ, ତପନ ମଲ୍ଲିକ, ରାଜେନ୍ଦ୍ର ଜେନା, ଅଜିତ ବାରିକ ଆଦିଙ୍କ ଅନୁରୂପ ଅଭିଯୋଗର ବିଚାର କରି ଆଇନାନୁଯାୟୀ ମୃତ କର୍ମଚାରୀଙ୍କ ପୁଅ କି ଝିଅ ତାଙ୍କର ପରିବାରର ସଦସ୍ୟ ହୋଇଥିବା ଏବଂ ଆଇନ୍ରେ ଆର୍ଥିକ ଦୁଃସ୍ଥିତି ଓ ଆବେଦନକାରୀଙ୍କ ଯୋଗ୍ୟତାକୁ ବିଚାରକୁ ନେଇ ତୃତୀୟ ଓ ଚତୁର୍ଥଶ୍ରେଣୀ ପଦବୀରେ ନିଯୁକ୍ତି ଦେବାଲାଗି ୧୯୯୦ର ଆଇନ୍ ବ୍ୟବସ୍ଥା ଥିବାରୁ ସେହି ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟ ଅନେକ ମାମଲାରେ ରାୟ ଦେଲେଣି ।
ଏହା ସତ୍ୱେ ମଧ୍ୟ ବିଭିନ୍ନ ବିଭାଗ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନଗୁଡିକ ମଧ୍ୟରୁ ଅନେକ ଆଖିବୁଜା ନାକଚ କରି ଚାଲିଛନ୍ତି ଏବଂ ଏଭଳି ନକରାତ୍ମକ ଆଦେଶଗୁଡିକରେ ମୋକଦ୍ଦମା ପରେ ମୋକଦ୍ଦମାମାନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ମାମଲା ନୀତି ଅନୁଯାୟୀ କୌଣସି ପ୍ରସଙ୍ଗରେ ଆଇନ୍ ଅଦାଲତ ନୀତିଗତ ନିଷ୍ପତ୍ତି ନେବାପରେ ତାହା ଅନୁରୂପ ସମସ୍ତ କ୍ଷେତ୍ରରେ କାର୍ଯ୍ୟକାରୀ କରାଗଲେ ମାମଲାର ଚାପ ହ୍ରାସ ପାଇବ ଓ ଲୋକେ ତ୍ୱରିତ ନ୍ୟାୟ ପାଇବେ । କିନ୍ତୁ ଏ କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷ ମାମଲା ନୀତିର ଘୋଷିତ ପ୍ରତିଶ୍ରୁତିର ମଧ୍ୟ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହେଉଛି । (ତଥ୍ୟ)